• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୁମ୍ବାଇ ଘାଟକୋପରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ରେସ୍କ୍ୟୁ ଅପରେସନ ଶେଷ ହୋଇଛି । ଘଟଣାସ୍ଥଳରୁ ୭୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏପଟେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ପ୍ରାଥମିକ ଚିକିତ୍ସା ପରେ ୩୧ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ମେଡିକାଲରେ ଏବେ ବି ଚିକିତ୍ସାଧିନ ଅଛନ୍ତି ୩୫ ଜଣ ।

କେବଳ କ୍ରେନରେ କାଲି ରାତି ତମାମ୍ ଚାଲିଥିଲା NDRFର ରେସ୍କ୍ୟୁ ଅପରେସନ । ଆଉ ଆଜି ଦିନରେ ମଧ୍ୟ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଗତକାଲି ଘୁର୍ଣ୍ଣିଝଡ଼ ବେଳେ ଏହି ବିଶାଳ ବିଲବୋର୍ଡଟି ଏକ ପେଟ୍ରୋଲ ପମ୍ପ ଉପରେ ଅଜାଡି ହୋଇପଡ଼ିଥିଲା । ଫଳରେ ଶତାଧିକ ଲୋକେ ଏହା ତଳେ ଚାପି ହୋଇ ରହିଯାଇଥିଲେ ।

କାଲିର ଏହି ଅଘଟଣ ପରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ବେଳେ, ଏତେ ବଡ଼ ହୋର୍ଡିଂ ଲଗାଇଥିବା ସଂସ୍ଥା ଇଗୋ ମିଡିଆର ମାଲିକ ଭବେଶ ଭିଣ୍ଡେ ଫେରାର୍ ଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ବ୍ରିହନ ମୁମ୍ବାଇ ମହାନଗର ନିଗମ ଏବଂ ରେଳ ବିଭାଗ ମଧ୍ୟରେ ଆରମ୍ଭ ହୋଇଛି ଦୋଷ ଲଦାଲଦି ।

ଏହି ବିରାଟ ବିଲବୋର୍ଡ ବେଆଇନ ଥିଲା ଏବଂ ଅନୁମୋଦିତ ଆକାର ଠାରୁ ୩ ଗୁଣ ବଡ଼ ଥିଲା ବୋଲି ଦର୍ଶାଇଛି ବ୍ରିହନ୍ ମୁମ୍ବାଇ ମହାନଗର ନିଗମ । ଭାଙ୍ଗିଥିବା ବିଲବୋର୍ଡ ବିଏମସିର ବିନା NOCରେ ରେଳ ବିଭାଗ ଜମିରେ ଥିଲା ବୋଲି ସଫେଇ ରଖିଛି ବିଏମସି । ମହାନଗର ନିଗମ ପକ୍ଷରୁ ବିଜ୍ଞାପନ ସଂସ୍ଥା ଏବଂ ରେଳ ବିଭାଗ ବିରୋଧରେ ଏତଲା କରାଯିବା ସହିତ, ଇଗୋ ମିଡିଆକୁ ୬ କୋଟି ୧୩ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।

ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିଛି ସେଣ୍ଟ୍ରାଲ୍ ରେଲୱେ । ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳର ପରିଦର୍ଶନ କରି ତଦନ୍ତ ନିର୍ଦ୍ଦେଶ ଦେବା ସହିତ, ମୃତକଙ୍କ ପିଛା ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now