• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ମଙ୍ଗୋଲିଆ ଗସ୍ତରେ ଅଛନ୍ତି । ମଙ୍ଗୋଲିଆକୁ ପୂର୍ବରୁ କୌଣସି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଗସ୍ତ କରିନାହାନ୍ତି, ଏହା ହେଉଛି ପ୍ରଥମ ଗସ୍ତ । ଗସ୍ତ ସମୟରେ ମଙ୍ଗୋଲିଆର ରାଷ୍ଟ୍ରପତି ଖୁରେଲସୁଖଙ୍କୁ ଭେଟି ବିଭିନ୍ନ ଆଲୋଚନା କରିଛନ୍ତି ରାଜନାଥ ସିଂ । ତେବେ ଏହି ସାକ୍ଷାତ ପର୍ବରେ ଖୁରେଲସୁଖ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି । ମଙ୍ଗୋଲୀୟ ରାଷ୍ଟ୍ରପତି ଉପହାର ସ୍ୱରୂପ ରାଜନାଥ ସିଂହଙ୍କୁ ଏକ ଘୋଡ଼ା ଉପହାର ଦେଇଛନ୍ତି । ସାତ ବର୍ଷ ପୂର୍ବେ ମୋଙ୍ଗୋଲିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏକ ଘୋଡା ଉପହାର ପ୍ରଦାନ କରାଯାଇଥିଲା ।

ଆଜି ରାଜନାଥ ସିଂ ନିଜେ ଟ୍ୱିଟ୍‌ କରି ମଙ୍ଗୋଲୀୟ ରାଷ୍ଟ୍ରପତିଙ୍କ ସେହି ସ୍ୱତନ୍ତ୍ର ଉପହାର ସମ୍ପର୍କରେ ଟ୍ୱିଟ୍‌ କରିଛନ୍ତି । ଉପହାର ପାଇଥିବା ଧଳାଘୋଡ଼ାର ଚିତ୍ର ସହିତ ରାଜନାଥ ସିଂହ ଲେଖିଛନ୍ତି, ମଙ୍ଗୋଲିଆର ଜଣେ ବିଶେଷ ବନ୍ଧୁଙ୍କ ଠାରୁ ମିଳିଛି ବିଶେଷ ଉପହାର । ମୁଁ ଏହି ଚମତ୍କାର ଏବଂ ସୁନ୍ଦର ଧଳାଘୋଡାର ନାଁ ରଖିଛି ତେଜସ୍ । ରାଷ୍ଟ୍ରପତି ଖୁରେଲସୁଖ ଓ ମୋଙ୍ଗୋଲିଆକୁ ଧନ୍ୟବାଦ। '

 

ରାଜନାଥ ସିଂ ମଙ୍ଗଳବାର ଦିନ ମଙ୍ଗୋଲିଆର ରାଷ୍ଟ୍ରପତି ଖୁରେଲସୁଖଙ୍କୁ ଭେଟିଛନ୍ତି । ଉଭୟ ଦେଶ ମଧ୍ୟରେ ରାଜନୈତିକ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ସମୀକ୍ଷା କରିଛନ୍ତି ଦୁଇ ନେତା । ପ୍ରତିରକ୍ଷା ମନ୍ତ୍ରୀ ସେପ୍ଟେମ୍ବର ୫ରୁ ୭ ପର୍ଯ୍ୟନ୍ତ ମଙ୍ଗୋଲିଆ ଗସ୍ତରେ ଅଛନ୍ତି । ପୂର୍ବ ଏସୀୟ ଦେଶକୁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ।

ରାଜନାଥ ସିଂ କହିଛନ୍ତି , ରାଷ୍ଟ୍ରପତି ଖୁରେଲସୁଖଙ୍କ ସହ ବୈଠକ ଅତ୍ୟନ୍ତ ଭଲ ରହିଛି । ସେ ଏହି ଅବସରରେ ୨୦୧୮ରେ ଆୟୋଜିତ ହୋଇଥିବା ବୈଠକ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯେତେବେଳେ ଖୁରେଲସୁଖ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଥିଲେ । ମଙ୍ଗୋଲିଆ ସହିତ ବହୁମୁଖୀ ରାଜନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ରାଜନାଥ କହିଛନ୍ତି ।

ସୂଚନାଯୋଗ୍ୟ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗୋଲିଆ ଗସ୍ତ କରିଥିଲେ । ସେ ସମୟରେ ତତ୍କାଳୀନ ମଙ୍ଗୋଲିଆ ପ୍ରଧାନମନ୍ତ୍ରୀ ତାଙ୍କୁ ମଧ୍ୟ ଏକ ଘୋଡ଼ା ଉପହାର ପ୍ରଦାନ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଞ୍ଚଳିକ ସୁରକ୍ଷା ତଥା ଭୌଗୋଳିକ ଅସ୍ଥିରତା ମଧ୍ୟରେ ରାଜନୈତିକ ତଥା ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସୋମବାର ଠାରୁ ମଙ୍ଗୋଲିଆ ଏବଂ ଜାପାନ ଗସ୍ତରେ ଅଛନ୍ତି ।