• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଉ ମାତ୍ର ୪ ଦିନ ପରେ ଆସିବ କେନ୍ଦ୍ର ବଜେଟ୍ । ପେଡି ଖୋଲିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ କଣ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା, ଏବେ ତା ଉପରେ ସାରା ଦେଶର ନଜର । କାହିଁକି ନା ଖାଦ୍ୟ ସାମଗ୍ରୀର ଦରବୃଦ୍ଧିକୁ ନେଇ ଗରିବ ନୟାନ୍ତ ହୋଇଥିବା ବେଳେ ରୋଷେଇ ଗ୍ୟାସ୍‌ର ଦରକୁ ନେଇ ଅତିଷ୍ଠ ଗୃହିଣୀ । ଏଣେ ନିଯୁକ୍ତି ଆଶାରେ ଅନାଇ ରହିଛନ୍ତି ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ । ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଚାଷୀ, ପଛୁଆବର୍ଗ ଓ ନିମ୍ନମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ଅର୍ଥମନ୍ତ୍ରୀ ପଦକ୍ଷେପ ନେବା ଆଶା ରହିଛି ।

ଦରଦାମ ହ୍ରାସ । କଷ୍ଟୋପାର୍ଜିତ ଆୟ ଉପରେ ଟିକସ ରିହାତି । ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବୟସ୍କଙ୍କ ଲାଗି ସାମାଜିକ ସୁରକ୍ଷା । ଏଥର ସାଧାରଣ ବଜେଟ୍‌ରୁ କଣ ଆଶା କରୁଛନ୍ତି ସାଧାରଣ ଜନତ । ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ନେଇଛନ୍ତି କି କି ପଦକ୍ଷେପ, ଏବେ ତାଉପରେ କେନ୍ଦ୍ରୀଭୂତ ହୋଇଛି ଦେଶବାସୀଙ୍କ ନଜର ।

ଗତ ବର୍ଷକ ଭିତରେ ସର୍ବାଧିକ ମାଡ଼ ଖାଇଛି ରୋଷେଇ ଶାଳ । ଚାଉଳ, ଡାଲି, ଗହମ, ଅଟା, ଚିନିଠୁ ଆରମ୍ଭ କରି ଖାଇବା ତେଲ ଯାଏଁ ସବୁ ଜିନିଷର ଦରଦାମ ଆକାଶଛୁଆଁ ହୋଇଛି । ଏମିତିକି ଏଲ୍‌ପିଜି ଦାମ୍ ବି ହଜାରେ ଟପି ୧୧ ଶହ ଛୁଇଁଛି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ରୋଷେଇ ଘର ବୋଝ ହାଲୁକା କରିବା ନେଇ ଅର୍ଥମନ୍ତ୍ରୀ ସୀତାରମଣ କିଛି ଘୋଷଣା କରିବେ ବୋଲି ଅନେଇ ରହିଛନ୍ତି ଗୃହିଣୀ । ପାଠ ପଢୁଥିବା ପିଲା ଶିକ୍ଷା ଋଣରେ ସୁଧ ରିହାତି ଚାହୁଁଥିବା ବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ସୀତାରମଣ ପଦକ୍ଷେପ ନେବେ ବୋଲି ଆଶା ବାନ୍ଧି ବସିଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ ।

ମହଙ୍ଗା ମାଡ଼ ବାଧୁଥିବାରୁ ଆୟକର ଛାଡ଼ ସୀମା ବଢିବ ବୋଲି ମଧ୍ୟବିତ୍ତଙ୍କ ଆଶା ରହିଥିବା ବେଳେ ସର୍ବନିମ୍ନ ପେନ୍‌ସନ୍ ରାଶି ପରିମାଣ ବୃଦ୍ଧି ସହ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଔଷଧ ଆଦି ଉପରେ ସ୍ୱତନ୍ତ୍ର ରିହାତି ଆଶାରେ ଅଛନ୍ତି ବୟସ୍କ ବର୍ଗ ।