• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ବିଶ୍ୱ ଆଜି ମେନ୍‌ସ୍ଟ୍ରୁଆଲ ହାଇଜିନ୍‌ ଡେ’ ବା ବିଶ୍ୱ ଋତୁସ୍ରାବ ପରିଚ୍ଛନତା ଦିବସ ପାଳୁନ କରୁଛି । ମହିଳାମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଉଛି । କାରଣ ଆଜି ବି ଅନେକ ଜିଲ୍ଲାରେ ଏମିତିକି ଗାଁ ଗହଳି ବା ଉପାନ୍ତ ଅଞ୍ଚଳରେ ମହିଳାଙ୍କ ମାସିକ ଋତୁସ୍ରାବ ନେଇ ଅନ୍ଧବିଶ୍ୱାସ ରହିଛି । ଖାଲି ସେତିକି ନୁହେଁ ମହିଳାମାନେ ଏବେ ବି ମାସିକ ଋତୁସ୍ରାବ ବିଷୟରେ କଥା ହେବା ପାଇଁ ଲଜ୍ଜା ଅନୁଭବ କରନ୍ତି । ଏମିତିକି ଏସମ୍ବନ୍ଧୀୟ ଯଦି କିଛି ସମସ୍ୟା ବି ଦେଖାଯାଏ ସେନେଇ ମଧ୍ୟ ସେ କାହାକୁ କହିବା ପାଇଁ କିମ୍ବା ଡାକ୍ତରଙ୍କ ପରାମର୍ଶ ନେବାକୁ କୁଣ୍ଠାବୋଧ କରିଥାନ୍ତି । ମାସିକ ଋତୁସ୍ରାବକୁ ନେଇ ଏବେ ବି ସମାଜରେ ଅନେକ ପ୍ରକାର କୁତ୍ସିତ ଚିନ୍ତାଧାରା ରହିଛି ।

ତେବେ ଗୋଟିଏ ପଟେ ମହିଳାଙ୍କ ସଚେତନତା ପାଇଁ ସାରା ବିଶ୍ୱ ଆଜି ମେନ୍‌ସ୍ଟ୍ରୁଆଲ ହାଇଜିନ୍‌ ଡେ’ ପାଳୁନ କରୁଥିବା ବେଳେ ଜଣେ ଓଡ଼ିଆ ଝିଅଙ୍କୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ସମ୍ବଲପୁରର ଏହି ଝିଅଙ୍କ ଅଭିନବ ପ୍ରୟାସ ଏବେ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁରର ରଞ୍ଜିତା ପ୍ରିୟଦର୍ଶିନୀ ଏକ ଅଭିନବ ପ୍ରୟାସ କରିଛନ୍ତି ।

କର୍ମଜୀବୀ ମହିଳାମାନଙ୍କୁ ମାସିକ ଋତୁସ୍ରାବ ସମୟରେ ପେଡ୍ ଲିଭ୍‌ ଦିଆଯାଉ ବୋଲି ସେ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ସେ କହିଛନ୍ତି ମହିଳାମାନେ ମାସିକ ଋତୁସ୍ରାବ ସମୟରେ ଅନେକ କଷ୍ଟ ଅନୁଭବ କରିଥାନ୍ତି । ତେଣୁ ସେମାନଙ୍କୁ ଦେୟଯୁକ୍ତ ଛୁଟି ଦିଆଯାଉ । ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକରେ ଏହି ସୁବିଧା ଉପଲବ୍ଧ କରାଯାଉ ବୋଲି ସେ କହିଛନ୍ତି । ସାରା ଭାରତରେ କର୍ମକ୍ଷେତ୍ର ଗୁଡ଼ିକରେ ଏକତୃତୀୟାଂଶ ମହିଳା କର୍ମଜୀବୀ ଅଛନ୍ତି । ହେଲେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟଏଲେଟ କିମ୍ବା ବିଶ୍ରାମକକ୍ଷ ନାହିଁ । ତେଣୁ ମହିଳାଙ୍କୁ ଦେୟ ଯୁକ୍ତ ଛୁଟି ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ରଞ୍ଜିତା ଏଥିପାଇଁ ଏକ ଅନ୍‌ଲାଇନ୍‌ କ୍ୟାମ୍ପେନ୍‌ ମଧ୍ୟ ଆରମ୍ଭ କରିଛନ୍ତି । ଆଉ ତାଙ୍କ କ୍ୟାମ୍ପେନ୍‌ଟି ହେଲା ‘ସାଇନ୍‌ ମାଇଁ ପିଟିସନ୍‌’ । ସେଥିରେ ସେ କହିଛନ୍ତି ଭାରତୀୟ ସମ୍ବିଧାନରେ ଲିଖିତ ଆଇନ୍‌, ଆର୍ଟିକିଲ୍‌ ୧୫ (୩) ଏବଂ ଆର୍ଟିକିଲ୍‌ ୪୨ ଅନୁଯାୟୀ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଆଣି ମହିଳାଙ୍କୁ ଏହି ସୁବିଧା ଯୋଗାଇଦେଇପାରିବେ । ରଞ୍ଜିତା ଏବେ ଆଇନ୍‌ ପାଠ (LLM) ପଢ଼ୁଛନ୍ତି । ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ବର୍ଗରୁ ସ୍ୱାଗତ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now