• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଏସିଆ ମହାଦେଶର ସବୁଠୁ ଲମ୍ବା ସୁଡ଼ଙ୍ଗ ।

  • କାର୍ଗିଲ୍ ସୋନ୍‌ମାର୍ଗରେ ନିର୍ମାଣାଧୀନ ଜୋଜିଲା ଟନେଲ୍ ।

  • ଏଠି ଭୌଗଳିକ ସ୍ଥିତି ଯେତିକି ଜଟିଳ, ପ୍ରତିରକ୍ଷା ଓ ଅର୍ଥନୀତି ଦୃଷ୍ଟିରୁ ସେତିକି ଗୁରୁତ୍ୱପୂର୍ଣ୍ଣ । 

ନୂଆଦିଲ୍ଲୀ: ଏସିଆ ମହାଦେଶର ସବୁଠୁ ଲମ୍ବା ସୁଡ଼ଙ୍ଗ । କାର୍ଗିଲ୍ ସୋନ୍‌ମାର୍ଗରେ ନିର୍ମାଣାଧୀନ ଜୋଜିଲା ଟନେଲ୍ । ଏଠି ଭୌଗଳିକ ସ୍ଥିତି ଯେତିକି ଜଟିଳ, ପ୍ରତିରକ୍ଷା ଓ ଅର୍ଥନୀତି ଦୃଷ୍ଟିରୁ ସେତିକି ଗୁରୁତ୍ୱପୂର୍ଣ୍ଣ । ସୀମାରେ ଚୀନ୍‌ର ହରକତକୁ କଡ଼ା ଚ୍ୟାଲେଞ୍ଜ ଦେବା ହେଉ, ସୀମାରେ ସାମରିକ ଭିତ୍ତିଭୂମି ସୁଦୃଢ଼ କରିବା ଓ ଗମନାଗମନ ସୁଗମ କରିବା ହେଉ, ଅବା ଶୀତ ଋତୁରେ ଭାରତର ମୂଳ ଭୂଖଣ୍ଡଠୁ ବିଚ୍ଛିନ୍ନ ହୋଇଯାଉଥିବା ଲେହ-ଲଦାଖକୁ ଯୋଡିବା । ସାମରିକ ଓ ଅର୍ଥନୈତିକ ଦୃଷ୍ଟି କୋଣରୁ ଭାରତ ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ନଭେମ୍ବରରୁ ଏପ୍ରିଲ ଭୀଷଣ ତୁଷାରପାତ ଯୋଗୁଁ ୬ ମାସ ଧରି ବରଫ ଚାଦର ତଳେ ଲୁଚି ରହେ ଏହି ଅଞ୍ଚଳ । ସମ୍ପୂର୍ଣ୍ଣ ଠପ୍ ପଡ଼ିଯାଏ କାର୍ଗିଲ-ଲଦାଖ ରାସ୍ତା ।  କେବଳ ଆକାଶମାର୍ଗ ହିଁ ବନିଯାଏ ଯାତାୟାତର ଏକମାତ୍ର ମାଧ୍ୟମ । ତେଣୁ ଜରୁରୀ ସ୍ଥିତିରେ ସୀମାରେ ସେନା ମୁତୟନ କରିବା ଏବଂ ସେମାନଙ୍କ ନିକଟରେ ଯୁଦ୍ଧାସ୍ତ୍ର ଓ ଖାଦ୍ୟସାମଗ୍ରୀ ପହଞ୍ଚାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଯାଏ । ଏଭଳି ସ୍ଥିତିରେ ଏହି ୩୩ କିଲୋମିଟର ଦୀର୍ଘ ଟୁଇନ୍-ଟ୍ୟୁବ୍ ଟନେଲ୍ ହିଁ ସୃଷ୍ଟି କରିବ ନୂଆ ବିକଳ୍ପ । ଏସିଆର ସବୁଠୁ ଲମ୍ବା ଟନେଲ୍‌ର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନିତିନ୍ ଗଡ଼କରୀ ।

କେବଳ ସେନା କି ସାମରିକ ସାମଗ୍ରୀ ପରିବହନ ନୁହେଁ, ସାଧାରଣ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ହି ଆଶୀର୍ବାଦ ସାବ୍ୟସ୍ତ ହେବ ଏହି ଦୀର୍ଘ ସୁଡ଼ଙ୍ଗ । ଶ୍ରୀନଗରରୁ ଯାତ୍ରୀ ଏହି ଟନେଲ୍ ଦ୍ୱାରା ଖୁବ୍ ଶୀଘ୍ର ଓ ସୁରକ୍ଷିତ ଭାବେ ଲଦାଖ ପହଞ୍ଚିବେ । ଏହି ଟନେଲ୍ ନିର୍ମାଣ ସରିଲେ ଭାରତ-ଚୀନ ଓ ଭାରତ-ପାକିସ୍ତାନ ସୀମା ମଧ୍ୟ ନିକଟତର ହୋଇଯିବ । ବାଲ୍‌ଟାଲ୍‌ରୁ ମିନାମାର୍ଗ ପର୍ଯ୍ୟନ୍ତ ଦୂରତା ୪୦ କିଲୋମିଟରରୁ ୧୩ କିଲୋମିଟରକୁ ହ୍ରାସ ପାଇବ । ଦୁଇ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରେ ଯାତ୍ରା ସମୟ ମଧ୍ୟ ପ୍ରାୟ ଦେଢଘଣ୍ଟା କମିଯିବ ।

୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି । ଏନ୍ଏଚ୍-୧ ଜମ୍ମୁକଶ୍ମୀର ସୋନମାର୍ଗରୁ ବାହାରି ଲଦାଖରୁ ମିନମାର୍ଗକୁ ଏହା ସଂଯୋଗ କରିଛି । ଏହି ମଧ୍ୟରେ ୧୩.୨ କିଲୋମିଟର ଲମ୍ବର ରହିଛି ଜୋଜିଲା ଟନେଲ୍ । ସମୁଦ୍ରପତନରୁ ୮ ହଜାର ୫ ଶହ ଫୁଟ୍ ଉଚ୍ଚରେ ରହିଛି ଜୋଜିଲା ପାସ୍ । ଟନେଲ ନିର୍ମାଣ ସରିଲା ପରେ ଶ୍ରୀନଗର-ଅଲ୍ ବଦର ରୋଡ୍ ଖୋଲିଯିବ । ପ୍ରାଥମିକ ପର୍ଯ୍ୟାୟରେ ୨୦୨୩ରେ ଏହି ରାସ୍ତା ଖୋଲିଯିବାର ସମୟ ଧାର୍ଯ୍ୟ ହୋଇଥିଲା । ଏବେ କିନ୍ତୁ ୨୦୨୨ ଡିସେମ୍ବର ସୁଦ୍ଧା ଖୋଲି ଦିଆଯିବ ବୋଲି କୁହାଯାଇଛି ।

ହାଇଦ୍ରାବାଦ ସ୍ଥିତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଏହି ଟନେଲର ନିର୍ମାଣ କରୁଛି । ଅକ୍ଟୋବର ୨୦୨୦ରେ ଟନେଲ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାର ପ୍ରକଳ୍ପ ଶେଷ ହେଲେ ଶ୍ରୀନଗର-ଲଦାଖ ମଧ୍ୟରେ ବର୍ଷ ତମାମ ଗମନାଗମନ ସୁଗମ ହେବ । ଏହି ଟନେଲ୍ ୧ ନମ୍ବର ଜାତୀୟ ରାଜପଥର ଜେଡ୍ ମୋଡ୍ ଏବଂ ଜୋଜିଲା ଘାଟ୍‌କୁ ସଂଯୋଗ କରୁଛି । ଯାହା ସୋନମାର୍ଗ ଏବଂ କାର୍ଗିଲ ଦେଇ ଯାଉଛି । ଟୁ-ଟ୍ୱିନ୍ ଟ୍ୟୁବ୍ ଟନେଲ୍ ମଧ୍ୟରେ ଦୁଇଟି ସ୍ନୋ ଗ୍ୟାଲେରି ରହିଛି । ଏହା ସହ ଏହି ଟନେଲ୍ ମଧ୍ୟରେ ଭେଣ୍ଟିଲେଟର ସିଷ୍ଟମ, ୨୪ ଘଣ୍ଟିଆ ବିଦ୍ୟୁତ ସେବା, ଏମରଜେନ୍ସି ଲାଇଟିଂ, ସିସିଟିଭି ମନିଟରିଂ, ଟ୍ରାଫିକ୍, ଟନେଲ୍ ରେଡିଓ ସିଷ୍ଟମର ବ୍ୟବସ୍ଥା କରାଯାଇଛି ।