/odishatv-khabar/media/post_attachments/uploadimage/library/16_9/16_9_0/Amit_Shah_1728313724.jpg)
Amit Shah
୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବ ମାଓ ସମସ୍ୟା । ଦିଲ୍ଲୀରେ ମାଓ ମୁକାବିଲା ସମୀକ୍ଷା ବୈଠକରେ ଆଜି ପୁଣି ଏ ଟାର୍ଗେଟ୍କୁ ଦୋହରାଇବା ସହ ନକ୍ସଲ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଟାସ୍କ ବି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଦେଶକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବାକୁ ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ।
ଅପରପକ୍ଷେ ରାଜ୍ୟରେ ମାଓମୁକ୍ତ ଅପରେସନକୁ ତୀବ୍ର କରିବାକୁ ଓଡ଼ିଶା ପକ୍ଷରୁ ୧୨ କଂପାନୀ CAPF ଓ ହେଲିକପ୍ଟର ମଗାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମିଶନ୍ ୨୬ ର ଦମ୍ଭୋକ୍ତି ଦୋହରାଇଲେ... ରୋଡମ୍ୟାପ୍ ବତେଇଲେ । ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କୁ ଟାସ୍କ ବି ଦେଲେ । ନୂଆଦିଲ୍ଲୀରେ ମାଓ ମୁକାବିଲା ସମୀକ୍ଷା ବୈଠକରେ ଆଜି ଏମିତି ଢଙ୍ଗରେ ଦେଶକୁ ମାଓ ସମସ୍ୟାରୁ ମୁକ୍ତି ଦେବାର ମନ୍ତ୍ର ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ।
କହିଛନ୍ତି ବାମପନ୍ଥୀ ଉଗ୍ରବାଦ ଏବେ ଶେଷ ଚରଣରେ ପହଞ୍ଚିଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରେ ମାଓ ସମସ୍ୟାର ମୂଳୋତ୍ପାଟନ ଦିଗରେ କେବଳ ଯାହା ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି । ଛତିଶଗଡ଼ ଉଦାହରଣ ରଖି କହିଥିଲେ, ରଣନୀତି ମୁତାବକ ଜାନୁଆରୀରୁ ଏଯାଏଁ ସେଠି ମୋଟ ୧୯୪ ନକ୍ସଲଙ୍କୁ ନିପାତ କରାଗଲାଣି, ୮୦୧ ନକ୍ସଲ ଗିରଫ ଏବଂ ୭୪୨ ଜଣ ଆତ୍ମସମର୍ପଣ କଲେଣି ।
ଦେଶରେ ଏବେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୯୬ରୁ ୧୬କୁ ଖସିଆସିଛି । ତେଣୁ ଫାଇନାଲ୍ ପୁସ୍ ଦେଇ ଏବେ ଏହାକୁ ଶେଷ କରିବାକୁ ପଡ଼ିବ । ଆଇଡୋଲୋଜି ନାଁରେ ଆଉ ହତ୍ୟା ହେବନାହିଁ ବୋଲି ସଂକଳ୍ପ ନେବାକୁ ପଡ଼ିବ ବୋଲି କହି ନକ୍ସଲମାନଙ୍କୁ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଶାହ ।
ସେହିପରି ମାଓ ଉପଦ୍ରୁତ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ବି ଜୋର ଦେଇଛନ୍ତି । ଏଥିସହ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମାସକୁ ଥରେ ଲେଖାଏଁ ଏବଂ ଡିଜିପିମାନେ ପ୍ରତି ୧୫ ଦିନରେ ଥରେ ନକ୍ସଲ ମୁକାବିଲା ସ୍ଥିତିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଜିଲ୍ଲାସ୍ତରରେ ଡିଜିପିମାନେ ମାସକୁ ଥରେ ପ୍ରଭାବିତ ଅଞ୍ଚଳକୁ ଯାଇ ରାତ୍ରିଯାପନ କରିବାକୁ ବି ପରାମର୍ଶ ଦେଇଛନ୍ତି ।
ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ୩୧ ନକ୍ସଲ ନିପାତ ଘଟଣାର ମାତ୍ର ୩ଦିନ ପରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ଓଡ଼ିଶା, ଛତିଶଗଡ଼ ସମେତ ନକ୍ସଲ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟରେ ମାଓ ଅପରେସନକୁ ତୀବ୍ର କରିବାକୁ କେନ୍ଦ୍ର ପାଖରେ ୧୨ କଂପାନୀ ସିଏପିଏଫ୍ ଓ ହେଲିକପ୍ଟର ପାଇଁ ଦାବି କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଯଦିଓ ରାଜ୍ୟରେ ସେଭଳି ମାଓପ୍ରଭାବ ନାହିଁ, ପଡ଼ୋଶୀ ଛତିଶଗଡ଼ରେ ନକ୍ସଲ ଅପରେସନ ଯୋଗୁଁ ସେଠାକାର ନକ୍ସଲ ଓଡ଼ିଶାକୁ ପଶି ଆସିବାର ଆଶଙ୍କା ରହିଛି । ସେ ଦୃଷ୍ଟିରୁ ସେମାନଙ୍କ ମୁକାବିଲା ପାଇଁ ଫୋର୍ସ ସାଙ୍ଗକୁ ବିକାଶମୂଳକ କାମ ପାଇଁ ସହଯୋଗ ଚାହିଁଛି ଓଡ଼ିଶା । ଦେଶରେ ନକ୍ସଲ ବିରୋଧୀ ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡ଼ରେ ଥିବା ବେଳେ ପ୍ରଭାବିତ ଅଞ୍ଚଳସବୁ କେବେ ବିକାଶର ମୁଖ୍ୟ ଧାରାକୁ ଫେରୁଛନ୍ତି ଏବେ ତା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)