• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୋଦିଙ୍କ ମନ୍ କି ବାତ୍‌ରେ ଆଜି ସ୍ଥାନ ପାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା କଥା । ମୋଦି କହିଛନ୍ତି, ଏହା ଏମିତି ଏକ ଯାତ୍ରା ଯେଉଁଥିରେ ଶ୍ରଦ୍ଧାଳୁଙ୍କ ଗହଣକୁ ଯାଇଥାନ୍ତି ମହାପ୍ରଭୁ । ସାରା ବିଶ୍ୱର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇ ସୌଭାଗ୍ୟପ୍ରାପ୍ତି କରିବାକୁ ପ୍ରୟାସ କରିଥାନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ, ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବାକୁ ସୁଯୋଗ ମିଳିଥିଲା ବୋଲି ସେ ମନ୍‌ କି ବାତ୍‌ରେ କହିଛନ୍ତି । ଏହି ଅବସରରେ ସେ ଅଲିମ୍ପିଆନ ନିରଜ ଚୋପ୍ରା ଓ ମହିଳା କ୍ରିକେଟର ମିତାଲି ରାଜଙ୍କ ଅବସର କଥା ବି କହିଛନ୍ତି ।

ଖାଲି ସେତିକି ନୁହେଁ ଦେଶର ଜରୁରୀକାଳୀନ ପରିସ୍ଥିତି କଥା ବି ଉଠାଇଥିଲେ ମୋଦି । ସେ ୧୯୭୫ରେ ହୋଇଥିବା ଏମରଜେନ୍‌ସିକୁ କଡ଼ା ସମାଲୋଚନା କରିଥିଲେ । ନାଗରିକଙ୍କ ଅଧିକାର ଛଡ଼ାଇ ଗଣତନ୍ତ୍ରକୁ ଚାପିବାକୁ ଉଦ୍ୟମ ହୋଇଥିଲା ବୋଲି ମୋଦି କହିଥିଲେ । ତଥାପି ଗଣତନ୍ତ୍ର ଉପରୁ ଲୋକଙ୍କ ଭରସା ହଟିନଥିଲା ଏବଂ ଲୋକେ ଗଣତନ୍ତ୍ର ଉପାୟରେ ସ୍ୱେଚ୍ଛାଚାରକୁ ହରାଇଥିଲେ । ଜରୁରୀକାଳୀନ ସ୍ଥିତିର ସେହି ଭୟାନକ ସମୟକୁ ଭୁଲିବା ଉଚିତ୍ ନୁହେଁ ବୋଲି ମନ୍‌ କି ବାତ୍‌ରେ କହତିଛନ୍ତି ମୋଦି ।

ଅନ୍ୟପଟେ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପାଟଦେଇ ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷ । ସାରା ଦେଶର ବିଭିନ୍ନ ପ୍ରସଙ୍ଗକୁ ଏକାଠି କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଜଣାଇଥାନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଆମ ଦେଶର ସଂସ୍କୃତି, ପରମ୍ପରା ଓ ଏକତାର କଥା କହିଥାନ୍ତି ବୋଲି ଦିଲୀପ ଘୋଷ କହିଛନ୍ତି । ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ସମେତ ବହୁ କର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ଏପଟେ ଭୁବନେଶ୍ୱର ମଞ୍ଚେଶ୍ୱର ବନବାସୀ ଆଶ୍ରମରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ ବାର୍ତ୍ତା ଶୁଣିଛନ୍ତି । ସେହିପରି ଭୁବନେଶ୍ୱର ୨୯ ନମ୍ବର ୱାର୍ଡ ନିକୋ ପାର୍କ ଛକରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦିଙ୍କ ମନ୍ କି ବାତ ଶୁଣିଥିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଅନେକ ବିଜେପି ନେତା ।