• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ପୁଣି ଜଳିଲା ହିଂସା ଓ ଅଶାନ୍ତିର ନିଆଁ । ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ପରେ ଦେଖାଦେଇଛି ଉତ୍ତେଜନା । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଣି ଜାରି ହେଲା କର୍ଫ୍ୟୁ । ସୂଚନା ଅନୁସାରେ, ଥୌବଲ୍ ଜିଲ୍ଲାର ଲିଲୋଙ୍ଗ୍-ଚିଙ୍ଗଜାଓ ଅଞ୍ଚଳରେ କିଛି ବନ୍ଧୁକଧାରୀ ପହଞ୍ଚି ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ।

ଏଥିରେ ଘଟଣାସ୍ଥଳରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ, ୫ ଜଣ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାପରେ ଉତ୍ୟକ୍ତ ସ୍ଥାନୀୟ ଲୋକେ କିଛି ଯାନବାହାନରେ ନିଆଁ ଲଗାଇ ଦେଇଥିଲେ । ଘଟଣାସଂପର୍କରେ ଖବର ପାଇ, ତୁରନ୍ତ ଥୌବଲ, ଇମ୍ଫାଲ୍ ଇଷ୍ଟ ଓ ୱେଷ୍ଟ, କାକଚିଙ୍ଗ୍ ଏବଂ ବିଷ୍ଣୁପୁର ଜିଲ୍ଲାରେ ପୁଣି ଥରେ କର୍ଫ୍ୟୁ ଲାଗୁ ହୋଇଛି ।

ଗୁଳି ଚଳାଇଥିବା ଦୁର୍ବୃତ୍ତଙ୍କୁ ଖୋଜା ଚାଲିଛି । ଏଥିସହ ଲୋକଙ୍କୁ ଶାନ୍ତି ରକ୍ଷା କରିବାକୁ ଅପିଲ୍ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ । ତେବେ ଗତବର୍ଷ ମେ ମାସ ଠାରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସାକାଣ୍ଡରେ ୧୮୦ ଲୋକଙ୍କ ଜୀବନ ଗଲାଣି । ଗତ ବର୍ଷ ମଣିପୁରରେ ଘଟିଥିବା ହିଂସା ଓ ଏହାର ପ୍ରତିଫଳ ସ୍ୱରୂପ ଦୁଇ ଜଣ ମହିଳାଙ୍କ ଉପରେ କରା ଯାଇଥିବା ଅକଥନୀୟ ଅତ୍ୟାଚାର ପୁରା ବିଶ୍ୱକୁ ଦୋହଲାଇ ଦେଇଥିଲା ।

ଭାରତର ସମ୍ମାନ ମାଟିରେ ମିଶି ଯାଇଥିଲା । ଲଜ୍ଜା ଓ ଅପବାଦରେ ସଭ୍ୟ ମଣିଷର ମୁଣ୍ତ ନଇଁ ଯାଇଥିଲା । ଏହା ପରେ ପରେ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଉଗ୍ର ରୂପ ନେଇଥିଲା । କୁଜି ଓ ମୈତେଇ ସମୁଦାୟଙ୍କ ଝଗଡ଼ାରେ ମହିଳାଙ୍କର ଆତ୍ମ ସମ୍ମାନ ବଳି ପଡ଼ିଥିଲା । ଖୋଲା ବଜାରରେ ନିଲାମ ହୋଇଥିଲା ଇଜ୍ଜତ । ଦୁଇ କୁଜି ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ କରାଯାଇ ରାସ୍ତାରେ ଚଲା ଯାଇଥିଲା । ଭିଡ଼ିଓ ଭାଇରାଲ ହେବା ପରେ ହତବାକ ହୋଇ ପଡ଼ିଥିଲା ପୁରା ରାଷ୍ଟ୍ର ।