Advertisment

Manipur violence: ଦୁଇ ମହିଳାଙ୍କୁ ବିବସ୍ତ୍ର କରି ଚଲାଇବା ଘଟଣା, CBI କରିବ ତଦନ୍ତ

ରାଜ୍ୟ ବାହାରେ ହୋଇପାରେ ମାମଲାର ଶୁଣାଣି । ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ କେନ୍ଦ୍ର ସରକାର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Manipur Violence

Manipur Violence

ମଣିପୁରରେ ଦୁଇ ଜଣ ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ଚଲାଇବା ଘଟଣାର ତଦନ୍ତ କରିବ ସିବିଆଇ। ଗୃହ ମନ୍ତ୍ରାଳୟ ପକ୍ଷରୁ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାଛଡ଼ା ରାଜ୍ୟ ବାହାରେ ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଅନୁରୋଧ କରିବେ ବୋଲି ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ମହିଳାଙ୍କୁ ବିବସ୍ତ୍ର କରି ଯେଉଁ ମୋବାଇଲରେ ଭିଡ଼ିଓ ଉଠାଯାଇଥିଲା, ସେହି ମୋବାଇଲ ଜବତ ହୋଇସାରିଛି। ଏପରିକି ଭିଡ଼ିଓ ସୁଟ୍ କରିଥିବା ବ୍ୟକ୍ତିଙ୍କୁ ବି ଗିରଫ କରିସାରିଛି ପୋଲିସ। ସେପଟେ କେନ୍ଦ୍ର ପକ୍ଷରୁ ମଣିପୁରର କୁକି ଏବଂ ମୈତେଇ ସଂପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ମଣିପୁରରେ କିଭଳି ସ୍ଥିତି ଫେରାଇ ଅଣାଯାଇପାରିବ, ସେନେଇ ଘନ ଘନ ଆଲୋଚନା ଜାରି ରଖିଛନ୍ତି କେନ୍ଦ୍ର ସରକାର। ଏହି ୨ ସଂପ୍ରଦାୟ ମଧ୍ୟରେ ବଫର୍ ଜୋନ ତିଆରି କରାଯାଇଥିବା ମଧ୍ୟ କୁହାଯାଉଛି ।

ଅନ୍ୟପଟେ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ନିୟମିତ ପ୍ରୟାସ କରୁଛନ୍ତି। ଏଥିପାଇଁ ସେମାନେ ଉଭୟ କୁକି ଓ ମୈତେଇ ସଂପ୍ରଦାୟର ନେତାମାନଙ୍କ ସହ ଯୋଗାଯୋଗାରେ ରହିଛନ୍ତି। ଦୁଇ ସଂପ୍ରଦାୟର ଲୋକଙ୍କୁ ବୁଝାମଣା ଟେବୁଲକୁ ଆଣିବା ପାଇଁ ଗୁରୁତ୍ୱ ଦିଆଯାଉଛି।

Advertisment

ଆପୋଷ ବୁଝାମଣା ପାଇଁ ସରକାର ଚେଷ୍ଟା କରୁଥିଲେ ହେଁ ଦୁଇ ପକ୍ଷ ଏଯାଏ ଏକମତ ହୋଇ ପାରି ନାହାନ୍ତି। ତଥାପି ସରକାର ଖୁବଶୀଘ୍ର ସମାଧାନର ରାସ୍ତା ବାହାରିବ ବୋଲି ଆଶା ରଖି ଦୁଇ ପକ୍ଷଙ୍କୁ ବୁଝାସୁଝା କରୁଥିବା ଏହି ସୂତ୍ରରେ କୁହାଯାଇଛି।

ଆଉ ଏକ ତଥାକଥିତ ସୂତ୍ରରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ବ୍ୟକ୍ତିଗତ ଭାବେ ମଣିପୁରର ପ୍ରତିଟି ଘଟଣାର ସମୀକ୍ଷା କରୁଛନ୍ତି। ତାଙ୍କୁ ଅଧିକାରୀମାନେ ମଣିପୁର ସ୍ଥିତି ସମ୍ପର୍କରେ କ୍ରମାଗତ ଅପଡେଟ ଦେଉଛନ୍ତି। ନିକଟରେ ଅଧିକାରୀମାନେ ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ୩ ଥର ମଣିପୁର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ବୋଲି କୁହାଯାଇଛି।

ମଣିପୁରରେ ଏବେ ବି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ହିଂସା ଦେଖିବାକୁ ମିଳିଛି। ଏଥିପାଇଁ ପ୍ରଶାସନ ଆର୍ମି, ସିଆରପିଏଫ ଓ ସିଏପିଏଫର ଅତିରିକ୍ତ ୩୫ ଶହ ଯବାନଙ୍କୁ ମୁତୟନ କରିଛି। ସୁରକ୍ଷାକର୍ମୀମାନେ ମୈତେଇ ଓ କୁକି ସଂପ୍ରଦାୟର ଲୋକଙ୍କ ପାଇଁ ଗୋଟିଏ ବଫର ଜୋନ ମଧ୍ୟ ତିଆରି କରିଛନ୍ତି।

ହିଂସାରୁ ଫାଇଦା ଉଠାଇବା ପାଇଁ ପଡ଼ୋଶୀ ମିଆଁମାରରେ ଥିବା ବିଦ୍ରୋହୀ ପ୍ରବେଶ କରିବାର ଆଶଙ୍କା ରହିଛି। ଏଥିପାଇଁ ଭାରତ-ମିଆଁମାର ସୀମାରେ ବାଡ଼ ଲଗାଇବା ବ୍ୟବସ୍ଥା କରାଯାଇଛି। ସେହିପରି ମିଜୋରାମ-ମଣିପୁର ସୀମାରେ ମଧ୍ୟ ସମାନ କାମ ଚାଲିଛି। ସର୍ଭେ କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।

Riots Violence Manipur
Advertisment
Advertisment