Road Accident: ଅଧାରେ ରହିଲା ମହାକୁମ୍ଭ ଯାତ୍ରା, ବୋଲେରୋ-ବସ୍ ଧକ୍କାରେ ୧୦ ଶ୍ରଦ୍ଧାଳୁ ମୃତ, ୧୯ ଗୁରୁତର

ମହାକୁମ୍ଭରେ ବୁଡ ପକାଇବାକୁ ଯିବା ବାଟରେ ଭୟଙ୍କର ଦୁର୍ଘଟଣା । ବୋଲେରୋ ସହ ମୁହାଁମୁହିଁ ଧକ୍କା ହେଲା ବସ୍ । ଚାଲିଗଲା ୧୦ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଦୁର୍ଘଟଣାରେ ୧୯ ଯାତ୍ରୀ ଗୁରୁତର ଆହତ ।

ପ୍ରୟାଗରାଜରେ ବଡ ଦୁର୍ଘଟଣା

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଭୟଙ୍କର ସଡକ ଦୁର୍ଘଟଣା । ମହାକୁମ୍ଭରେ ବୁଡ ପକାଇବାକୁ ଯିବା ବାଟରେ ବୋଲେରୋକୁ ଧକ୍କା ଦେଲା ବସ୍ । ଘଟଣାସ୍ଥଳରେ ଚାଲିଗଲା ୧୦ ଶ୍ରଦ୍ଧାଳୁଙ୍କ ଜୀବନ ।  ଗତକାଲି ବିଳମ୍ବିତ ରାତିରେ ପ୍ରୟାଗରାଜ-ମିର୍ଜାପୁର ହାଇୱେରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୧୯ ଜଣ ଯାତ୍ରୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରୁ ମହାକୁମ୍ଭକୁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ; ୮୦ ଆହତ

ସୂଚନା ମୁତାବକ, ମୃତ ଶ୍ରଦ୍ଧାଳୁମାନେ ଛତିଶଗଡ କୋରବା ଜିଲ୍ଲାର । ମହାକୁମ୍ଭରେ ବୁଡ ପକାଇବାକୁ ସେମାନେ ବୋଲେରୋ ଯୋଗେ ପ୍ରୟାଗରାଜ ଆସୁଥିଲେ । ବୋଲେରୋରେ ମୋଟ ୧୦ ଜଣ ଶ୍ରଦ୍ଧାଳୁ ଥିଲେ । ଗତକାଲି ରାତିରେ ପ୍ରୟାଗରାଜ-ମିର୍ଜାପୁର ହାଇୱେ ହଠାତ୍ ଏକ ଯାତ୍ରୀବାହୀ ବସ୍ ସହିତ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ବୋଲେରୋରେ ଥିବା ସମସ୍ତ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । 

ସେହିପରି ଏହି ଦୁର୍ଘଟଣାରେ ବସରେ ଯାତ୍ରା କରୁଥିବା ୧୯ ଜଣ ଯାତ୍ରୀ ଗୁରୁତର ରହିଛନ୍ତି । ଏମାନଙ୍କ ଘର ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲାରେ । ସମସ୍ତେ କୁମ୍ଭରେ ବୁଡ ପକାଇ ବାରଣାସୀ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଅଧିକ ପଢ଼ନ୍ତୁ: ୯୦ ଦିନରେ ୬୯ ଦୁର୍ଘଟଣା କରିଛି ମୋ ବସ, ଚକା ତଳେ ଗଲାଣି ଏକାଧିକ ଜୀବନ