• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

PMଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ଅଭିଯୋଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଭଟିଣ୍ଡା ବିମାନନ୍ଦରରୁ ଫିରୋଜପୁର ଅଭିମୁଖେ ସଡ଼କ ପଥରେ ଯାଉଥିବା ବେଳେ ଅଧା ରାସ୍ତାରେ ତାଙ୍କ କାରକେଡକୁ କିଛି ଆନ୍ଦୋଳନକାରୀ ଅଟକାଇ ରଖିଥିଲେ । ଫଳରେ ୧୫ରୁ ୨୦ ମିନିଟ୍ ଯାଏଁ ପ୍ରଧାନମନ୍ତ୍ରୀ ରାସ୍ତାରେ ଅଟକି ରହିବା ପରେ ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ପୁଣି ଭଟିଣ୍ଡା ବିମାବନ୍ଦରକୁ ଫେରି ଆସିଥିଲେ । ଏହି ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପିଏମଙ୍କ ସୁରକ୍ଷାରେ ଏହାକୁ ଗୁରୁତର ତ୍ରୁଟି ବୋଲି ଦର୍ଶାଇ ରାଜ୍ୟ ସରକାରଙ୍କଠୁ ରିପୋର୍ଟ ମାଗିଛି ।

କାରଣ ଅଧା ରାସ୍ତାରେ ଅଟକି ରହିଲେ ଦେଶର ପ୍ରଧାନମନ୍ତ୍ରୀ । ରାସ୍ତା ଉପରେ ହଠାତ ଆନ୍ଦୋଳନକାରୀଙ୍କ ହରକତ ପାଇଁ ୧୫ରୁ ୨୦ ମିନିଟ ଧରି ଅଟକି ରହିଲା ପିଏମ୍‌ଙ୍କ କାଭାଲକେଡ୍ । କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂଚନା ଦେଇଛି ଯେ, ପ୍ରଧାନମନ୍ତ୍ରୀ ଆଜି ଭଟିଣ୍ଡା ବିମାନବନ୍ଦରୁ ସଡ଼କ ପଥରେ ହୁସେନିଓ୍ୱାଲାସ୍ଥିତ ଜାତୀୟ ସହିଦ ସ୍ମୃତିସ୍ଥଳକୁ ଯାଉଥିଲେ । ତେବେ ତାଙ୍କ କାଭାଲକାଡ ଯିବା ବେଳେ ଏକ ଫ୍ଲାଇ ଓଭର ଉପରେ ହଠାତ ରାସ୍ତାରୋକ କରିଥିଲେ କିଛି ଆନ୍ଦୋଳନକାରୀ ।

ଫଳରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ବହୁ ସମୟ ଧରି ଅଟକି ରହିଥିଲା । ପ୍ରାୟ ୧୫ରୁ ୨୦ ମିନିଟ ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ ଆଉ ଗନ୍ତବ୍ୟ ସ୍ଥଳକୁ ନଯାଇ ପୁଣି ଭଟିଣ୍ଡା ବିମାନବନ୍ଦର ଫେରି ଆସିଥିଲେ । ପ୍ରଧାନମନ୍ତ୍ରୀଙ୍କ ଭଳି ଦେଶର ସର୍ବୋଚ୍ଚ ଭିଭିଆଇପିଙ୍କ ସୁରକ୍ଷାରେ ଏଭଳି ତ୍ରୁଟି ସମ୍ପର୍କରେ ପଞ୍ଜାବ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିପାଇଁ ପାଇଁ ଦାୟୀ କିଏ ଏବଂ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ ।

ଏହି ଘଟଣା ପରେ ଗୃହ ମନ୍ତ୍ରାଳୟ ଏକ ବିବୃତ୍ତିରେ ଦର୍ଶାଇଛି ଯେ, କଣ୍ଟିଜେନ୍ସି ପ୍ଲାନ୍ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାଜ୍ୟ ସରକାର ଅତିରିକ୍ତ ବାହିନୀ ମୁତୟନ କରିବା କଥା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ତାଙ୍କ ଗସ୍ତସୂଚୀ ନେଇ ପଞ୍ଜାବ ସରକାରଙ୍କୁ ଯଥେଷ୍ଟ ଆଗରୁ ଜଣାଇ ଦିଆଯାଇଥିଲା । ରାଜ୍ୟ ପୋଲିସ ପକ୍ଷରୁ ଏଥିପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାକୁ ଥିଲେ ବି ସେଭଳି କିଛି ହୋଇନଥିଲା । ଏପଟେ ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏଭଳି ତ୍ରୁଟି ପାଇଁ ପଞ୍ଜାବ ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ନେତା ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରମୁଖ ସିଧାସଳଖ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନ ସିଂ ଚନ୍ନିଙ୍କୁ ଦାୟୀ କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଆଦୌ ତ୍ରୁଟି ହୋଇନଥିବା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ପୂର୍ବରୁ ହେଲିକପ୍ଟର ଯୋଗେ ନିର୍ଦ୍ଧାରିତ ଥିବା ପିଏମଙ୍କ ଗସ୍ତ ସୂଚୀ ହଠାତ ସଡ଼କ ପଥରେ ପରିବର୍ତ୍ତନ ହୋଇଥିଲା । ତେଣେ ମୋଦିଙ୍କ ପ୍ରସ୍ତାବିତ ରାଲିରେ ଲୋକ ହୋଇନଥିବାରୁ ସେ ରାଲିକୁ ବାତିଲ କରିଥିବା ପାଲଟା ଅଭିଯୋଗ ବି ଆଣିଛନ୍ତି ଚରଣଜିତ ସିଂ ଚନ୍ନି ।

ଶତ୍ରୁଦେଶକୁ ଲାଗିଥିବା ସୀମାନ୍ତ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଏଭଳି ଗମ୍ଭୀର ତ୍ରୁଟି ପରେ ଆରମ୍ଭ ହୋଇଯାଇଛି କେନ୍ଦ୍ର ଓ ପଞ୍ଜାବ ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ । ଏପଟେ ଘଟଣା ପରେ ଭଟିଣ୍ଡା ଏୟାରପୋର୍ଟ ଛାଡ଼ିବା ପୂର୍ବରୁ ନିଜେ ମୋଦି ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ, ମୁଁ ଭଟିଣ୍ଡା ବିମାନବନ୍ଦର ଯାଏଁ ଜୀବନ ନେଇ ଫେରିଆସିଲି ବୋଲି ଏୟାରପୋର୍ଟରେ ଉପସ୍ଥିତ ପଂଜାବ ସରକାରଙ୍କ ଅଧିକାରୀଙ୍କୁ କହିଥିବା ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି ।