• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଶିଳ୍ପ ବାଦଶାହ ରତନ ଟାଟାଙ୍କୁ ମିଳୁ ଭାରତ ରତ୍ନ ସମ୍ମାନ । ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିବ ମହାରାଷ୍ଟ୍ର । ଏ ସମ୍ପର୍କୀତ ଏକ ପ୍ରସ୍ତାବକୁ ଆଜି ମହାରାଷ୍ଟ୍ର କ୍ୟାବିନେଟରେ ଏକ ରିଜୋଲୁସନ୍ ପାସ୍ ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରତନ ଟାଟାଙ୍କୁ ପୂର୍ବରୁ ପଦ୍ମ ବିଭୁଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଦେଶର ଏହି ସର୍ବୋଚ୍ଚ ବେସାମାରିକ ସମ୍ମାନ ଭାରତ ରତ୍ନ ମିଳିବା ନେଇ ପୂର୍ବରୁ ମଧ୍ୟ ଅନେକ ଥର ଦାବି ଉଠିଛି ।

ସେପଟେ ରତନ ଟାଟାଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହେଉଛି । ମୁମ୍ବାଇ NCPA ଗ୍ରାଉଣ୍ଡରେ ଶିଳ୍ପ ବାଦଶାହ ରତନ ଟାଟାଙ୍କୁ ଶେଷ ଦର୍ଶନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଶେଷ ଦର୍ଶନ ସହ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅମିତ ଶାହ । ଅପରାହ୍ନ ୪ଟା ପରେ ୱର୍ଲିରେ ରତନ ଟାଟାଙ୍କ ଅନ୍ତିମ ସଂସ୍କାର ହେବ।

ସୂଚନା ଅନୁସାରେ ଗତକାଲି କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ହୋଇଥିଲା । ୮୬ ବର୍ଷ ବୟସରେ ଆଖି ବୁଜିଥିଲେ ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ, ସୋସିଆଲ ମିଡିଆରେ ଏହାକୁ ଖଣ୍ଡନ କରିଥିଲେ ନିଜେ ରତନ ଟାଟା ।

ତେବେ ଗତକାଲି ସେ ଆଇସିୟୁରେ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ନିଜର ଅମାୟିକ ବ୍ୟକ୍ତିତ୍ବ, ସରଳ ଜୀବନଶୈଳୀ, ମେଳାପି ସ୍ବଭାବ ଏବଂ ବଦାନ୍ୟତା ପାଇଁ ପରିଚିତ ଥିଲେ ରତନ ଟାଟା । ୧୯୬୧ରେ ସେ ପ୍ରଥମେ ଟାଟାଷ୍ଟିଲରେ ଯୋଗ ଦେଇଥିଲେ ଏବଂ ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ଟାଟା ସନ୍ସ ଚେୟାରମ୍ୟାନ୍ ବନିଥିଲେ । ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର ।

OTV is now on Whatsapp

Join and get latest news update delivered to you via whatsapp

Join Now