• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ସମସ୍ତଙ୍କର କେହି ନା କେହି ଜଣେ ଇଷ୍ଟ ଦେବା-ଦେବୀ ଅଛନ୍ତି । ଗ୍ରାମ ଦେବାଦେବୀଙ୍କୁ ହିଁ ଅନେକ ଲୋକ ଇଷ୍ଟଦେବ ଭାବେ ପୂଜା କରିଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ମଧ୍ୟପ୍ରଦେଶର ଏକ ପରିବାର ଦୀର୍ଘ ବର୍ଷ ତଥା ପିଢ଼ି ପରେ ପିଢ଼ି ଧରି ଡାଇନୋସର ଅଣ୍ଡାକୁ ଇଷ୍ଟ ଦେବ ଭାବେ ପୂଜା କରି ଆସୁଥିଲେ । ଯାହାର ଏବେ ଖୁଲାସା ହୋଇଛି । ଏକଥା ଜାଣିବା ପରେ ଖୋଦ ସେହି ପରିବାର ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।

କୁହାଯାଏ ବିଶ୍ୱାସ ବଳେ ସର୍ବସିଦ୍ଧି । ଠିକ୍‌ ସେମିତି ଏହି ଲୋକଙ୍କର ବିଶ୍ୱାସ ଥିଲା ଯେ, ଏହା ତାଙ୍କର ଇଷ୍ଟ ଦେବତା ବା କୁଳଦେବତା । ଏକ ବିଶେଷଜ୍ଞ ଟିମ୍‌ର ନଜର ଏହା ଉପରେ ପଡ଼ିବା ପରେ ଏକଥା ସାମ୍ନାକୁ ଆସିଛି । ବିଭିନ୍ନ ପରୀକ୍ଷା ନିରିକ୍ଷା କରିବା ପରେ ସେମାନେ ଏହାକୁ ଡାଇନୋସର ଅଣ୍ଡା ବୋଲି ଚିହ୍ନଟ କରିଛନ୍ତି ।

ଏହା ଦେଖିବାକୁ ପାପୁଲଠାରୁ ବଡ଼ ଗୋଲ ପଥର ଭଳି ଦେଖାଯାଉଛି । ଦୀର୍ଘ ଦିନ ହେବ ଏହା ମାଟି ଭିତରେ ସେଭଳି ପୋତି ହୋଇ ରହିଛି । ଏହି ପରିବାର ପିଢ଼ି ପରେ ପିଢ଼ି ଧରି ଏହାର ରକ୍ଷଣାବେକ୍ଷଣ ବା ସୁରକ୍ଷା ଦାୟିତ୍ୱ ନେଇ ଆସୁଛନ୍ତି । ମଧ୍ୟପ୍ରଦେଶ ଧାର ଅଞ୍ଚଳର ପାଡ୍‌ଲି ଗାଁର ଜଣେ ବ୍ୟକ୍ତି ବେସ୍ତା ମାଣ୍ଡାଲୋଇ (୪୦) ଏହି ଡାଇନୋସରସ୍‌ ଅଣ୍ଡା ଗୁଡ଼ିକୁ କାକର ଭୈରବ ଭାବେ ପୂଜା କରିଆସୁଥିଲେ । କେବଳ ସେ ନୁହନ୍ତି, ତାଙ୍କ ପରିବାର ଓ ତାଙ୍କ ବାପା, ଜେଜେ ବାପା, ଜେଜେ ବାପାଙ୍କ ବାପା ଏମିତି ପଢ଼ି ପରେ ପିଢ଼ି ଏହି ଅଣ୍ଡାକୁ ପୂଜା କରି ଆସୁଛନ୍ତି ବୋଲି ସେ କହିଛନ୍ତି ।

ଯଦି ପରିବାରରେ କିଛି ସମସ୍ୟା ବା ଦୁଃଖ ଆସେ ତେବେ ସେମାନେ ଏଠାକୁ ଆସି ପୂଜାର୍ଚ୍ଚନା କରନ୍ତି । ଆଉ ତାଙ୍କର ଦୁଃଖ ଲାଘବ ହୋଇଯାଏ ବୋଲି ତାଙ୍କର ବିଶ୍ୱାସ ରହିଛି । ତେବେ ଏହି ‘କାକର ଭୈରବ’ର ଅର୍ଥ ହେଉଛି, କାକର ମାନେ ଜମି ବା ଚାଷ ଜମି ଓ ଭୈରବ ମାନେ ହେଉଛି କାଳ ଦେବତା । ତେବେ କେବଳ ବେସ୍ତାଙ୍କ ପରିବାର ନୁହେଁ ବରଂ ସେହିଁ ଗାଁର ଅନେକଙ୍କ ପରିବାର ଏହି ଡାଇନୋସର ଅଣ୍ଡାକୁ ପୂଜା କରି ଆସୁଛନ୍ତି । ମାଟି ଖୋଳିବା ବେଳେ ଏହି ଅଣ୍ଡା ତାଙ୍କ ସାମ୍ନାକୁ ଆସିଥିଲା । 

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରୁ ନମୂନା ସଂଗ୍ରହ କରି ଏହା ଉପରେ ଅଧିକ ଗବେଷଣା କରାଯାଉଛି ।