• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉଡ଼ିଲା ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଡୋର୍ନିୟର୍ ଯାତ୍ରୀବାହୀ ବିମାନ । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ବା ହାଲ୍ ନିର୍ମିତ ଏହି ୧୭ ସିଟ୍ ବିଶିଷ୍ଟ ସ୍ୱଦେଶୀ ଡୋର୍ନିୟର୍ ୨୨୮ ବିମାନ ଆସାମ ଦିବ୍ରୁଗଡ଼ରୁ ଅରୁଣାଚଳ ପ୍ରଦେଶ ପାଶିଘାଟକୁ ଉଡ଼ିଛି । ଆଲାଏନ୍ସ ଏୟାର୍ ଦ୍ୱାରା ପରିଚାଳିତ ଏହି ବିମାନକୁ ଓ୍ୱାଟର୍ କ୍ୟାନନ୍ ସାଲ୍ୟୁଟ୍ ସହିତ ସ୍ୱାଗତ କରାଯାଇଥିଲା । ଏଥିରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ପ୍ରମୁଖ ଯାତ୍ରା କରିଥିଲେ ।

ଏବେ ଯାଏଁ କେବଳ ସେନା ବ୍ୟବହାର କରୁଥିବା ଡୋର୍ନିୟର୍ ୨୨୮ ବିମାନ ପ୍ରଥମ ଥର ପାଇଁ ଯାତ୍ରୀବାହୀ ବିମାନ ଭାବେ ଉଡ଼ାଣ ଆରମ୍ଭ କରିଛି । ଏପ୍ରିଲ ୧୮ରୁ ଏହା ଦିବ୍ରୁଗଡ଼-ପାଶିଘାଟ-ଲୀଲାବାରି-ଦିବ୍ରୁଗଡ଼ ରୁଟ୍‌ରେ ଉଡ଼ିବ । ପରେ ଏହା ଅରୁଣାଚଳ ପ୍ରଦେଶର ତେଜୁ, ମେଚୁକା, ଜାଇରୋ ଏବଂ ଟୁଟିଂ ଆଦି ସ୍ଥାନକୁ ସଂପ୍ରସାରଣ କରାଯିବ ।

ଏହି ବିମାନ ଅପେକ୍ଷାକୃତ ଛୋଟ ରନ୍‌ୱେରେ, ଏପରିକି ଅର୍ଦ୍ଧପ୍ରସ୍ତୁତ ରନ୍‌ୱେରେ ମଧ୍ୟ ଉଡ଼ାଣ ଓ ଅବତରଣ କରିପାରିବ ବୋଲି ହାଲ୍ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନା ଅଧୀନରେ ଏହି ବିମାନ ସେବା ଆରମ୍ଭ ହୋଇଥିବା ବେଳେ, ଏହା ଉତ୍ତରପୂର୍ବ ରାଜ୍ୟରେ ଯୋଗାଯୋଗ କ୍ଷେତ୍ରକୁ ଆହୁରି ଆଗେଇ ନେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର-ପୂର୍ବାଞ୍ଚଳକୁ ପ୍ରାଥମିକତା ଦେବା ପରେ ଏହି ବିମାନ ସେବା ଆରମ୍ଭ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ।