Advertisment

ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ, ରାମ ମନ୍ଦିର ଆନ୍ଦୋଳନର ଥିଲେ ମୁଖ୍ୟ ପୁରୋଧା

ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପି ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହେବେ ଆଡଭାନୀ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

LK Advani To Be Honoured With Bharat Ratna

ବିଜେପିର ବରିଷ୍ଠ ନେତା, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ, ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ ତଥା ବିଜେପିକୁ ପ୍ରମୁଖ ରାଜନୈତିକ ଶକ୍ତି କରିବାରେ ଅତୁଳନୀୟ ଅବଦାନ ଥିବା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ। ଭାରତ ରତ୍ନରେ ସମ୍ମାନିତ ହେବ ଭାରତୀୟ ଜନତା ପାର୍ଟିର ଏହି ଭେଟେରାନ୍। ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ଏନେଇ ସୂଚନା ଦେବା ସହ ଆଡଭାନୀଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ପରେ ସମ୍ବଲପୁର ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଡଭାନୀ, ଆମ ସମୟର ସବୁଠୁ ସମ୍ମାନନୀୟ ରାଷ୍ଟ୍ରନେତା। ଭାରତର ପ୍ରଗତି ପାଇଁ ତାଙ୍କର ଯୋଗଦାନ ସ୍ମରଣୀୟ। ତାଙ୍କର ସଂସଦୀୟ ଅଭିଜ୍ଞତା ସବୁବେଳେ ଉଦାହରଣ ହୋଇ ରହିବ।

Advertisment

ଭାରତ ରତ୍ନ ଘୋଷଣା ପରେ ଖୁସି ପ୍ରକାଶ କରିଛନ୍ତି ଆଡଭାନୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି ଏବଂ ସମସ୍ତ ଦେଶବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଲେଖିଛନ୍ତି, ଏ ଜୀବନ ମୋ ପାଇଁ ନୁହେଁ, ମୋ ଜୀବନ ମୋ ଦେଶ ପାଇଁ। ଭାରତ ରତ୍ନ ଘୋଷଣା ପରେ ବାପାଙ୍କୁ ମିଠା ଖୁଆଇ ଖୁସି ପାଳନ କରିଛନ୍ତି ଆଡଭାନୀଙ୍କ ପୁଅ-ଝିଅ।

ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ରାଜନୀତିରେ ଦୀର୍ଘଦିନର ଅଭିଜ୍ଞତା ରହିଛି । ପ୍ରାୟ ତିନି ଦଶନ୍ଧି ଧରି ସେ ସାଂସଦ ରହିଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ସେ ଉପ-ପ୍ରଧାନମନ୍ତ୍ରୀ ରହିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପାକିସ୍ତାନର କରାଚୀରେ ଜନ୍ମିତ ଆଡଭାନୀ ଦେଶ ବିଭାଜନ ସମୟରେ ଭାରତକୁ ଚାଲି ଆସିଥିଲେ। ମାତ୍ର ୧୪ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେଇଥିଲେ। ଭାରତୀୟ ଜନତା ପାର୍ଟିର ସର୍ବାଧିକ ସମୟ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱରେ ରହିଥିଲେ ଆଡଭାନୀ। ୧୯୮୬ରୁ ୯୦, ୯୩ରୁ ୯୮ ଏବଂ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ସେ ବିଜେପିର ରାଷ୍ଟ୍ରୀୟ ସଭାପତି ଥିଲେ। ବିଜେପିର ରାଷ୍ଟ୍ରୀୟ ଅଭ୍ୟୁଥାନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୧୯୮୪ ନିର୍ବାଚନରେ ବିଜେପି ମାତ୍ର ଦୁଇଟି ଆସନରେ ବିଜୟୀ ହୋଇଥିବା ବେଳେ ୧୯୮୯ରେ ତାହା ୮୫କୁ ବୃଦ୍ଧି ପାଇଥିଲା। ୧୯୯୧ରେ ଏହି ସଂଖ୍ୟା ୧୨୦ ଏବଂ ୧୯୯୬ରେ ୧୬୧କୁ ବୃଦ୍ଧି ପାଇଥିଲା। ୧୯୯୦ରେ ସେ ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରାମ ଜନ୍ମଭୂମି ରଥଯାତ୍ରା ଆରମ୍ଭ କରିଥିଲେ। ଦିନକୁ ୩୦୦ କିଲୋମିଟର ଯାତ୍ରା କରିବା ସହ ପ୍ରତିଦିନ ୬ଟି ରାଲିକୁ ସମ୍ବୋଧନ କରିଥିଲେ।

Advertisment

ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମିଳିବାକୁ ଯାଉଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ଅନେକ ଶୁଭେଚ୍ଛା ଜଣାଇଛନ୍ତି। 

India News Narendra Modi Bharat Ratna Lal Krishna Advani
Advertisment
Advertisment