• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାଖାପାଖି ୩ କୋଟି ଟଙ୍କାର ମଦ ନଷ୍ଟ । ହରିୟାଣାର ଅମ୍ବାଲା ପୋଲିସ କୋଟିଏ ଟଙ୍କାର ମଦ ନଷ୍ଟ କରିଥିବା ବେଳେ ଏକ କୋଟି ୭୫ ଲକ୍ଷ ଟଙ୍କାର ମଦ ନଷ୍ଟ କରିଛି ଗୁଜରାଟର ବରୋଦା ପୋଲିସ । 

ହରିଆଣାର ଅମ୍ବାଲା ପୋଲିସ ଅମ୍ବାଲା ଜିଲ୍ଲା ଶାହଜାଦପୁର ଥାନାରେ ଗଛିତ ରଖାଯାଇଥିବା ପ୍ରାୟ ୪୦ ହଜାର ଲିଟର ମଦକୁ ନଷ୍ଟ କରିଦେଇଛି । ଏହି ମଦର ମୂଲ୍ୟ ପାଖାପାଖି ଏକ କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗତ ୨୪ ତାରିଖରେ ଥାନା ପାଖରେ ସମସ୍ତ ମଦ ବୋତଲକୁ ଏକାଠି କରାଯାଇଥିଲା । ପରେ ସେଥିରେ ରୋଲର ଚଢ଼ାଇ ନଷ୍ଟ କରିଦିଆଯାଇଥିଲା ।

ଅମ୍ବାଲା ଏସ୍‌ପିଙ୍କ ସୂଚନା ଅନୁସାରେ ଏହି ମଦ ବୋତଲ ସବୁ ୨୦୧୭ରୁ ୨୦୨୧ ମଧ୍ୟରେ ବିଭିନ୍ନ ସ୍ଥାନରୁ ଜବତ କରାଯାଇଥିଲା । ୩ ବର୍ଷ ମଧ୍ୟରେ ପ୍ରାୟ କୋଟିଏ ଟଙ୍କାର ୪୦ ହଜାର ଲିଟର ମଦ ଜବତ ହୋଇଥିଲା । ଏଥିରେ ପ୍ରାୟ ୩୪ ହଜାର ଲିଟର ବିଦେଶୀ ଓ ୬ ହଜାର ଲିଟର ଦେଶୀ ମଦ ରହିଥିଲା । ଦୀର୍ଘଦିନ ଧରି ଥାନାରେ ଗଛିତ ରହିଥିବା ମଦକୁ ନଷ୍ଟ କରିବା ଲାଗି ରାଜ୍ୟ ଅବକାରୀ ବିଭାଗର ନିର୍ଦ୍ଦେଶ ମିଳିବା ପରେ ଗୋଟିଏ କମିଟି ଗଠନ ହୋଇଥିଲା । କମିଟିର ସୁପାରିଶ ଅନୁସାରେ ଏହି ମଦଗୁଡ଼ିକୁ ନଷ୍ଟ କରିବାକୁ ନିଷ୍ପତ୍ତି ହୋଇଥିଲା । ଆଉ ଶେଷରେ ମଦ ବୋତଲଗୁଡ଼ିକୁ ରୋଲର ଚଢ଼ାଇ ନଷ୍ଟ କରିଦିଆଯାଇଛି ।

 

ସେହିପରି ଗୁଜରାଟର ବରୋଦାରେ ମଧ୍ୟ ସମାନ ଢ଼ଙ୍ଗରେ ପୋଲିସ ମଦ ନଷ୍ଟ କରିଛି । ବରୋଦାରେ ପୋଲିସ ୧ କୋଟି ୭୫ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ ମଦକୁ ନଷ୍ଟ କରିଛି । ଏହି ମଦ ସବୁକୁ ୨୦୨୦ରୁ ୨୦୨୨ ମସିହା ମଧ୍ୟରେ ୪ଟି ଥାନା ଅଞ୍ଚଳରୁ ଜବତ କରାଯାଇଥିଲା । ପାଖାପାଖି ୬୦ ହଜାର ବୋତଲ ଏବଂ କ୍ୟାନକୁ ନଷ୍ଟ କରାଯାଇଛି । ସୂଚନାଯୋଗ୍ୟ, ଗୁଜରାଟରେ ମଦକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରାଯାଇଛି । ଏଠାରେ ମଦ ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ୍‌ । ମଦ ବିକ୍ରି କଲେ ଆଇନ୍‌ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି ସରକାର ।