• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଷଷ୍ଠ ଦିନରେ କେରଳ ୱାୟନାଡ଼ର ଉଦ୍ଧାର ଅଭିଯାନ । ୧୩ଶହ ଉଦ୍ଧାରକାରୀ ଯବାନ, ସ୍ନିଫର୍ ଡଗ୍, ଜେସିବି ସହିତ ଡ୍ରୋନ୍ ରାଡାର୍ ବି ଲାଗିଛି ମାଟି ତଳୁ ମଣିଷ ଖୋଜାରେ । ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୬୦ ଟପିଥିବା ବେଳେ, ଏବେବି ଜଣେ ଓଡ଼ିଆଙ୍କ ସମେତ ୨ଶହରୁ ଅଧିକ ନିଖୋଜ ଅଛନ୍ତି। ଦିନ ବିତିବା ସହ ଆଶା ମଉଳି ଯାଉଛି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନକୁ ନେଇ। ଏସବୁ ଭିତରେ ଭୂସ୍ଖଳନ ଉତ୍ପତ୍ତିସ୍ଥଳରେ ପହଞ୍ଚି ସ୍ଥିତି ପରଖିଛି ଓଟିଭି । କ୍ୟାମେରା ଲେନ୍ସରେ କଏଦ ହୋଇଛି କିଭଳି ପାହାଡ଼ ଧସି ଛାରଖାର କରିଦେଇଛି ତିନି ତିନିଟି ଗାଁ।

ପାହାଡ଼ ବିଦାରି ପକାଇଛି ପ୍ରକୃତିର କରାଳ କାୟା । ପଥୁରିଆ ଛାତିରେ ବିରାଟ କ୍ଷତଚିହ୍ନ । ୬ ଦିନ ତଳେ ଉତ୍ପତ୍ତି ହୋଇଥିଲା କେରଳ ୱାୟନାଡର ଭୟାବହ ଭୂସ୍ଖଳନ। ପାହାଡ଼ ଉପରୁ ମାଡ଼ି ଆସିଥିଲା ସର୍ବଗ୍ରାସୀ ବିପର୍ଯ୍ୟୟ। ଅସଂଖ୍ୟ ଗଛ, କାଠଗଣ୍ଡି, ବିରାଟ ବିରାଟ ପଥର ଓ ମାଟି ଅତଡ଼ା । ଆଉ ଏହାର ପ୍ରଥମ ଶିକାର ବନିଥିଲା ପୁଞ୍ଚୁରିମାଟମ ଗାଁ ।

କାହାର ଜନ୍ମଭୂମି ଏବେ ମରୁଭୂମି । ତ କେଉଁଠି ଖେଳପଡ଼ିଆ ଦୋକାନ ବଜାର ଏବେ ପଥରର ନଈ। ଚାରିଆଡ଼େ ଖାଲି ଧ୍ବଂସସ୍ତୁପ, ପ୍ରଳୟର ଚିହ୍ନ। ଶୂନଶାନ୍ ଭଙ୍ଗା ଦଦରା ଘର, ସାକ୍ଷୀ କହିଲେ କେବଳ ଫଟୋ ଫ୍ରେମ ଓ ଆସବାବ ପତ୍ର । ହେଲେ ସବୁ ସାଉଁଟିବାକୁ ଜଣେ କେହି ନାହାନ୍ତି।ପଞ୍ଚୁରିମାଟମ ଗାଁ ଏକପ୍ରକାର ଭୂଗର୍ଭରେ ଲୀନ ହୋଇସାରିଥିବା ବେଳେ, ଭୂସ୍ଖଳନର ପରବର୍ତ୍ତୀ ଶିକାର ମୁଣ୍ଡାକାଇରେ ବି ଚିତ୍ର ପ୍ରାୟ ଏକାଭଳି ଥିଲା।

ପୁଞ୍ଚୁରିମଟମ, ମୁଣ୍ଡାକାଇ ଓ ଚୁରଲମାଲା। ଭୂସ୍ଖଳନ ବିଭୀଷିକା ଅସ୍ତିତ୍ବ ଲିଭାଇଦେଇଛି ୩ଟି ଛୋଟିଆ ଗାଁର। ମେପ୍ପାଡ଼ି ପାହାଡ଼ ନିକଟରେ ଥିବା ଶହ ଶହ ଘର ଏବେ ସମ୍ପୂର୍ଣ୍ଣ ପୋତି ହୋଇଯାଇଛି ମାଟି କାଦୁଅ ଓ ପଥର ତଳେ। କେଉଁଠି ଛାତ ଦିଶୁଛି, ଆଉ କେଉଁଠି ଘର ନିଶ୍ଚିହ୍ନ ହୋଇଯାଇଛି । କେବଳ ବଞ୍ଚିଛି ଚଟାଣ।

ଭୂସ୍ଖଳନ ବିପର୍ଯ୍ୟୟର ୬ ଦିନ ପରେ ବି ସରୁନି ଜୀବନ ଖୋଜା। ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ୍ ଚଳାଇଛନ୍ତି ସେନା ଓ NDRF ସମେତ ବିଭିନ୍ନ ସଂସ୍ଥା। ବିରାଟ ବିରାଟ ପଥର ହଟାଇ, ପୂରା ପୋତି ହୋଇଯାଇଥିବା ଘର ଭିତରେ କିଏ ଫସିଛି, ଧ୍ବଂସାବଶେଷ ତଳେ କିଏ ପୋତି ରହିଛି, ତାହା ଜାଣିବା କଷ୍ଟସାଧ୍ୟ ହୋଇପଡ଼ୁଛି। ମାଟି ତଳୁ ମଣିଷ ଖୋଜିବା ପାଇଁ ସ୍ବତନ୍ତ୍ର ଡ୍ରୋନ୍ ରାଡାର୍ ଆସିଥିଲେ ବି ତାହା ଫେଲ୍ ମାରୁଛି। ତଥାପି ମନୋବଳ ହରାଇନାହାନ୍ତି ୧୩ଶହରୁ ଅଧିକ ଉଦ୍ଧାରକାରୀ। ଏପଟେ କେରଳର ଏହି ରେସ୍କ୍ୟୁ ମିଶନରେ ସାମିଲ ହେବାକୁ ବ୍ରହ୍ମପୁରରୁ ଯାଇଛି ସନ୍ଧାନୀ କୁକୁର 'ଷ୍ଟର୍ମ'। ଏକ ସ୍ବତନ୍ତ୍ର ପୋଲିସ୍ ଟିମ୍ ଏହି ଜର୍ମାନ ସେଫର୍ଡ ପ୍ରଜାତିର କୁକୁରକୁ ଧରି ୱାୟନାଡ଼ ଯାଇଛନ୍ତି । ଏସବୁ ଭିତରେ ଆଜି ମୁଣ୍ଡାକାଇ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଅଭିନେତା ସୁରେଶ ଗୋପୀ।

ଭୂସ୍ଖଳନରେ ନିଖୋଜ ଓଡ଼ିଆ ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ଏବେ ସୁଦ୍ଧା କୌଣସି ଖୋଜଖବର ନାହିଁ । ତାଙ୍କ ସମେତ ୪ ଓଡ଼ିଆ ବେଙ୍ଗଳୁରୁରେ ଦୁଇ ଦିନ ରହିବା ପରେ, ସେଠାକୁ ଯାଇଥିଲେ। ଆଉ ଜଣେ ଉଦ୍ଧାରକାରୀ ମଧ୍ୟ ଓଟିଭିକୁ କିଛି ସେହିଭଳି ସୂଚନା ଦେବା ସହିତ, ଦେଖାଇଛନ୍ତି ପୂରାପୂରି ମୂଳପୋଛ ହୋଇଯାଇଥିବା ରିସର୍ଟ ସ୍ଥଳ। ତେବେ ନିୟତିର ଖେଳ, ସେହି ଅଞ୍ଚଳରେ ସବୁ ଘର ପୋଛି ହୋଇଯାଇଥିଲେ ବି, ନିକଟରେ ଥିବା ଆଉ ଏକ ଘର  ସମ୍ପୂର୍ଣ୍ଣ ଅକ୍ଷତ ରହିଛି। ବିପର୍ଯ୍ୟସ୍ତ ୩ଟି ଗାଁରେ ଅଧା ଭାଙ୍ଗିଯାଇଥିବା କିମ୍ବା ଅଳ୍ପକେ ବର୍ତ୍ତି ଯାଇଥିବା ଘରଗୁଡ଼ିକ ଚୋରି ହେଉଥିବା ଅଭିଯୋଗ ଆସିବା ପରେ, ପୋଲିସ ପକ୍ଷରୁ ନାଇଟ୍ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି । 

  • Reported by:
  • KAPILENDRA PRADHAN

OTV is now on Whatsapp

Join and get latest news update delivered to you via whatsapp

Join Now