ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ କେଦାରନାଥକୁ ସଂଯୋଗ କରୁଥିବା ରାସ୍ତାରେ ଭୂସ୍ଖଳନ । କିଛି ଦିନ ହେଲା ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଭୂସ୍କଳନ ଦେଖିବାକୁ ମିଳିଛି । ଭୂସ୍ଖଳନ ଲାଗି ସୋନପ୍ରୟାଗ ଏବଂ ଗୌରିକୁଣ୍ଡ ମଧ୍ୟରେ ଥିବା ମୁନକଟିୟା ଅଞ୍ଚଳ ଦେଇ ଯାଇଥିବା ରାସ୍ତାରେ ଗାଡିମୋଟର ବନ୍ଦ ରହିଛି । ଏହି ରାସ୍ତାରେ ବଡବଡ ପଥର ପଡିବା ସହ ଗୋଡି ବାଲି ଚରିଯାଇଥିବାରୁ ରାସ୍ତାରେ ଯାଇପାରୁନି ଗାଡିମୋଟର । ରାତି ହୋଇଥିବାରୁ ଜେସିବି ମେସିନରେ ପଥର, ବାଲି କାଢିବା ସମ୍ଭବ ହୋଇନାହିଁ । ପ୍ରାୟ ୫୦ରୁ ୭୦ ମିଟର ରାସ୍ତା ଧୋଇଯାଇଛି । ଫଳରେ ଉଭୟ ପଟରେ ଗାଡି ଅଟକି ରହିଛି । ବର୍ଷା ଲାଗି ରହିଥିବାରୁ ରାସ୍ତାସଫା କାମରେ ବାଧା ସୃଷ୍ଟି ହୋଇଛି ।
ରାସ୍ତାରେ ଫସି ରହିଥିବା ପ୍ରାୟ ୨ ହଜାର ୫ ଶହ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏନଡିଆରଏଫ ଓ ଏସଡିଆରଏଫ ମିଳିତ ପ୍ରୟାସରେ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହି ରାସ୍ତା ମରାମତି ଲାଗି ପ୍ରାୟ ୨ରୁ ୩ ଦିନ ଲାଗିବ ବୋଲି କୁହାଯାଇଛି । ତେଣୁ ଏହି ସମୟରେ ଯାତ୍ରୀଙ୍କ ଅସୁବିଧା ଦୃଷ୍ଟିରୁ ନଆସିବାକୁ ସଚେତନ କରାଯାଇଛି ।