• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କରୋନା ସମୟରେ ବିବାହ କରି ହଟହଟ୍ଟା ହେଲେ ଦମ୍ପତି । ଜଣେ କି ଦୁଇ ଜଣ ନୁହେଁ ବରଂ ୧୫ ଜଣ ଦମ୍ପତି ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ସେମାନଙ୍କ ବିବାହ ପ୍ରମାଣପତ୍ରରେ ତ୍ରୁଟି ରହିଛି । ଯାହାକୁ ସଂଶୋଧନ କରାଯାଇପାରିବ ନାହିଁ । ତେଣୁ ଦମ୍ପତିମାନଙ୍କୁ ପୁଣି ଥରେ ବିବାହ କରିବାକୁ ପଡ଼ିବ ।

ଆଉ ଯଦି ସେମାନେ ସେମାନଙ୍କ ବିବାହ ପ୍ରମାଣପତ୍ରକୁ ରଦ୍ଦ ନକରନ୍ତି ତେବେ ଆଇନ୍‌ଗତ ଅସୁବିଧାରେ ପଡ଼ିବେ । ତେଣୁ ସେମାନେ ସେମାନଙ୍କ ବିବାହ ପ୍ରମାଣପତ୍ରକୁ ରଦ୍ଦ କରିବା ସହ ପୁଣି ଥରେ ନିୟମ ଅନୁସାରେ ବିବାହ କରିବେ ବୋଲି ଜଣାପଡ଼ିଛି ।

ଏପରି ଏକ ଘଟଣା ପଶ୍ଚିମବଙ୍ଗରୁ ସାମ୍‌ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ କରୋନା ସମୟରେ ୮,୦୦୦ରୁ ଅଧିକ ବିବାହ ହୋଇଥିଲା । ବିବାହ ସମୟର ପ୍ରମାଣପତ୍ରରେ ବିବାହ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ କିଛି ଅସଙ୍ଗତି ଦେଖିବାକୁ ମିଳିଛି । ଯାହାକି ଏକ ବଡ଼ ତ୍ରୁଟି ବୋଲି କୁହାଯାଇଛି । ସେଥିମଧ୍ୟରୁ ୧୫ଟି ବିବାହ ସାର୍ଟିଫିକେଟ୍‌ରେ ସଂଶୋଧନ କରାଯାଇପାରିବ ନାହିଁ । ତ୍ରୁଟି ଥିବା ୧୫ଟି ବିବାହ ସାର୍ଟିଫିକେଟ୍‌ ମଧ୍ୟରୁ ୧୨ ଜଣ ଦମ୍ପତି ହିନ୍ଦୁ ରହିଛନ୍ତି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ୧୫ଜଣଙ୍କ ବିବାହ ପ୍ରମାଣପତ୍ର ଆଇନଗତ ଭାବରେ ସନ୍ଦେହଜନକ । ଉଦାହରଣ ସ୍ୱରୂପ, କେତେକ ସାକ୍ଷୀଙ୍କ ନାଁ 'ABC' ଉଲ୍ଲେଖ ରହିଛି । କିଛି ସାକ୍ଷୀଙ୍କ ଠିକଣା ଓ ଫୋନ୍ ନମ୍ବର ନାହିଁ । ଏହା ବ୍ୟତୀତ ବିବାହ ରେଜିଷ୍ଟ୍ରାର ଗୁଡ଼ିକରେ ମଧ୍ୟ ଅନେକ ତ୍ରୁଟି ରହିଛି ।

ଯେହେତୁ ଦମ୍ପତିମାନଙ୍କର ବିବାହ ସରିଛି ଓ ବିବାହ ପ୍ରମାଣପତ୍ରରେ ବଡ଼ ତ୍ରୁଟି ରହିଛି, ତେଣୁ ନୂତନ ପ୍ରମାଣପତ୍ର ପାଇବାକୁ ହେଲେ ଜିଲ୍ଲା କୋର୍ଟରେ ସେମାନଙ୍କର ପୁଣି ଥରେ ବିବାହ କରିବାକୁ ନିର୍ଦ୍ଦେଶ ରହିଛି ।