• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମାର୍କେଟରେ ଆଉ ମିଳିବନି ୨ ହଜାର ଟଙ୍କିଆ ନୋଟ୍। ଏହି ନୋଟ୍‌କୁ ପ୍ରତ୍ୟାହାର କରିନେବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଛି। କିନ୍ତୁ ଏହା ଅଚଳ ହେବନି ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି। ତେବେ ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦୀକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। କାହିଁକି ମାର୍କେଟରୁ ୨ ହଜାର ଟଙ୍କିଆ ନୋଟକୁ ପ୍ରତ୍ୟାହାର କରାଯାଉଛି ? ଆଗକୁ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ କି ? ନିଜ ପାଖରେ ଥିବା ୨୦୦୦ ନୋଟ୍‌କୁ ଲୋକେ କ’ଣ କରିବେ ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି।

ଆର୍‌ବିଆଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଯାହାଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି, ତାକୁ ସେମାନେ ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଡିପୋଜିଟ ମଧ୍ୟ କରିପାରିବେ। ଏହା ମେ’ ୨୩ରୁ ଆରମ୍ଭ ହେବ। ସେପଟେମ୍ବର ୩୦ ଯାଏ ୨ ହଜାର ଟଙ୍କିଆ ନୋଟ୍‌କୁ ବଦଳା ଯାଇପାରିବ। ଜଣେ ଏକାଥରେ ୨୦ଟି ନୋଟ୍ ବଦଳାଇପାରିବ। ଆସନ୍ତୁ ଜାଣିବା କେବେ ଆରମ୍ଭ ହୋଇଥିଲା ୨ ହଜାର ଟଙ୍କିଆ ନୋଟ୍ ଓ କାହିଁକି ଏହାକୁ ଛପା ଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।

୨ ହଜାର ଟଙ୍କିଆ ନୋଟ୍ ୨୦୧୬ ମସିହା ନଭେମ୍ବରରେ ଆରମ୍ଭ ହୋଇଥିଲା। ନଭେମ୍ବର ୮ରେ କେନ୍ଦ୍ର ସରକାର ୫ ଶହ ଓ ହଜାରେ ଟଙ୍କିଆ ନୋଟ୍‌କୁ ଅଚଳ କରିଦେବା ପରେ ନୋଟ୍ ଅଭାବକୁ ପୂରଣ କରିବା ପାଇଁ ଗୋଲାପୀ ରଙ୍ଗର ୨ ହଜାର ଟଙ୍କିଆ ନୋଟ୍ ଆରମ୍ଭ କରାଯାଇଥିଲା। ମାର୍କେଟରେ ପର୍ଯ୍ୟାପ୍ତ ପରିମାଣର ୫ ଶହ ଟଙ୍କିଆ ନୋଟ୍ ଆସିବା ପରେ ଓ କାରବାର ସ୍ୱାଭାବିକ ହେବା ପରେ ୨୦୧୮-୧୯ରେ ନୂଆ ୨ ହଜାର ଟଙ୍କିଆ ନୋଟ୍ ଛପା ବନ୍ଦ କରିଥିଲା ଆର୍‌ବିଆଇ।

ଏହାଛଡ଼ା ୨ ହଜାର ଟଙ୍କିଆ ନୋଟ୍ କାରବାର ମଧ୍ୟ କଷ୍ଟକର ଥିଲା। କାରଣ ଏହାକୁ ସହଜରେ ଖୁଚୁରା କରି ହେଉନଥିଲା। ମାର୍କେଟରେ ଅନ୍ୟ ନୋଟ୍ ପର୍ଯ୍ୟାପ୍ତ ମିଳିବା ପରେ ଓ ଅନଲାଇନ୍ କାରବାର ମଧ୍ୟ ବଢ଼ିବା ପରେ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍‌ର ବ୍ୟବହାର କମି ଯାଇଥିଲା। ମୁଖ୍ୟତଃ ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନର ମୁଖ୍ୟ ଲକ୍ଷ୍ୟ ପୂରଣ ହୋଇଥିବାରୁ ତାକୁ ପ୍ରତ୍ୟାହାର କରି ନିଆଯାଇଥିବା କୁହାଯାଉଛି। ନୋଟ୍ ବନ୍ଦୀ ପରେ ଯେଉଁ ଅବସ୍ଥା ସୃଷ୍ଟି ହେଲା, କେବଳ ତା’ର ସମାଧାନ ପାଇଁ ଆରମ୍ଭ ହୋଇଥିଲା ୨ ହଜାର ଟଙ୍କିଆ ନୋଟ୍‌।