• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଲିସ୍ତାନୀ ସମର୍ଥକ ତଥା ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂହ (Amritpal Singh )କୁ ଗିରଫ କରିଛି ପୋଲିସ୍‌ । ଆତ୍ମସମର୍ପଣ ନୁହେଁ ସର୍ଚ୍ଚ ଅପରେସନ୍ ପରେ ଗିରଫ ହୋଇଛି ମୋଷ୍ଟ ୱାଣ୍ଟେଡ୍ ଅମ୍ରିତପାଲ ସିଂ । ପ୍ରାୟ ମାସେ ଅଧିକ ସମୟ ଧରି ପୋଲିସ୍‌କୁ ନାକେଦମ୍‌ କରିବା ପରେ ପଞ୍ଜାବ ମୋଗାରୁ ତାକୁ ଗିରଫ କରାଯାଇଛି ।

ଅଜନାଲା କାଣ୍ଡ ପରେ ଫେରାର ଥିଲା ଅମ୍ରତପାଲ୍‌ ସିଂ । ପୋଲିସ୍‌ ଅନେକ ଥର ପାଖରେ ପହଞ୍ଚିଥିଲେ ସୁଦ୍ଧା ସେ ଆଖିରେ ଧୂଳି ଦେଇ ଗାୟବ୍‌ ହୋଇଯାଉଥିଲା । ତେବେ ଅମ୍ରିତପାଲ ପଞ୍ଜାବରୁ ଫେରାର ମାରିବା ପଛରେ ତା’ର 'ଲେଡି ନେଟୱାର୍କ'ର ବଡ଼ ହାତ ରହିଥିବା କୁହାଯାଉଛି । ଅମ୍ରିତପାଲର ସହଯୋଗୀ ପପଲ୍‌ପ୍ରୀତର ଅନେମ ମହିଳା ବନ୍ଧୁ ଅଛନ୍ତି, ଯେଉଁମାନେ ଅମ୍ରିତପାଲ ପାଇଁ ଢ଼ାଲ ସାଜିଥିଲେ । ଫଳରେ ଖୁବ୍‌ ସହଜରେ ପୋଲିସ୍‌କୁ ଚକମା ଦେବାରେ ସଫଳ ହେଉଥିଲା ୱାରିସ ପଞ୍ଜାବ ଦେ ମୁଖ୍ୟ । ପଞ୍ଜାବରୁ ଫେରାର ମାରିବା ପରେ ଅମ୍ରିତପାଲ ଏବଂ ପପଲପ୍ରୀତ 'ଲେଡି ନେଟୱାର୍କ'କୁ ମୋହରା କରିଥିଲେ ।

ଅମ୍ରିତପାଲ ସିଂ ଏବଂ ପପଲପ୍ରୀତ ପ୍ରଥମେ 'ଲେଡି ନେଟୱାର୍କ' ବ୍ୟବହାର କରି ପଟିଆଲାରେ କିଛି ଦିନ ରହିଥିଲେ । ଆଉ ତା’ପରେ ପପଲପ୍ରୀତ ଓ ଅମ୍ରିତପାଲ୍‌ ହରିୟାଣାର ନିକଟତମ ବନ୍ଧୁ ବଲଜିତ କୌରଙ୍କ ଘରେ ଆଶ୍ରୟ ନେଇଥିଲା । ସେଠାରେ ବଲଜିତ କୌର ଏବଂ କା’ର ଭାଇଙ୍କ ଫୋନ ବ୍ୟବହାର କରି ନିଜ ସହଯୋଗୀଙ୍କ ସହ କଥା ହେଇଥିଲେ । ଆଉ ସେଠାରେ ପ୍ରସ୍ତୁତ ହୋଇଥିଲା ଫେରାର୍‌ ରଣନୀତି ।

ଏହା ବ୍ୟତୀତ ପପଲପ୍ରୀତ ଅମ୍ରିତପାଲଙ୍କ ସହ ଦିଲ୍ଲୀରେ ନିଜ ମହିଳା ବନ୍ଧୁଙ୍କ ଘରେ ପହଞ୍ଚିଥିଲା । ପପଲପ୍ରୀତର ୧୦ରୁ ଅଧିକ ମହିଳା ବନ୍ଧୁ ପୋଲିସ୍‌ ତଥା ସୁରକ୍ଷା ଏଜେନ୍ସିର ରାଡାରରେ ଥିଲେ । ଆଉ ସେମାନଙ୍କ ଫୋନ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ନଜର ରଖାଯାଇଥିଲା । ସେହିପରି ଦିଲ୍ଲୀର ୩ ଜଣ ଯୁବତୀ ପୋଲିସ୍‌ ରାଡାରରେ ଥିଲେ, ଯାହାଙ୍କୁ ପଚରାଉଚରା କରାଯାଉଥିଲା । ସେମାନଙ୍କ ଫୋନ ଏବଂ ସୋସିଆଲ ମିଡିଆରେ ନିରନ୍ତର ଯାଞ୍ଚ ଚାଲିଥିଲା ।

ଅନ୍ୟପଟେ ହରିୟାଣାରେ ପପଲପ୍ରୀତଙ୍କ ମହିଳା ବନ୍ଧୁଙ୍କୁ ଗିରଫ ହେବାପରେ ଅମ୍ରିତପାଲ ଏବଂ ପପଲପ୍ରୀତ ସତର୍କ ହୋଇଯାଇଥିଲେ । ଏହି ଘଟଣା ପର ଠାରୁ ଅମ୍ରିତପାଲ ଏବଂ ପପଲପ୍ରୀତ କେବେ ବି ନିଜ ଫୋନ୍ ବ୍ୟବହାର କରୁନଥିଲେ । ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଫୋନ୍‌ ମାଗି ସହଯୋଗୀଙ୍କ ସହ ଯୋଗାଯୋଗ କରୁଥିଲେ । ଏହି କାରଣଗୁଡିକ ପାଇଁ ଉଭୟ କ୍ରମାଗତ ଭାବରେ ପୋଲିସକୁ ଚମକା ଦେଇପାରୁ ଥିଲେ ।

ଅଜନାଲା କାଣ୍ଡ କ’ଣ ?

ଅମ୍ରିତପାଲ ଗତ ଫେବ୍ରୁଆରି ୨୩ରେ ଚର୍ଚ୍ଚାକୁ ଆସିଥିଲା । ତା’ ସଂଗଠନ ‘ୱାରିସ ପଞ୍ଜାବ ଦେ’ର ସଦସ୍ୟ ଲବପ୍ରୀତ ସିଂହ ଓରଫ ତୋଫାନକୁ ପଞ୍ଜାବର ଅଜନାଲା ପୁଲିସ୍ ଗିରଫ କରିଥିଲା । ତାକୁ ଥାନାରୁ ଉଡ଼ାଇ ଆଣିବାକୁ ଅମ୍ରିତପାଲ ନିଜ ସହଯୋଗୀମାନଙ୍କ ସହିତ ସେଠାରେ ପହଞ୍ଚିଥିଲା । ସେମାନଙ୍କ ମଧ୍ୟରୁ ଅନେକଙ୍କ ହାତରେ ଖଣ୍ଡା ଓ ବନ୍ଧୁକ ଥିଲା । ସେମାନେ ପୁଲିସ ବ୍ୟାରିକେଡ ଭାଙ୍ଗି ଅଜନାଲା ଥାନା ଭିତରେ ପଶିଥିଲେ। ଏକ ଅପହରଣ ମାମଲାରେ ଫସିଥିବା ତା’ ସହଯୋଗୀ ଲବପ୍ରୀତ ସିଂହକୁ ପୁଲିସ୍ ଛାଡ଼ି ଦେବ ବୋଲି ସେ ଓ ତା’ ସଂଗଠନର ସଦସ୍ୟମାନେ ପୁଲିସ ଠାରୁ ପ୍ରତିଶ୍ରୁତି ନେଇଥିଲେ । ଥାନାକୁ ଜୋରଜବରଦସ୍ତ ପ୍ରବେଶ କରିବା ବେଳେ ହୋଇଥିବା ସଂଘର୍ଷରେ ୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।

ଅମ୍ରିତପାଲ କିଏ ?

ଖଲିସ୍ତାନ ଆନ୍ଦୋଳନର ସମର୍ଥକ ଅମ୍ରିତପାଲ ସିଂ ଭାରତ ଆସିବା ପୂର୍ବରୁ ଦୁବାଇରେ ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିଲା । ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ ଥିଲା । କିନ୍ତୁ ଏହାକୁ ପସନ୍ଦ କରି ନଥିଲେ ୱାରିସ ପଂଜାବ ଦେ ପ୍ରତିଷ୍ଠାତା ତଥା ତତ୍କାଳୀନ ମୁଖ୍ୟ ଦୀପ ସିଦ୍ଧୁ । ଅମ୍ରିତପାଲର ଖଲିସ୍ତାନ ଆନ୍ଦୋଳନ ପ୍ରତି ସମର୍ଥନ ଥିବାରୁ ତା ନମ୍ବରକୁ ବ୍ଲକ କରାଯାଇଥିଲା । କିନ୍ତୁ ଦୀପ ସିଦ୍ଧୁଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଅମ୍ରିତପାଲ ସିଂ ଭାରତ ଭେରିବା ସହିତ ନିଜକୁ ୱାରିସ ପଂଜାବ ଦେ'ର ମୁଖ୍ୟ ବୋଲି ଦାବି କରିଥିଲା ।

ଏନେଇ ସୋସିଆଲ ମିଡିଆରେ ଘୋଷଣା ସହ ନିଜର କର୍ତ୍ତତ୍ୱ ଜାହିର କରିବାକୁ ଭାରତରେ ପହଞ୍ଚିଥିଲା । ଏଠାରେ ପହଞ୍ଚିବା ପରେ ସେ ନିଜକୁ ଖଲିସ୍ତାନୀ ନେତା ଭିଣ୍ଡରନୱାଲେ ଭଳି ସଜାଇଥିଲା । ନିଜର ପୋଷାକପତ୍ର ସେଭଳି ଢଙ୍ଗରେ ପିନ୍ଧୁଥିଲା । ଆଉ ସାଥିରେ ରଖିଥିଲା କିଛି ସଶସ୍ତ୍ର ଯୁବକ । ନିଜକୁ ଭିଣ୍ଡରନୱାଲେ 2.0 ବୋଲି ସେ ନିଜର ସମର୍ଥକମାନଙ୍କୁ ଦର୍ଶାଇବାକୁ ଚାହିଁଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।....

ଲୋକପ୍ରିୟତା ସାଉଁଟିବାକୁ କରିଥିଲା କସ୍ମେଟିକ ସର୍ଜରୀ !

ନିଜକୁ ଲୋକଙ୍କ ନିକଟରେ ଅଧିକ ପ୍ରସିଦ୍ଧି କରିବାକୁ ପୋଷାକ ନୁହେଁ, ପୂରାପୂରି ରୂପ ବଦଳାଇଦେଇଥିଲା ଅମ୍ରିତପାଲ୍ । ଜଣାପଡ଼ିଛି, ଜର୍ଣ୍ଣେଲ ସିଂ ଭିଣ୍ଡରନୱାଲେ ଭଳି ଦେଖାଯିବା ପାଇଁ ସେ କରାଇଥିଲା ପ୍ଲାଷ୍ଟିକ ସର୍ଜରୀ । ଅମ୍ରିତପାଲର ୮ଜଣ ପ୍ରମୁଖ ସହଯୋଗୀଙ୍କୁ ପୋଲିସ ଗୁଡ଼ାଇତୁଡ଼ାଇ ଜେରା କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା ।