• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରଧାନମନ୍ତ୍ରୀ ଓ ୩ ସେନା ମୁଖ୍ୟଙ୍କ ଶ୍ରଦ୍ଧାଞ୍ଜଳି । ରାଇସିନା ହିଲ୍‌ରୁ ଅଶ୍ୱାରୋହୀ ଗାର୍ଡଙ୍କ ସହ ରାଷ୍ଟ୍ରପତିଙ୍କ ଆଗମନ.. ପତାକା ଉତ୍ତୋଳନ.. ୨୧ ତୋପର ସଲାମୀ... । ଏମିତି ଥିଲା ଆଜିର ଦୃଶ୍ୟ । ହେଲେ ଏସବୁ ତ ସାଧାରଣତନ୍ତ୍ର ଦିବସ ସମାରୋହର ଗୌରବମଣ୍ଡିତ ପରଂପରା । ହେଲେ ଏଥର କର୍ତ୍ତବ୍ୟପଥ ଲେଖିଛି ଅନେକ ନୂଆ ଅଧ୍ୟାୟ । 

୭୪ତମ ରିପବ୍ଲିକ୍ ଡେ’ର ଥିମ୍ ଥିଲା ନାରୀଶକ୍ତି, ଯାହାକି ଶତପ୍ରତିଶତ ପ୍ରତିଫଳିତ ହୋଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସମାରୋହରେ CRPF ଓ NCC ଆଦିର ଅଲ୍ ଓ୍ୱିମେନ୍ କଣ୍ଟିନଜେଣ୍ଟ ମାର୍ଚ୍ଚ ଫାଷ୍ଟ କରିଥିବା ବେଳେ, NSSରେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଚାଲିଥିଲେ ମହିଳା । ବାୟୁସେନା ମାର୍ଚ୍ଚିଂ କଣ୍ଟିନ୍‌ଜେଣ୍ଟର ନେତୃତ୍ୱ ନେଇଥିଲେ ସ୍କ୍ୱାଡ୍ରନ୍ ଲିଡର୍ ସିନ୍ଧୁ ରେଡ୍ଡି ଏବଂ ନୌସେନା ମାର୍ଚ୍ଚିଂ କଣ୍ଟିନଜେଣ୍ଟକୁ ଲିଡ୍ କରିଥିଲେ ଲେଫ୍ଟନାଣ୍ଟ କମାଣ୍ଡର୍ ଦିଶା ଅମ୍ରିତ୍ ।

ଏଥର ପ୍ରଥମ ଥର ପାଇଁ ୩ ମହିଳା ଓ ୫ ପୁରୁଷ ଅଗ୍ନିବୀର ମଧ୍ୟ ସାମିଲ ହୋଇଥିଲେ । ତେଣେ ପ୍ରଥମ ଥର ଓଟ ପିଠିରେ ବସି ବିଶ୍ୱକୁ ଭାରତୀୟ ନାରୀଶକ୍ତିର ଝଲକ୍ ଦେଖାଇଥିଲେ ବିଏସ୍ଏଫ୍‌ର ମହିଳା ସ୍କ୍ୱାଡ୍ । ଏଥର ପରେଡ୍‌ରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ବାୟୁସେନାର ଘାତକ ଗରୁଡ଼ କମାଣ୍ଡୋ । ବିଶ୍ୱର ଅନ୍ୟତମ ବେଷ୍ଟ୍ । ତା ସହ, ଇଜିପ୍ଟ ସେନାର ୧୪୪ ଯବାନ ଓ ୧୨ ଜଣିଆ ବ୍ୟାଣ୍ଡ ଭାରତର ଗଣତନ୍ତ୍ର ଦିବସରେ ସାମିଲ ହେବା ବି ଥିଲା ପ୍ରଥମ । ଚଳିତବର୍ଷ ସମାରୋହରେ ଇଜିପ୍ଟ ରାଷ୍ଟ୍ରପତି ସାଜିଛନ୍ତି ମୁଖ୍ୟ ଅତିଥି ।

ଖାଲି କଦମ୍‌ତାଲ୍‌ର ଆଓ୍ୱାଜ ନୁହେଁ, କର୍ତ୍ତବ୍ୟପଥକୁ ପ୍ରକଂପିତ କରିଥିଲା ଅର୍ଜୁନ ଓ ବଜ୍ର ଆଦି ଟ୍ୟାଙ୍କ୍‌ର ଘର୍ଘର ନାଦ, ରାଫେଲ୍ ଓ ସୁଖୋଇ ଭଳି ଫାଇଟର୍ ଜେଟ୍‌ର ଗର୍ଜନ । ଚଳିତବର୍ଷର ସମାରୋହରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ଉପକରଣକୁ ଦିଆଯାଇଛି ଗୁରୁତ୍ୱ । ଫୋକସ୍‌ରେ ଥିଲା ଆତ୍ମନିର୍ଭର ଭାରତ । ଖାଲି ସେତିକି ନୁହେଁ, ନାଗ, ଆକାଶ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ ବ୍ରହ୍ମୋସ୍ ଆଦି ମିଜାଇଲ୍ ବି ଆଜି ପ୍ରଦର୍ଶିତ ହୋଇଛି । ନୌସେନାର ପ୍ରଜ୍ଞାପନ ମେଢ଼ରେ ସ୍ଥାନ ପାଇଥିଲା ଭାରତର ପ୍ରଥମ ପ୍ୟାସେଞ୍ଜର ଡ୍ରୋନ୍ ବରୁଣ ।

ବିଭିନ୍ନ ରାଜ୍ୟ ଓ ବିଭାଗରୁ ଅସିଥିବା ୧୭ଟି ବିଭିନ୍ନ ଥିମ୍‌ର ଟାବ୍ଲ୍ୟୁ, ମୋଟରସାଇକେଲ୍‌ରେ ସେନାର ଡେୟାର୍ ଡେଭିଲ୍ ଶୋ, ଆକାଶରେ ଲଢ଼ୁଆ ବିମାନର ବିଭିନ୍ନ ଫର୍ମେସନ୍ ବି ଚମତ୍କୃତ କରିଛି ଉପସ୍ଥିତ ଦର୍ଶକଙ୍କୁ । ଆଉ ଏକ ନୂଆ କଥା, ଏଥର ଦର୍ଶକଙ୍କୁ ନେଇ ଆଜି କର୍ତ୍ତବ୍ୟପଥରେ ଭିଭିଆଇପିଙ୍କ ସିଟ୍ ରିଜର୍ଭ ଥିଲା କମନ୍‌ମ୍ୟାନ୍‌ଙ୍କ ପାଇଁ । ଆଗଧାଡ଼ିରେ ବସି ପରେଡ୍ ଦେଖିଥିଲେ ଶ୍ରମଜୀବୀ, ରିକ୍ସାଚାଳକ, ପରିବାବିକାଳୀ ଓ କ୍ଷୀରବାଲାଙ୍କ ଭଳି ସାଧାରଣ ନାଗରିକ ।

ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ସମାରୋହ, ଓଡ଼ିଶା ପାଇଁ ବି ଥିଲା ବେଶ୍ ସ୍ୱତନ୍ତ୍ର । କାରଣ ଓଡ଼ିଆ ରାଷ୍ଟ୍ରପତିଙ୍କ ଆଗରେ ନିଜ କଳା ନୈପୁଣ୍ୟର ପ୍ରଦର୍ଶନ କରିଥିଲେ ବହୁ ଓଡ଼ିଆ ପ୍ରତିଭା । ମହାମହିମ ଦ୍ରୌପଦୀ ମୁର୍ମୁ ୧୪୮ ଜଣିଆ NCC ବାଳିକା କଣ୍ଟିନଜେଣ୍ଟର ଅଭିବାଦନ ଗ୍ରହଣ କଲା ବେଳେ, ଗର୍ବରେ ଫୁଲି ଉଠିଥିଲା ପ୍ରତିଟି ଓଡ଼ିଆଙ୍କ ଛାତି । କାରଣ ଏହି କଣ୍ଟିନଜେଣ୍ଟର କମାଣ୍ଡର୍ ଥିଲେ ଓଡ଼ିଆ ଝିଅ ସିନିଅର୍ ଅଣ୍ଡର ଅଫିସର ସୋନାଲି ସାହୁ । ଜଣେ ଓଡ଼ିଆ ଝିଅ ବୀରଦର୍ପରେ ନିଜର ଶୌର୍ଯ୍ୟ ପ୍ରଦର୍ଶନ କରିଥିଲା, ମଞ୍ଚାସୀନ ଆଉ ଜଣେ ଓଡ଼ିଆ ଝିଅଙ୍କ ଆଗରେ କର୍ତ୍ତବ୍ୟପଥ ସାଜିଥିଲା ଏହି ଗୌରବମୟ ମୁହୂର୍ତ୍ତର ସାକ୍ଷୀ ।

ରାଜ୍ୟବାସୀ ଆଉ ଏକ ଅବିସ୍ମରଣୀୟ ଅନୁଭୂତି ସାଉଁଟିଥିଲେ । ବନ୍ଦେ ଭାରତମ୍ ନୃତ୍ୟ ପ୍ରଦର୍ଶନ ବେଳେ ସେଠି ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରିଥିଲେ ଓଡ଼ିଶୀ, ଝୁମର୍ ଓ ପୁରୀ ସାହିଯାତ ନୃତ୍ୟଶିଳ୍ପୀ । ଆଉ ଏକ ଗର୍ବର କଥା ଯେ, ବିଭିନ୍ନ ରାଜ୍ୟରୁ ଆସିଥିବା ୪୭୯ ଜଣ ନୃତ୍ୟଶିଳ୍ପୀଙ୍କ ଏହି କାର୍ଯ୍ୟକ୍ରମର କୋରିଓଗ୍ରାଫି ଦାୟିତ୍ୱ ସମ୍ଭାଳିଥିଲେ ଦୁଇ ଓଡ଼ିଆ ନୃତ୍ୟଗୁରୁ କବିତା ଦ୍ୱିବେଦୀ ଓ ନିବେଦିତା ମହାପାତ୍ର ।