/odishatv-khabar/media/post_attachments/uploadimage/library/16_9/16_9_0/Nurse_1738846286.jpg)
Nurse
ଡାକ୍ତରଖାନାରେ ଅଜବ ଚିକିତ୍ସା । କ୍ଷତରେ ଷ୍ଟିଚ୍ ନୁହେଁ, ଲଗାହେଲା ଫେଭିକ୍ୱିକ୍ । କ୍ଷତ ସ୍ଥାନରେ ଷ୍ଟିଚ୍ ପକାଇବା ବଦଳରେ ଫେଭିକ୍ୱିକ୍ ମାରି ଚିକିତ୍ସା କଲେ ନର୍ସ । ଏଭଳି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକ ହାବେରୀ ଜିଲ୍ଲାରୁ । ଏଠାରେ ଏକ ଡାକ୍ତରଖାନାକୁ ଆସିଥିବା ଜଣେ ୭ ବର୍ଷୀୟ ବାଳକର ଗଭୀର କ୍ଷତରେ ଷ୍ଟିଚ୍ ପଡିବା ବଦଳରେ ଫେଭିକ୍ୱିକ୍ ଲଗାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ଘଟଣାଟି ଗତ ୧୪ ତାରିଖର । ଗୁରୁକ୍ରିଷ୍ଣା ଅନ୍ନାପ୍ପା ନାମକ ଜଣେ ୭ ବର୍ଷୀୟ ବାଳକ ଖେଳୁଥିବା ବେଳେ ତା'ର ଗୋଡ ଓ ମୁହଁରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା । ପିଲାଟିକୁ ସଙ୍ଗେ ସଙ୍ଗେ ନିକଟସ୍ଥ ଆଦୂର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କ୍ଷତ ସ୍ଥାନରେ ୩ଟି ଷ୍ଟିଚ୍ ପଡିବା ଦରକାର ଥିଲା । ହେଲେ ସେଠି କାର୍ଯ୍ୟରତ ଥିବା ନର୍ସ ଜ୍ୟୋତି ପିଲାଟିର କ୍ଷତରେ ସିଲେଇ କରିବା ବା ଷ୍ଟିଚ୍ ପକାଇବା ବଦଳରେ ଫେଭିକ୍ୱିକ୍ ଲଗାଇ ଦେଇଥିଲେ ।
ଅଧିକ ପଢ଼ନ୍ତୁ: ଏକଜିଟ୍ ପୋଲର ବଡ଼ ଆକଳନ, ୨୭ ବର୍ଷ ପରେ କ୍ଷମତାକୁ ଫେରିବ ବିଜେପି !
ଏନେଇ ପିଲାଟିର ପରିବାର ଲୋକ ପ୍ରଶ୍ନ ଉଠାଇବାରୁ ନର୍ସ ସଫେଇ ଦେଇଥିଲେ ଯେ, ଷ୍ଟିଚ୍ ଲଗାଇଥିଲେ ଦାଗ ରହିଥାନ୍ତା ତେଣୁ ସେ ଫେଭିକ୍ୱିକ୍ ଲଗାଇଛନ୍ତି । ବର୍ଷ ବର୍ଷ ହେଲା ସେ ଏପରି କରିଆସୁଛନ୍ତି ଏବଂ ଏଥିରେ ବ୍ୟସ୍ତ ହେବାର କିଛି ନାହିଁ । ଏହାକୁ ନେଇ ପିଲାର ବାପାମାଆ ସ୍ୱାସ୍ଥ୍ୟକେନ୍ଦ୍ରର ହେଲଥ୍ ପ୍ରୋଟେକ୍ସନ କମିଟି ନିକଟରେ ଅଭିଯୋଗ କରିଥିଲେ । ମାତ୍ର ନର୍ସଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।
ସେମାନେ ଏହି ଘଟଣା ସମ୍ପର୍କରେ ହାବେରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଡିଏଚଓ ଘଟଣାକୁ ଅନୁଧ୍ୟାନ କରିବା ସହ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ଏବଂ ବଦଳି କରିଥିଲେ । କିନ୍ତୁ ନର୍ସକୁ ସସପେଣ୍ଡ କରାଯିବା ବଦଳରେ ବଦଳି କରାଯିବାରୁ ପରିବାର ଲୋକେ ଅସନ୍ତୋଷ ଜାହିର୍ କରିଥିଲେ । ଏହି ଘଟଣା ପ୍ରଘଟ ପରେ ସୋସିଆଲ ମିଡିଆରେ ମଧ୍ୟ ତୀବ୍ର ସମାଲୋଚନା କରାଯାଇଥିଲା । ଏହାପରେ ବୁଧବାର ଦିନ ସ୍ୱାସ୍ଥ୍ୟ ଅଧିକାରୀ ନର୍ସଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)