• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହିଜାବ ସପକ୍ଷବାଦୀଙ୍କୁ ଶକ୍ତ ଧକ୍କା । ହିଜାବ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଶିକ୍ଷାନୁଷ୍ଠାନରେ ପିନ୍ଧା ଯିବ କେବଳ ୟୁନିଫର୍ମ । ଚଳିବ ନାହିଁ କୌଣସି ଧାର୍ମିକ ପୋଷାକ । ହିଜାବ ବ୍ୟାନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ପରେ କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ, ହିଜାବ ଏକ ଧାର୍ମିକ ପରମ୍ପରା ନୁହେଁ ଅର୍ଥାତ୍ ହିଜାବ ପିନ୍ଧିବା ମୌଳିକ ଅଧିକାର ବୋଲି କୁହାଯାଇପାରିବ ନାହିଁ । କୋର୍ଟଙ୍କ ରାୟକୁ ବିରୋଧ କରି କିଛି ସ୍ଥାନରେ ବିକ୍ଷୋଭ କରାଯାଇଥିବା ବେଳେ, ଏହାକୁ ନେଇ ରାଜନୀତି ବି ଜୋର ଧରିଛି ।

ତେବେ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ଏହାକୁ ପିନ୍ଧିବା ଜରୁରୀ ନୁହେଁ ଅର୍ଥାତ୍ ଶିକ୍ଷାନୁଷ୍ଠାନରେ କେବଳ ୟୁନିଫର୍ମ ହିଁ ପିନ୍ଧାଯିବ । କୌଣସି ଧାର୍ମିକ ପୋଷାକ ପିନ୍ଧାଯାଇପାରିବ ନାହିଁ ବୋଲି କୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି । ଅପରପକ୍ଷରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି । ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି କିଛି ମୁସଲିମ୍ ଛାତ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୧୧ ଦିନ ବ୍ୟାପୀ ଶୁଣାଣି ପରେ ଗତ ମାସ ୨୫ ଚାରିଖରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।

କୋର୍ଟଙ୍କ ରାୟ ପୂର୍ବରୁ କର୍ଣ୍ଣାଟକ ସରକାର ପ୍ରତିଷେଧାତ୍ମକ ପଦକ୍ଷେପ ନେଇଥିଲେ । ରାଜ୍ୟରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ସେଥିଲାଗି ବେଙ୍ଗଳୁରୁରେ ଗୋଟିଏ ସ୍ଥାନରେ ବହୁସଂଖ୍ୟାରେ ଲୋକ ଏକତ୍ରିତ ହେବା ଉପରେ କଟକଣା ଲଗାଯାଇଛି । ମାଙ୍ଗାଲୋରରେ ମଧ୍ୟ ଆଜିଠୁ ୧୯ ତାରିଖ ଯାଏଁ ଏହି ନିୟମ ବଳବତ୍ତର ରହିବ ।

ଅନ୍ୟପକ୍ଷରେ ହିଜାବ ବିବାଦର ଉତ୍ପତିସ୍ଥଳ ଉଡୁପିରେ ଆଜି ସ୍କୁଲ, କଲେଜ ବନ୍ଦ ରହିଛି । ଏହାସତ୍ତ୍ୱେ ବି ଚେନ୍ନାଇ ଓ ଆଉ କେତେକ ସ୍ଥାନରେ କୋର୍ଟଙ୍କ ରାୟକୁ ବିରୋଧ କରି ବିକ୍ଷୋଭ କରାଯାଇଛି । ହିଜାବ ଅଭିଯାନ ପଛରେ ହାତ ଥିବା କୁହାଯାଉଥିବା ଛାତ୍ର ସଙ୍ଗଠନ କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ରାୟ ଆସିଛି ହେଲେ ନ୍ୟାୟ ମିଳିନି । ଆଗକୁ ଲଢେଇ ଜାରି ରହିବ ।

ସେପଟେ ହାଇକୋର୍ଟଙ୍କ ରାୟକୁ ନେଇ ରାଜନୀତି ବି ତେଜିବାରେ ଲାଗିଛି । ବିଜେପି ଏହାକୁ ନାରୀ ସଶକ୍ତୀକରଣ ରୂପେ ଦେଖିବା ଆବଶ୍ୟକ ବୋଲି ମତ ଦେଇଥିବା ବେଳେ, ବିରୋଧୀ ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଥିବା କହିଛନ୍ତି । 

ଉଡୁପି ଜିଲ୍ଲା କୁନ୍ଦପୁରା ସରକାରୀ ପ୍ରି-ୟୁନିଭର୍ସିଟି କଲେଜରୁ ହିଜାବ ବିବାଦର ସୂତ୍ରପାତ ହୋଇଥିଲା । କିଛି ଛାତ୍ରୀ ହିଜାବ ପିନ୍ଧିବାକୁ ଜିଦ୍ କରିବାରୁ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ବାରଣ କରିଥିଲେ । କଲେଜ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଛାତ୍ରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।