• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପେଟ ନା ପିଗି ବ୍ୟାଙ୍କ୍ ! ବ୍ୟକ୍ତିଙ୍କ ପେଟରୁ ବାହାରିଲା ୧୮୭ଟି କଏନ୍ । କର୍ଣ୍ଣାଟକ ବାଗଲକୋଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ପେଟ ଯନ୍ତ୍ରଣା ଓ ବାରମ୍ବାର ବାନ୍ତି ହେଉଥିବାରୁ ଡାକ୍ତରଖାନାରେ ପହଞ୍ଚିଥିଲେ ରୋଗୀ ଜଣକ । ଆଉ ଏହାର ପ୍ରକୃତ କାରଣ ଜାଣିବା ପାଇଁ ଡାକ୍ତର ତାଙ୍କର ବିଭିନ୍ନ ପରୀକ୍ଷା କରିଥିଲେ । ଏଣ୍ଡୋସ୍କୋପିରେ ଜଣାପଡ଼ିଥିଲା ପେଟରେ ଅନେକ କଏନ୍‌ ଗଦା ହୋଇଛି । ପରେ ତାଙ୍କର ଅପରେସନ୍‌ କରାଯାଇଛି ।

୫୮ ବର୍ଷ ବୟସ୍କ ଦୟମପ୍ପା ହରିଜନଙ୍କ । ସେ ରାଇଚୁର ଜିଲ୍ଲାର ଲିଙ୍ଗସୁଗୁର ସହରର ବାସିନ୍ଦା । ୨୬ ନଭେମ୍ବର ଶନିବାର ଦିନ ଦୟମପ୍ପାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ସେ ତାଙ୍କ ପୁଅ ରବି କୁମାରଙ୍କ ସହ ନିକଟସ୍ଥ HSK ଡାକ୍ତରଖାନାକୁ ଯାଇଥିଲେ । ଲକ୍ଷଣ ଆଧାରରେ ସେଠାରେ ଡାକ୍ତରମାନେ ଏକ୍ସରେ ଏବଂ ଏଣ୍ଡୋସ୍କୋପି କରିଥିଲେ । ଆଉ ଏଥିରେ ଜଣା ପଡ଼ିଥିଲା ତାଙ୍କ ପେଟରେ ୧.୨ କିଲୋଗ୍ରାମ କଏନ୍ ରହିଛି । ଏହା ପରେ ଅପରେସନ୍‌ କରାଯାଇ ଟଙ୍କା ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଡାକ୍ତର ।

ଅଧିକ ପଢ଼ନ୍ତୁ: ପେଟ ଭିତରେ ୯ କୋଟି ଟଙ୍କାର ହେରୋଇନ୍‌ !

ଅପରେସନ୍ ପରେ ଦୟମପ୍ପାଙ୍କ ପେଟରୁ ୫୬ଟି ୫ ଟଙ୍କିଆ, ୫୧ଟି ଦୁଇ ଟଙ୍କିଆ, ୮୦ଟି ଟଙ୍କିକିଆ ମୁଦ୍ରା ବାହାରିଛି । ୪୬୨ ଟଙ୍କାର ମୋଟ ୧୮୭ଟି କଏନ୍‌ ବାହାର କରାଯାଇଛି । ମାନସିକ ବିକୃତି ପାଇଁ ବ୍ୟକ୍ତି ଜଣଙ୍କ ୨/୩ ମାସରେ ଏସବୁ ଟଙ୍କା ଗିଳି ଦେଇଥିବା କୁହାଯାଉଛି । ଡାକ୍ତର କହିଛନ୍ତିଯେ, ବ୍ୟକ୍ତି ଜଣକ ସ୍କିଜୋଫ୍ରେନିଆ ରୋଗରେ ପୀଡ଼ିତ । ପେଟରୁ କଏନ୍‌ ବାହାର କରିବା ସହଜ ନଥିଲା । ତିନି ଜଣିଆ ଡାକ୍ତରୀ ଟିମ୍‌ ଏହି ଅପରେସନ୍ କରିଛନ୍ତି ।

ଦୟମପ୍ପାଙ୍କ ପୁଅ କହିଛନ୍ତି, ବାପା ମାନସିକ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ନିଜ କାମ ନିଜେ କରନ୍ତି । କେବେ କାହାକୁ ହଇରାଣ କରନ୍ତି ନାହିଁ । ସେ ଏପରି କଏନ୍‌ ଖାଉଥିବା କଥା କାହାକୁ କହିନଥିଲେ କିମ୍ବା ପରିବାର ଲୋକ ଜାଣିନଥିଲେ । ଅଚାନକ୍‌ ପେଟରେ ଯନ୍ତ୍ରଣା ହେବା ପରେ ହିଁ ସେ ହସ୍ପିଟାଲ ନେବାକୁ କହିଥିଲେ । ଆଉ ସେଠାରେ ହିଁ ସେ କଏନ୍‌ ଗିଳିଥିବା କଥା ଜଣାପଡ଼ିଥିଲା ।