Advertisment

ହ୍ୱାଇଟ୍ ହାଉସର ଅତିଥି ହେଲେ ପ୍ରଧାନମନ୍ତ୍ରୀ; ମୋଦିଙ୍କୁ ମିଳିଲା ଆକର୍ଷଣୀୟ ଉପହାର

ଉପନିଷଦରେ ନିଜ ଜୀବନ କାଳରେ ୧ ହଜାର ପୂର୍ଣ୍ଣଚନ୍ଦ୍ର ଦର୍ଶନ କରିଥିବା ବା ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବ୍ୟକ୍ତିଙ୍କ କୁଶଳ ମନାସି ଦଶଦାନ ଦିଆଯିବାର ବିଧି ରହିଛି । ତେଣୁ ବନ୍ଧୁ ବାଇଡେନଙ୍କ ସର୍ବକୁଶଳତା ପାଇଁ ଏଇ ଅନନ୍ୟ ଦାନ ଦେଇଛନ୍ତି ମୋଦି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Modi White House visit

ଖାସ ଅତିଥି, ଖାସ୍ ଗିଫ୍ଟ । ଆମେରିକାକୁ ପ୍ରଥମ ଷ୍ଟେଟ୍ ଭିଜିଟର ଦ୍ୱିତୀୟ ଦିନରେ ଆଜି ହ୍ୱାଇଟ୍ ହାଉସର ଅତିଥି ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନଙ୍କୁ ସାଢ଼େ ସାତ କ୍ୟାରେଟର ସୁନ୍ଦର ସବୁଜ ହୀରା ଭେଟି ଦେଇଥିବାବେଳେ ଚର୍ଚ୍ଚାରେ ରହିଛି ରାଷ୍ଟ୍ରପତି ବାଇଡେନଙ୍କୁ ମୋଦିଙ୍କ ଚନ୍ଦନ କାଠରେ ନିର୍ମିତ ଆକର୍ଷଣୀୟ ବାକ୍ସ ଓ ଏଥିରେ ଥିବା ଦଶ ଦାନ ।

Advertisment

ରାଜକୀୟ ଗସ୍ତ... ରାଜକୀୟ ସ୍ୱାଗତ...ରାଜକୀୟ ଆତିଥ୍ୟ...ରାଜକୀୟ ଉପହାର । ହ୍ୱାଇଟ୍ ହାଉସରେ ପହଞ୍ଚିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ବାଇଡେନ ଦମ୍ପତ୍ତିଙ୍କ ବନ୍ଧୁତ୍ୱ ଦେଖିବାକୁ ମିଳିଥିଲା । ଆଉ ରାଷ୍ଟ୍ରପତି ଜୋ ଓ ଜିଲଙ୍କ ପାଇଁ ମୋଦି ନେଇଥିଲେ କାରୁକାର୍ଯ୍ୟପୂର୍ଣ୍ଣ ଚନ୍ଦନ କାଠରେ ପ୍ରସ୍ତୁତ ଉପହାର ବାକ୍ସ । ପୂରା ଭାରତୀୟ ସଂସ୍କୃତିର ନିଦର୍ଶନ ଥିବା ଏଇ ଉପହାର ବାକ୍ସରେ ୮୧ ବର୍ଷୀୟ ବାଇଡେନଙ୍କ ପାଇଁ ଥିଲା ପଶ୍ଚିମବଙ୍ଗ କାରିଗରଙ୍କ ପ୍ରସ୍ତୁତ ବିଘ୍ନ ବିନାଶକ ଭଗବାନ ଗଣେଶଙ୍କ ଚାନ୍ଦିର ଏକ ମୂର୍ତ୍ତି, ଚାନ୍ଦିର ଏକ ଦୀପ ଏବଂ ଉତ୍ତରପ୍ରଦେଶରେ ନିର୍ମିତ ଶ୍ଳୋକ ଖୋଦିତ ଏକ ତାମ୍ରପତ୍ର ।

ଏଥିସହ ଏଇ ଅନନ୍ୟ ଉପହାର ବାକ୍ସ ଭିତରେ ଦଶଟି ଛୋଟ ବାକ୍ସରେ ଦଶ ଦାନ ବି ଥିଲା । ଯେମିତିକି ଘୃତଦାନ ଭାବେ ପଞ୍ଜାବରେ ପ୍ରସ୍ତୁତ ଘିଅ, ଗୁଡ଼ଦାନ ଭାବେ ମହାରାଷ୍ଟ୍ର ପ୍ରସ୍ତୁତ ଗୁଡ଼, ଧାନ୍ୟଦାନ ଭାବେ ଉତ୍ତରାଖଣ୍ଡରୁ ମିଳୁଥିବା ଲମ୍ବା ଦାନାଯୁକ୍ତ ଚାଉଳ, ସୁବୁର୍ଣ୍ଣ ଦାନ ଭାବେ ରାଜସ୍ଥାନ ହସ୍ତନିର୍ମିତ ୨୪ କ୍ୟାରେଟ୍ ଯୁକ୍ତ ସୁନାର ମୁଦ୍ରା, ରୌପ୍ୟଦାନ ଭାବେ ସେଇ ରାଜସ୍ଥାନ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଏକ ଚାନ୍ଦିର ମୁଦ୍ରା, ଲବଣଦାନ ଭାବେ ଗୁଜରାଟ ପ୍ରସ୍ତୁତ ଲୁଣ, ଭୂମିଦାନର ବିକଳ୍ପ ଭାବେ କର୍ଣ୍ଣାଟକ ମହୀଶୁରରୁ ମିଳୁଥିବା ସୁଗନ୍ଧିତ ଚନ୍ଦନର ଏକ ଖଣ୍ଡ, ଗୋଦାନର ବିକଳ୍ପ ଭାବେ ପଶ୍ଚିମବଙ୍ଗ କାରିଗରଙ୍କ ହସ୍ତନିର୍ମିତ ରୂପାର ଏକ ନଡ଼ିଆ, ତିଳଦାନ ଭାବେ ତାମିଲନାଡୁରୁ ମିଳୁଥିବା ଶ୍ୱେତ ତିଳ ଓ ବସ୍ତ୍ର ଦାନ ଭାବେ ଝାଡ଼ଖଣ୍ଡ କାରିଗରଙ୍କ ପ୍ରସ୍ତୁତ ହାତବୁଣା ଟସର କପଡ଼ା । ଉପନିଷଦରେ ନିଜ ଜୀବନ କାଳରେ ୧ ହଜାର ପୂର୍ଣ୍ଣଚନ୍ଦ୍ର ଦର୍ଶନ କରିଥିବା ବା ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବ୍ୟକ୍ତିଙ୍କ କୁଶଳ ମନାସି ଦଶଦାନ ଦିଆଯିବାର ବିଧି ରହିଛି । ତେଣୁ ବନ୍ଧୁ ବାଇଡେନଙ୍କ ସର୍ବକୁଶଳତା ପାଇଁ ଏଇ ଅନନ୍ୟ ଦାନ ଦେଇଛନ୍ତି ମୋଦି ।

Advertisment

କେବଳ ସେତକି ନୁହେଁ, ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନଙ୍କୁ ବି ସାଢ଼େ ୭ କ୍ୟାରେଟର ଏକ ସୁନ୍ଦର, ଆକର୍ଷଣୀୟ ସବୁଜ ହୀରା ବା ଗ୍ରୀନ୍ ଡାଇମଣ୍ଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ବି ଏକଦମ୍ ଖାସ୍ । କାରଣ ଇଏ ପ୍ରାକୃତିକ ନୁହେଁ ପରିବେଶ ଅନୁକୁଳ ଲାବ ଗ୍ରୋନ୍ ବା ପ୍ରୟୋଗଶାଳାରେ ବିକଶିତ ହୀରା । ଯାହାକୁ ସୁରତର ଇଚ୍ଛାପୁର ସ୍ଥିତ ଲାବଗ୍ରୋନ୍ ଡାଇମଣ୍ଡ ଫ୍ୟାକ୍ଟ୍ରିରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗରେ ପ୍ରସ୍ତୁତ କରାଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଇ ଗସ୍ତକୁ ସ୍ମରଣୀୟ କରିବାକୁ ଏସବୁ ବାଇଡେନ୍ ଦମ୍ପତିଙ୍କ ଉପହାର । ସେ ଭିତରେ ରହିଛି ବିଂଶ ଶତାବ୍ଦୀ ଆରମ୍ଭରେ ଆମେରିକାର ହସ୍ତନିର୍ମିତ ଏକ ପ୍ରାଚୀନ ପୁସ୍ତକ, ଆମେରିକା ନିର୍ମିତ ଏକ ପୁରୁଣା କ୍ୟାମେରା, ଜର୍ଜ ଇଷ୍ଟମେନଙ୍କୁ କୋଡାକ୍ କ୍ୟାମେରାରୁ ଉଠାଯାଇଥିବା ପ୍ରଥମ ଫଟୋ, ଆମେରିକା ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫିର ଏକ ପୁସ୍ତକ, କିମ୍ବଦନ୍ତୀ କବି ରବର୍ଟ ଫ୍ରଷ୍ଟଙ୍କ ହସ୍ତଲିଖିତ କଲେକ୍ଟେଡ୍ ପୋଏମ୍ସ ଅଫ ରବର୍ଟ ଫ୍ରଷ୍ଟ ପୁସ୍ତକର ପ୍ରଥମ ସଂସ୍କରଣ । ରାଷ୍ଟ୍ରପତି ଜୋ ଓ ଜିଲ୍ ବାଇଡେନ୍ ମିଳିତ ଭାବେ ମୋଦିଙ୍କ ହାତରେ ଦେଇଛନ୍ତି ଏସବୁ ଉପହାର ।

ବ୍ୟୁରୋ ଇନ୍ପୁଟ୍ ସହ ସୁରତରୁ ଶୈଳେଶ ଚାମ୍ପାନରିଆଙ୍କ ରିପୋର୍ଟ, ଓଟିଭି 

Joe Biden Indian Prime Minister
Advertisment
Advertisment