• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୫ଶହ ଫୁଟ୍ ଉପରେ ୨୬ ଘଣ୍ଟାର ରେସକ୍ୟୁ ଅପରେସନ୍ । ଶେଷ ମୁହୂର୍ତ୍ତରେ ହାତ ଛାଡି ଦେଲା ଜୀବନ । ବାୟୁସେନା ଉଦ୍ଧାରକାରୀଙ୍କ ପ୍ରୟାସ ସଫଳ ହୋଇଥିଲେ ହୁଏତ ବଞ୍ଚି ଯାଇଥାଆନ୍ତେ ବ୍ୟକ୍ତି ଜଣଙ୍କ, ମାତ୍ର ଆଖି ପିଛୁଳାକେ ସବୁ ଶେଷ । ସେପଟେ ଉଦ୍ଧାର ବେଳେ ଜାବୁଡି ଧରିଥିବା ଦଉଡିରୁ ଖସି ପଡିଥିଲେ ଆଉ ଜଣେ ମହିଳା । ସୌଭାଗ୍ୟକୁ ଜୀବନ ସିନା ବଞ୍ଚି ଯାଇଛି ମାତ୍ର ସେ ଗୁରୁତର ହୋଇଛନ୍ତି ।

୫ ଶହ ଫୁଟ୍ ଉପରେ ରୋପ୍ ୱେ’ର ୧୦ଟି କ୍ୟାବିନ୍‌ରେ ଝୁଲି ରହିଥିବା ୩୫ ଜଣ ଯାତ୍ରୀଙ୍କୁ ଉଦ୍ଧାର । ବାୟୁସେନା ଯବାନଙ୍କ ଲାଗି ବେଶ୍ ଚ୍ୟାଲେଞ୍ଜିଂ ଥିଲା । ଭୟ ଓ ଆତଙ୍କ ଭିତରେ ଫସି ରହିଥିବା ଯାତ୍ରୀ ଜୀବନ ବଞ୍ଚାଇବା ଲାଗି ବ୍ୟଗ୍ର ହୋଇଉଠୁଥିଲେ । କେହି କେହି ହେଲିକପ୍ଟର ବୋନେଟ୍‌କୁ ବି ଧରି ପକାଇଥିଲେ । ତେବେ ୪୦ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରକ୍ଷା ପାଇଛି ୩୫ ଜୀବନ । ହେଲେ ୨ ଜଣଙ୍କୁ ବଞ୍ଚାଇବାରେ ସଫଳ ହୋଇନି ବାୟୁସେନା ।

ରବିବାର ଅପରାହ୍ନରେ ରୋପ୍ ୱେ’ ଅଘଟଣ ଖବର ମିଳିବା ପରେ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ସବୁ ବଳ ଲଗାଇଦେଇଥିଲା ବାୟୁସେନା । ଅପରେସନରେ ଲାଗିଥିଲେ ଏମଆଇ-୧୭ ହେଲିକପ୍ଟର ଏବଂ ଏଏଲଏଚ୍ ଏମ୍‌କେ -ଥ୍ରୀ ହେଲିକପ୍ଟର । ମଝି ଆକାଶରେ କ୍ୟାବିନ୍ ଭିତରେ ଝୁଲି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହଜ ନଥିଲା ।

କଠିନ ପରିସ୍ଥିତିରେ ଆରମ୍ଭ ହୋଇଥିଲା ଦୁଃସହାସିକ ଅଭିଯାନ । ବାୟୁସେନା ସହ ଏହି ଅପରେସନରେ ସାମିଲ ହୋଇଥିଲେ ଏନଡିଆରଏଫ୍ ଓ ଆଇଟିବିପି ଯବାନ । ଡ୍ରୋନ୍ ଜରିଆରେ ଯାତ୍ରୀଙ୍କୁ ଖାଦ୍ୟ ଓ ପାନୀୟ ଦିଆଯାଇଥିଲା ।  ଶେଷରେ ଦେଶର ଏହି ସୁଉଚ୍ଚ ରୋପେ ୱେ’ରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଶେଷ ହୋଇଛି ବାୟୁସେନାର ଅପରେସନ୍ ଦେଓଘର । ସେପଟେ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଝାଡଖଣ୍ଡ ହାଇକୋର୍ଟ । ଏପ୍ରିଲ ୨୬ ତାରିଖରେ ମାମଲାର ଶୁଣାଣି ହେବ ।