• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜାମ୍ମୁ ଓ କାଶ୍ମୀରରେ ପୁଣି ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ୍ । ଶ୍ରୀନଗର ସୌର ଅଞ୍ଚଳରେ ଆତଙ୍କୀଙ୍କ ଆଖିବୁଜା ଗୁଳିରେ ଜଣେ ପୋଲିସ ଯବାନ ସହିଦ । ଏଥିରେ ତାଙ୍କ ୭ ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି । ସହିଦ ପୋଲିସ କର୍ମଚାରୀଙ୍କ ପରିଚୟ ମିଳିଛି । ତାଙ୍କ ନାଁ ସୈଫୁଲ କାଦ୍ରି । ସୈଫୁଲଙ୍କୁ ତାଙ୍କ ଘର ଆଗରେ ହିଁ ଆତଙ୍କବାଦୀମାନେ ଗୁଳି କରିଛନ୍ତି ।

ଗୁଳିମାଡ଼ ପରେ ସୈଫୁଲ ଓ ତାଙ୍କ ଝିଅଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ୭ ବର୍ଷୀୟ ଝିଅର ଡାହାଣ ହାତରେ ଗୁଳି ବାଜିଛି । ସେ ଏବେ ବିପଦମୁକ୍ତ ଥିବା ଜଣାପଡ଼ିଛି । ସେପଟେ ଏ ଆକ୍ରମଣ ଘଟଣା ପରେ ଘଟଣାସ୍ଥଳକୁ ଅଧିକ ସଂଖ୍ୟାରେ ପୋଲିସ ଟିମକୁ ପଠାଯାଇଛି ।

ଆତଙ୍କବାଦୀଙ୍କୁ ତୁରନ୍ତ ଧରିବାକୁ ଉଦ୍ୟମ ଜାରି ରହିଥିବା କାଶ୍ମୀର ପୋଲିସ ଆଇଜି ବିଜୟ କୁମାର କହିଛନ୍ତି । ସେପଟେ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ରାଜ୍ୟପାଳ । ଏଣେ ସହିଦ ଯବାନଙ୍କୁ ଜାମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏହା ପୂର୍ବରୁ ଗତ ସୋମବାର ଜାମ୍ମୁ ଓ କାଶ୍ମୀରର ବାରମୁଲା ଅଞ୍ଚଳରେ ଆତଙ୍କୀ ଗୋଷ୍ଠୀ ଜଣେ ସରପଞ୍ଚଙ୍କୁ ହତ୍ୟା କରିଥିଲେ । ଏ ଘଟଣାରେ ୩ ଜଣ ଲସ୍କର ଆତଙ୍କବାଦୀଙ୍କୁ ଗିରଫ କରିଥିଲା ଜାମ୍ମୁ ଓ କାଶ୍ମୀର ପୋଲିସ ।