• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁୁଦ୍ଧ । ୧୨ଦିନରେ ପହଞ୍ଚିଛି ଆକ୍ରମଣ-ପ୍ରତି ଆକ୍ରମଣ । ଗୋଟିଏପରେ ଗୋଟିଏ ଛାତିଥରା କାହାଣୀ ସାମ୍ନାକୁ ଆସୁଛି । ଏସବୁ ଭିତରେ ଭାରତୀୟ ମହିଳାଙ୍କ ସାହସିକତାକୁ ସମସ୍ତେ ସାଲ୍ୟୁଟ୍‌ କରିଛନ୍ତି । ଆତଙ୍କବାଦୀଙ୍କ ଗନ୍‌ ପଏଣ୍ଟରୁ ବୃଦ୍ଧାଙ୍କ ଜୀବନ ବଞ୍ଚାଇଛନ୍ତି ଜଣେ ଭାରତୀୟ ମହିଳା । ଉପସ୍ଥିତ ବୁଦ୍ଧି ଲଗାଇ ପରିସ୍ଥିତିକୁ ସମ୍ଭାଳିବା ସହ ନିଜକୁ ଓ ସମ୍ପୃକ୍ତ ବୃଦ୍ଧାଙ୍କୁ ଆତଙ୍କବାଦୀଙ୍କ କବଳରୁ ବଞ୍ଚାଇ ପାରିଛନ୍ତି କେରଳର ସବିତା । 

ଭାରତରେ ଥିବା ଇସ୍ରାଏଲ ଦୂତାବାସ ମଙ୍ଗଳବାର ଦିନ କେରଳର ୨ ମହିଳାଙ୍କ ସାହସିକତାକୁ ଭୁରି ଭୁରି ପ୍ରଶଂସା କରାଯାଉଛି । ହମାସ ଆତଙ୍କବାଦୀଙ୍କ କବଳରୁ ଏମାନେ ଇସ୍ରାଏଲ ନାଗରିକଙ୍କୁ ବଞ୍ଚାଇଛନ୍ତି । ସବିତା ହେଉଛନ୍ତି ଜଣେ ଘରୋଇ ସହାୟିକା । କିପରି ଭାବେ ସେ ଓ ମୀରା ମୋହନ ଇସ୍ରାଏଲ ନାଗରିକଙ୍କୁ ଆତଙ୍କବାଦୀଙ୍କ କବଳରୁ ବଞ୍ଚାଇ ଥିଲେ ଏନେଇ ସବିତା ସେହି ସମୟର ଭୟଙ୍କର ଅନୁଭୂତି ବଖାଣିଛନ୍ତି । ଏନେଇ ଦୂତାବାସ X ହ୍ୟାଣ୍ଡେଲରେ ଭିଡିଓ ଶେୟାର କରିଛି । 

ସବିତା କହିଛନ୍ତି, କିବୁଜ୍‌ ବର୍ଡର ନିକଟରେ ସେ ଓ ମୋହନା ଘରୋଇ ସହାୟିକା ଭାବେ କାମ କରନ୍ତି । ରାହେଲ ନାମକ ଜଣେ ବୃଦ୍ଧା, ଯିଏକି ALS ରୋଗରେ ଆକ୍ରାନ୍ତ, ତାଙ୍କର ଦେଖାଶୁଣା କରନ୍ତି । ‘ସେ ଦିନ ମୋର ରାତିରେ ଡ୍ୟୁଟି ଥିଲା । ‘ ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ସାଇରନ୍‌ ଶବ୍ଦ ଶୁଣିବା ପରେ ଆମେ ଘରର ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇ ଥିଲୁ’ ବୋଲି ସବିତା କହିଛନ୍ତି । 

ସବିତା ଆହୁରି କହିଛନ୍ତି, ‘ସାଇରନ୍‌ ଶବ୍ଦ ବନ୍ଦ ହେଉନଥିଲା । ସେମିତି ବାଜି ଚାଲିଥିଲା । ଏହି ସମୟରେ ରାହେଲଙ୍କ ଝିଅ ଫୋନ୍‌ କରି କହିଥିଲେ, ଆମ ହାତରେ ଆଉ କଛି ନାହିଁ । ଘରର କବାଟ ବନ୍ଦ କରି ରୁହ । ମାତ୍ର କଛି ସମୟ ମଧ୍ୟରେ ଆତଙ୍କବାଦୀମାନେ କବାଟ ଭାଙ୍ଗି ଘର ଭିତରେ ପଶି ଗୁଳିମାଡ଼ କରିବା ସହ କାଚ ଭାଙ୍ଗି ଦେଇଥିଲେ । ଏସବୁ ଦେଖି ଆମେ ପୁରାପୂରି ଭୟଭୀତ ହୋଇଯାଇଥିଲୁ । ତଥାପି ମନରେ ସାହସ ବାନ୍ଧି ହାତରେ ଚପଲ ଧରି ଧୀରେ ଧୀରେ ଘରର ସୁରକ୍ଷିତ ସ୍ଥାନକୁ ଯାଇ ସେଠାରେ ଲୁଚିକି ରହିଥିଲୁ । ସକାଳ ପ୍ରାୟ ସାଢ଼େ ୭ଟା ଯାଏ ଆତଙ୍କବାଦୀମାନେ ଘର ଭିତରେ ଥିଲେ ଓ କବାଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସମସ୍ତ ପ୍ରଚେଷ୍ଟା କରି ଆମେ କବାଟକୁ ସେମିତି ଧରିକି ରଖିଥିଲୁ । ସେମାନେ କବାଟ ବାଡ଼େଇବା ସହ ଗୁଳି ଚାଳନା କରିଥିଲେ ଓ ସବୁକିଛି ଛିନ୍‌ଭିନ୍‌ କରିଦେଲେ ।’

‘ବାହାରେ କ’ଣ ସବୁ ଚାଲିଛି, ଏସମ୍ପର୍କରେ ଆମର କୌଣସି ଧାରଣା ନଥିଲା । ଦିନ ପ୍ରାୟ ୧ଟା ସମୟରେ ପୁଣି ଗୁଳି ଶବ୍ଦ ଶୁଣିଥିଲୁ । ସେମାନେ ଇସ୍ରାଏଲ ସେନା ଥିଲେ, ଯେଉଁମାନେ ଆମକୁ ଉଦ୍ଧାର କରିବାକୁ ଆସିଥିଲେ’ ବୋଲି ସବିତା କହିଛନ୍ତି । 

ସେପଟେ ଏୟାରଷ୍ଟ୍ରାଇକ ଯୋଗୁ ଗାଜାର ଏକ ହସ୍ପିଟାଲ୍‌ରେ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ହସ୍ପିଟାଲ୍‌ ପରିସରରେ ଥିବା ଅନେକ ଗାଡ଼ି ପୋଡ଼ି ଯାଇଛି । ମୃତ ବ୍ୟକ୍ତିଙ୍କ କ୍ଷତବିକ୍ଷତ ଶରୀର ବିଭିନ୍ନ ସ୍ଥାନରେ ପଡ଼ିରହିଛି । ହସ୍ପିଟାଲ୍‌କୁ ଟାର୍ଗେଟ୍‌ କରି ଆକ୍ରମଣ ହୋଇଥିବାରୁ ଏହାକୁ ସାରା ବିଶ୍ୱରେ ନିନ୍ଦା କରାଯାଇଛି ।