• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଗ୍ନିପଥ ବିରୋଧରେ ଆନ୍ଦୋଳନ, ଜୋରଦାର ପ୍ରତିବାଦ, ହରତାଳ, ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ଯୋଜନା ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ । ଦେଶର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ । ତ୍ରିଭେନ୍ଦ୍ରମରେ ରାସ୍ତା ଅବରୋଧ ତ ଚେନ୍ନାଇରେ ପ୍ରତିବାଦ । ପାଟନାରେ ଡ୍ରମ୍ ବଜାଇ ଯୋଜନା ଫେରାଇ ନେବାକୁ ଦାବି ଜଣାଇଛନ୍ତି ବିକ୍ଷୋଭକାରୀ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦେଶବ୍ୟାପୀ ରେଳରୋକ ବି କରାଯାଇଛି । ଫଳରେ ୫ ଶହରୁ ଅଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

ଭାରତ ବନ୍ଦ ବେଳେ ଗୁରୁଗ୍ରାମ-ଦିଲ୍ଲୀ ରୋଡରେ ଦେଖାଦେଇଥିଲା ଟ୍ରାଫିକ୍ ଜାମ୍ । ଜାତୀୟ ରାଜପଥରେ ଅଟକି ରହିଥିଲା ହଜାର ହଜାର ସଂଖ୍ୟାରେ ଗାଡ଼ି । ଓଡିଶାରେ ଆଜି ଅଳ୍ପ କେତେକ ସ୍ଥାନରେ ଅଗ୍ନିପଥ ସ୍କିମକୁ ବିରୋଧ ହୋଇଛି । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ନିକଟରେ ରାସ୍ତା ଅବରୋଧ କରିଥିଲେ ଶତାଧିକ ଆଶାୟୀ । ଏପଟେ ରାଜଧାନୀ ଭୁବନେଶ୍ୱରରେ ସରକାରଙ୍କ ୪ ବର୍ଷିଆ ଅଗ୍ନିପଥ ସ୍କିମ୍‌କୁ ବିରୋଧ କରିଥିଲା ସିପିଆଇ ।

ଅଗ୍ନିପଥ ଯୋଜନାକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି ବାମଦଳ ଓ କଂଗ୍ରେସ । ଆଜି ଦ୍ୱିତୀୟ ଦିନରେ ଦିଲ୍ଲୀ ଜନ୍ତରମନ୍ତରରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧିଙ୍କୁ ଇଡିର ଜେରା ପ୍ରତିବାଦ ଅବସରରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିଛି । ସେହିପରି ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବହୁ ପ୍ରତୀକ୍ଷିତ ଅଗ୍ନିପଥ ଯୋଜନାକୁ ବିରୋଧ ଭିତରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ସେନା । ସ୍ଥଳ ସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । joinindianarmy.nic.in ୱେବସାଇଟ୍‌ରେ ଆବେଦନ କରିବା ନେଇ ଜାରି ହୋଇଛି ବିସ୍ତୃତ ବିବରଣୀ । ଆସନ୍ତା ମାସ ପ୍ରଥମ ସପ୍ତାହରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ଜେନେରାଲ୍ ଡ୍ୟୁଟି, ଟେକ୍ନିକାଲ, ଅଗ୍ନିବୀର ଏଭିଏସନ, ଆମ୍ୟୁନିସନ ଟେକ୍ନିକାଲ, ଅଗ୍ନିବୀର କ୍ଲର୍କ, ଷ୍ଟୋର କିପର ଓ ଟ୍ରେଡମ୍ୟାନ ଭଳି ବିଭିନ୍ନ ଶ୍ରେଣୀରେ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ । ଆସନ୍ତାକାଲି ନୌସେନା ଏବଂ ୨୪ରେ ବାୟୁସେନା ବିଜ୍ଞପ୍ତି ପ୍ରକାଶ କରିବ ।

ଏହାରି ମଧ୍ୟରେ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପରେ କାମ କରିବାକୁ ସୁଯୋଗ ମିଳିବ ବୋଲି ଘୋଷଣା କରିଛନ୍ତି । ଆନନ୍ଦ ମହିନ୍ଦ୍ରାଙ୍କ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେନା ଦ୍ୱାରା ପ୍ରଶିକ୍ଷଣ ପାଇଥିବା ଶୃଙ୍ଖଳିତ ଯୁବକଙ୍କୁ ନିଯୁକ୍ତି ଦେବାକୁ କିଏ ବା ନ ଚାହିଁବ ବୋଲି ସେ ଟୁଇଟ କରିଛନ୍ତି । ଏଥିସହ ରତନ ଟାଟା, ରିଲାଏନ୍ସ ଗ୍ରୁପ ଏବଂ ଅଦାନୀ ଗ୍ରୁପ ମଧ୍ୟ ଅନୁରୂପ ଭାବେ ଅବସର ପରେ ଅଗ୍ନିବୀରଙ୍କୁ ନିଯୁକ୍ତ ଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।