• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଅସ୍ତ୍ରବିରତି ଘୋଷଣା କରି ମାତ୍ର ୩ ଘଣ୍ଟା ପରେ ଉଲ୍ଲଘଂନ କଲା ପାକିସ୍ତାନ । ନିଜେ ଦେଇଥିବା ପ୍ରତିଶ୍ରୁତି ପାକିସ୍ତାନ ନିଜେ ରଖିଲାନି । ଭାରତର ଅପରେସନ ସିନ୍ଦୂରରେ ବିଳି ବିଳେଇଥିଲା ପାକିସ୍ତାନ । ଭାରତର ଆକ୍ରମଣ ଦେଖି ଛାନିଆ ହୋଇଯାଇଥିଲା । ତେଣୁ ଆମେରିକାର ଶରଣ ପଶିଥିଲା ପାକିସ୍ତାନ । ଭାରତ ଆକ୍ରମଣ କରିବା ପୂର୍ବରୁ ପ୍ରଥମେ ଛାଡିଥିଲା ଜଳ ମିସାଇଲ୍ । ହାତରେ ନୁହେଁ ପାକିସ୍ତାନକୁ ଭାତରେ ମାରିବାକୁ ଯୋଜନା କରିଦେଇଛି ଭାରତ । ଭାରତୀୟ ସେନାର ତିନି ବାହିନୀ ଯେ କୌଣସି ପରିସ୍ଥିତିର ସାମନା କରିବାକୁ ବି ପ୍ରସ୍ତୁତ ଅଛନ୍ତି ।

ଏହି ଜଳ ମିସାଇଲ୍ ହେଉଛି ସିନ୍ଧୁ ଜଳ ଚୁକ୍ତି ବାତିଲ୍ । ୬୦ ବର୍ଷ ତଳର ସିନ୍ଧୁ ଜଳ ଚୁକ୍ତିନାମାକୁ ଅସିଦ୍ଧ ଘୋଷଣା କରି ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଥିଲେ ମୋଦି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ପାଣି ଭାରତରେ ବହିବ । ଭାରତର କାମରେ ହିଁ ଆସିବ । ଏକ ନିଉଜ ଚାନେଲକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ପାକିସ୍ତାନର ନାଁ ନ ନେଇ ଭାରତର ସିନ୍ଧୁ ଜଳ ଚୁକ୍ତିକୁ ଶୀତଳ ଭଣ୍ଡାରରେ ପକାଇ ଦେବା କଥା କହିଛନ୍ତି । ସେ କହିଥିଲେ, ‘‘ପ୍ରଥମେ ଭାରତ ଭାଗରେ ଥିବା ପାଣି ବାହାରକୁ ଯାଉଥିଲା । ଏବେ ଭାରତର ପାଣି ଭାରତ ପାଇଁ ବହିବ, ଭାରତ ପାଇଁ ଅଟକିବ ଏବଂ ଭାରତର କାମରେ ଆସିବ ।’’

ଭାରତ ଭାଗରେ ଥିବା ପାଣି ବାହାରକୁ ଯାଉଥିଲା -ଏହି କଥା କହି ତତ୍କାଳୀନ ରାଜନେତାଙ୍କ ଭାରତ ସ୍ୱାର୍ଥ ପ୍ରତି ଉଦାସୀନ ମନୋଭାବକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଆଉ ପାକିସ୍ତାନ ମଧ୍ୟରେ ୧୯୬୦ ସେପ୍ଟେମ୍ବର ୧୯ ତାରିଖରେ ହୋଇଥିଲା ସିନ୍ଧୁ ଜଳ ଚୁକ୍ତିନାମା । ଏହି ଚୁକ୍ତିନାମା ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ପ୍ରସ୍ତୁତ କରାଯାଇଥିଲା । ଏହି ଚୁକ୍ତିନାମାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲା ନେହରୁ ଏବଂ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନ ଦସ୍ତଖତ କରିଥିଲେ । ଏହି ଚୁକ୍ତି ଅନୁସାରେ ଭାରତକୁ ମିଳିଥିଲା ରାବୀ, ବ୍ୟାସ ଏବଂ ସତଲୁଜ ନଦୀର ପାଣି । ପାକିସ୍ତାନକୁ ମିଳିଥିଲା ସିନ୍ଧୁ, ଝେଲମ ଏବଂ ଚିନାବ ନଦୀର ପାଣି । ଯାହା ବି ହେଉ, ଏହି ସବୁ ନଦୀ ପାଣିକୁ କିଛି କିଛି ମାତ୍ରାରେ ଉଭୟ ଦେଶ ବ୍ୟବହାର କରିବାର ଅନୁମତି ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ: ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ; ସୀମାରେ ଡ୍ରୋନ୍, ଗୁଳିବର୍ଷଣ କଲା

ତେବେ ଏହି ବୁଝାମଣା ସମୟରେ ଭାରତରେ ବିରୋଧାଭାସ ଦେଖିବାକୁ ମିଳିଥିଲା । ଏପରିକି କଂଗ୍ରେସ ଭିତରେ ବି ଏହି ଚୁକ୍ତିନାମାକୁ ନେଇ ବିରୋଧ କରାଯାଇଥିଲା । ହେଲେ ଦଳର ନେତାମାନେ ପଣ୍ଡିତ ନେହରୁଙ୍କୁ ଖୋଲାଖୋଲି ସମାଲୋଚନା କରି ପାରି ନ ଥିଲେ । ଏ ସମ୍ପର୍କରେ ଚର୍ଚ୍ଚିତ ପୁସ୍ତକ ‘ଇଣ୍ଡିଆ ଆଫ୍ଟର ଗାନ୍ଧୀ’ ରେ ରାମଚନ୍ଦ୍ର ଗୁହା ବିସ୍ତୃତ ଭାବେ ଲେଖିଛନ୍ତି ।

ସିନ୍ଧୁ ଜଳ ଚୁକ୍ତିନାମାର ଇତିହାସ

ସ୍ୱାଧୀନତା ପରେ ୧୯୪୭ରେ ଭାରତ ବିଭାଜନ ହୋଇଥିଲା । ବିଭାଜନରେ ପଞ୍ଜାବ ପ୍ରାନ୍ତକୁ ଦୁଇ ଭାଗରେ ବିଭକ୍ତ କରି ଦିଆଗଲା । ସେଥିପାଇଁ ପଞ୍ଜାବ ଦେଇ ଯାଇଥିବା ନଦୀର ପାଣିକୁ ବାଣ୍ଟିବା ଏକ ଜଟିଳ କାମ ଥିଲା । ଏହାକୁ ନେଇ ଦୀର୍ଘ ସମୟ ଧରି ଦୁଇ ଦେଶ ମଧ୍ୟରେ ଆଲୋଚନା ହେଇଥିଲା । ଏହିସବୁ ନଦୀଗୁଡିକ ତିବ୍ବତରୁ ବାହାରି ଭାରତ ଦେଇ ପାକିସ୍ତାନରେ ପ୍ରବେଶ କରିଥିଲା । ପାକିସ୍ତାନ ଏହିସବୁ ନଦୀର ତଳମୁଣ୍ଡରେ ରହିଛି ଏବଂ ଚାଷ ପାଇଁ ଏହି ନଦୀମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଛି । ବିଶେଷ କରି ପଞ୍ଜାବ ଏବଂ ସିନ୍ଧୁ ପ୍ରାନ୍ତରେ ଥିବା ପାକିସ୍ତାନର ଚାଷ ସମ୍ପୂର୍ଣ୍ଣ ଭାବରେ ଏହି ନଦୀ ଉପରେ ନିର୍ଭର କରେ ।

ଭାରତ ୧୯୪୮ରେ ପ୍ରଥମ ଥର ପାଇଁ ଏହି ନଦୀ ପାଣିକୁ ରୋକି ଦେଇଥିଲା । ଏହାକୁ ନେଇ ପାକିସ୍ତାନ ଜାତିସଂଘରେ ଗୁହାରି କରିଥିଲା । ୧୯୫୪ରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ଦୁଇ ଦେଶ ଏକାଠି ହୋଇ ଆଲୋଚନା କରିଥିଲେ । ନେହରୁ ମଧ୍ୟ ଏହି ମାମଲାକୁ ଆଲୋଚନା ମାଧ୍ୟମରେ ବୁଝାମଣା କରିବାକୁ ଚାହୁଁଥିଲେ । ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିଛବି ଏକ ଉଦାର ରାଷ୍ଟ୍ର ଭାବେ ରଖିବାକୁ ସେ ଚାହୁଁଥିଲେ । ସେଥିପାଇଁ ସେ ଯେତେଦୂର ସମ୍ଭବ ଭାରତର ହିତକୁ ପଛ କରି ଏହି ଚୁକ୍ତିନାମାରେ ଦସ୍ତଖତ କରିଥିଲେ । ଏହି ଚୁକ୍ତିନାମା ଅନୁସାରେ ତିନୋଟି ନଦୀର ୮୦ ପ୍ରତିଶତ ଜଳ ପାକିସ୍ତାନକୁ ଦେବାକୁ ଭାରତ ରାଜି ହୋଇଥିଲା ।

ଦଳ ଭିତରେ ବିରୋଧର ସମ୍ମୁଖୀନ ହୋଇଥିଲେ ନେହରୁ

ରାମଚନ୍ଦ୍ର ଗୁହା ତାଙ୍କ ପୁସ୍ତକରେ ଲେଖିଛନ୍ତି, ଏହି ଚୁକ୍ତିନାମାକୁ ନେଇ ଦଳ ଭିତରେ ମତଭେଦ ଦେଖା ଦେଇଥିଲା । କଂଗ୍ରେସର ବଡ ବଡ ନେତା କହୁଥିଲେ, ସର୍ଦ୍ଦାର ପଟେଲ ଥିଲେ ନେହରୁ ଏପରି ଭାରତ ସହ ପକ୍ଷପାତ କରି ପାରି ନଥାନ୍ତେ । ପଟେଲ ଏପରି ବୁଝାମଣା ହେବାକୁ କେବେ ବି ଦେଇ ନଥାନ୍ତେ । କାରଣ ଏହି ଚୁକ୍ତିନାମା ଅନୁଯାୟୀ, ପଶ୍ଚିମ ତଟର ନଦୀ ଯେପରି ସିନ୍ଧୁ, ଝେଲମ, ଚେନାବ ଯାହା ପାକିସ୍ତାନ ଭାଗରେ ପଡିଛି ସେଥିରେ ୯୯ ଅରବ ଘନ ମିଟର ପାଣି ପ୍ରବାହିତ ହେଉଛି । ଅନ୍ୟପକ୍ଷେ ଭାରତ ପକ୍ଷରେ ପଡିଥିବା ରାବି, ସତଲେଜ ଓ ବ୍ୟାସ ନଦୀରେ ୪୧ ଅରବ ଘନ ମିଟର ପାଣି ପ୍ରବାହିତ ହେଉଛି । ସେ ସମୟରେ କଂଗ୍ରେସର ବଡ ବଡ ନେତାଙ୍କ କହିବା କଥା ଥିଲା, ଭାରତର ଭୌଗୋଳିକ ସ୍ଥିତି ଉପରେ ରହିଛି । ତେଣୁ ଭାରତ ଏହାର ଫାଇଦା ଉଠାଇ ଅଧିକ ଭଲ ଡିଲ କରିପାରି ଥାନ୍ତା । ହେଲେ ନେହରୁ ରାଷ୍ଟ୍ରୀୟ ହିତକୁ ନଜରଅନ୍ଦାଜ କରି ଏହି ଡିଲ କରିଥିଲେ ।

ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ରାଜସ୍ଥାନ ଓ ପଞ୍ଜାବ

ଏହି ସିନ୍ଧୁ ଜଳ ବୁଝାମଣା ଯୋଗୁ ଅଧିକ କ୍ଷତିଗ୍ରସ୍ତ ରାଜ୍ୟ ମଧ୍ୟରେ ଥିଲେ ରାଜସ୍ଥାନ ଓ ପଞ୍ଜାବ । ଏହି ରାଜ୍ୟର କଂଗ୍ରେସ ସାଂସଦମାନେ ନେହରୁଙ୍କୁ କଡା ସମାଲୋଚନା କରିଥିଲେ । ସଂସଦରେ ଏହା ଉପରେ ବି ଖୁବ ବିତର୍କ ହୋଇଥିଲା । ଏହି ବିତର୍କରେ ନିଜେ ନେହରୁ ବି ଉପସ୍ଥିତ ଥିଲେ । କଂଗ୍ରେସ ନେତା ତଥା ପଞ୍ଜାବ ସାଂସଦ ଇକବାଲ ସିଂହ ସଂସଦରେ ସିନ୍ଧୁ ଜଳ ଚୁକ୍ତିନାମା ବିତର୍କର ଆରମ୍ଭ କରିଥିଲେ ।

୧୫୦ ମିନିଟ ଧରି ହୋଇଥିଲା ଚର୍ଚ୍ଚା

ସଂସଦରେ ସିନ୍ଧୁ ଜଳ ବୁଝାମଣା ଉପରେ ୧୫୦ ମିନିଟ ଧରି ବିତର୍କ ଚାଲିଥିଲା । ବରିଷ୍ଠ ନେତାମାନେ ଏହି ବିତର୍କରେ ଭାଗ ନେଇଥିଲେ । କଂଗ୍ରେସ ସାଂସଦ ଏଚସି ମାଥୁର ଏହି ଚର୍ଚ୍ଚାରେ ଭାଗ ନେଇ ନେହରୁ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହି ବୁଝାମଣା ରାଜସ୍ଥାନ ଉପରେ ବିପରୀତ ପ୍ରଭାବ ପକାଇବ ବୋଲି ଯୁକ୍ତି ଦର୍ଶାଇଥିଲେ । ଏହି ବୁଝାମଣା ଯୋଗୁ ପଞ୍ଜାବର ଖାଦ୍ୟ ଉଊତ୍ପାଦନ ପ୍ରଭାବିତ ହେବ ବୋଲି କହିଥିଲେ ସାଂସଦ ଇକବାଲ ସିଂହ । କଂଗ୍ରେସ ନେତାମାନେ ନେହରୁଙ୍କ ଉପରେ ପାକିସ୍ତାନ ତୁଷ୍ଟୀକରଣ ନୀତି ଆପଣେଇଥିବା ଅଭିଯୋଗ ଆଣିବା ସହ ଆତ୍ମସମର୍ପଣ କରିଦେଲେ ବୋଲି କହିଥିଲେ । କଂଗ୍ରେସର ଅନ୍ୟତମ ବରିଷ୍ଠ ସାଂସଦ ଅଶୋକ ମେହଟା ନେହରୁଙ୍କୁ କଟାକ୍ଷ କରି କହିଥିଲେ, ‘ଯାହାଙ୍କ ଉପରେ ଦେଶ ରକ୍ଷା କରିବାର ଦାୟିତ୍ୱ ଥିଲା ସେ ହିଁ ଭାରତକୁ ଧୋକା ଦେଲେ ।’

ରାଗି ଯାଇଥିଲେ ନେହରୁ

ସଂସଦରେ ସିନ୍ଧୁ ଜଳ ବୁଝାମଣାକୁ ନେଇ ଚାଲିଥିବା ବିତର୍କରେ ନେହରୁଙ୍କୁ କଡା ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା । ବିଶେଷ କରି ନିଜ ଦଳର ନେତାଙ୍କ ସମାଲୋଚନା ତାଙ୍କୁ କ୍ଷୁବ୍ଧ କରିଥିଲା । ଆଲୋଚନାରେ ନେହରୁ ବି ଭାଗ ନେଇଥିଲେ । ଏଥିରେ ତାଙ୍କ କ୍ଷୋଭ ବେଶ ବାରି ହୋଇ ପଡୁଥିଲା । ସିନ୍ଧୁ ଜଳ ଚୁକ୍ତିନାମାକୁ ବିରୋଧ କରୁଥିବା ଲୋକଙ୍କୁ ସେ ‘ନ୍ୟାରୋ ମାଇଣ୍ଡେଡ’ ବୋଲି କହିଥିଲେ । ବିତର୍କର ୩ ସପ୍ତାହ ପରେ ଏହି ବୁଝାମଣାକୁ ସଂସଦରେ ମଞ୍ଜୁରୀ ମିଳିଥିଲା ।

ଯାହା ବି ହେଉ, ଏବେ ୬୦ ବର୍ଷ ପରେ ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ଏହି ଚୁକ୍ତିନାମାକୁ ସ୍ଥଗିତ ରଖାଗଲା ବୋଲି ଘୋଷଣା କରିଛି । ଆଉ ଗୋଟିଏ ପାଦ ଆଗକୁ ଯାଇ ଚେନାବ ଓ ଝେଲମ ନଦୀର ପାଣିକୁ ଅଟକାଇ ଦେଇଛି । ଏହି ନଦୀର ପାଣି ଅଟକାଇ ଭାରତ ସରକାର ୫ଟି ପ୍ରୋଜେକ୍ଟ କରିବାକୁ ଯାଉଛନ୍ତି । ଏଥିମଧ୍ୟରୁ ୩ ପ୍ରୋଜେକ୍ଟ ଆରମ୍ଭରୁ ଚାଲି ଆସୁଛି । ଆଉ ଦୁଇଟି ପ୍ଲାଣ୍ଟ କରିବା ପାଇଁ ଯୋଜନା ଚାଲିଛି ।

ଜମ୍ମୁ-କାଶ୍ମୀରରେ ସରକାର ୫ଟି ହାଇଡ୍ରୋପାୱାର ପ୍ରୋଜେକ୍ଟ ନିର୍ମାଣ ଖୁବ ଶୀଘ୍ର ଶେଷ କରିବା ପାଇଁ ଲକ୍ଷ୍ୟ ରଖି କାମ ଆରମ୍ଭ କରିଛନ୍ତି । ଝେଲମ ଏବଂ ଚେନାବ ନଦୀର ଜଳପ୍ରବାହକୁ ରୋକି ସରକାର ଏହି ପ୍ରୋଜେକ୍ଟ କାମ ଦ୍ରୁତ ଗତିରେ କରିବାକୁ ବସିଛନ୍ତି । ତିନୋଟି ପ୍ରୋଜେକ୍ଟ ପୂର୍ବରୁ ଚାଲିଛି । ଏବେ ଚେନାବ ନଦୀ ଉପରେ ପାକଲ ଡଲ ଏବଂ କୀରୁ ପ୍ରୋଜେକ୍ଟ ପାଇଁ ଖୁବ ଶୀଘ୍ର କମିଶନ ବସାଯିବ । ଏଥର ଶକ୍ତି ବିଭାଗ ଠିକାଦାରଙ୍କ ସହ ଯୋଗାଯୋଗ ଆରମ୍ଭ କରି ଦେଲେଣି ।

କେତେ କ୍ଷମତା ବିଶିଷ୍ଟ ହେବ ଦୁଇଟି ଯାକ ପ୍ଲାଣ୍ଟ

ଶକ୍ତି ସଚିବ ପଙ୍କଜ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ପାକଲ ଡଲ ଏବଂ କୀରୁ ପ୍ରୋଜେକ୍ଟ କାମରେ ଯେପରି ବିଳମ୍ବ ନ ହେବ ସେଥିପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବ । ଆମେ ଏହି ପ୍ରୋଜେକ୍ଟକୁ ଯେତେ ଶୀଘ୍ର ସମ୍ଭବ ପୁରା କରବାକୁ ଚାହୁଁଛୁ ବୋଲି ସେ କହିଛନ୍ତି । ଦୁଇଟି ଯାକ ପ୍ରୋଜେକ୍ଟର ମୋଟ କ୍ଷମତା ୧,୬୨୪ ମେଗାୱାଟ ରହିବ । ଏଥିରୁ ପାକଲ ଡଲ ହାଇଡ୍ରୋ-ଇଲେକ୍ଟ୍ରିକ ପ୍ଲାଣ୍ଟର କ୍ଷମତା ଏକ ହଜାର ମେଗାୱାଟ ରହିବ । ଏହା କିସ୍ତାବାଡରେ ଚେନାବର ଶାଖା ନଦୀ ମାରୁସୁଦ ଉପରେ ନିର୍ମାଣ କରାଯିବ । କୀରୁ ପ୍ରୋଜେକ୍ଟର କ୍ଷମତା ୬୨୪ ମେଗାୱାଟ ରହିବ ।

୩ ବର୍ଷରେ ହେବ ୫ ହାଇଡ୍ରୋ ପ୍ରୋଜେକ୍ଟ

ପାକଲ ଡଲ ପ୍ରୋଜେକ୍ଟ ଜମ୍ମୁ କାଶ୍ମୀର ଏବଂ ଲଦାଖରେ ହୋଇଥିବା ପ୍ରାଜେକ୍ଟ ମଧ୍ୟରୁ ସବୁଠାରୁ ବଡ ହାଇଡ୍ରୋ ପ୍ରୋଜେକ୍ଟ ଅଟେ । ଏବେ ବଗଲିହାରରେ ସବୁଠାରୁ ଅଧିକ ପ୍ରୋଜେକ୍ଟ ରହିଛି, ଯାହା ୯୦୦ ମେଗାୱାଟର ଅଟେ । ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ପାକଲ ଡଲ ଏବଂ କୀରୁ ପ୍ରୋଜେକ୍ଟକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାବ୍ୟତୀତ ପରନାଈ ଏବଂ କ୍ୱାର ପ୍ରୋଜେକ୍ଟକୁ ମଧ୍ୟ ୨୦୨୮ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅର୍ଥାତ ସରକାର ଆଗାମୀ ୩ ବର୍ଷ ମଧ୍ୟରେ ୫ଟି ପ୍ରୋଜେକ୍ଟ କାମ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖିଛନ୍ତି । ଏଥି ମଧ୍ୟରୁ ସବୁଠାରୁ ଛୋଟ ପ୍ରୋଜେକ୍ଟ ହେଉଛି ପରନାଇ ଯାହାର କ୍ଷମତା ମାତ୍ର ୩୮ ମେଗାୱାଟ । ଏହି ପ୍ରୋଜେକ୍ଟ ଝେଲମର ଶାଖା ନଦୀ ସୁରନ ଉପରେ ନିର୍ମାଣ ହେଉଛି । ସେହିପରି ରେତଲ ପ୍ରୋଜେକ୍ଟକୁ ମଧ୍ୟ ୨୦୨୮ ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖିଛନ୍ତି ।

କେଉଁ ପ୍ରାଜେକ୍ଟ କାମ କେତେ ସରିଛି

କହିବାକୁ ଗଲେ ପାକଲ ଡଲ ପ୍ରାଜେକ୍ଟ କାମ ସବୁଠାରୁ ଅଧିକ ଆଗେଇଛି । ଏହି ହାଇଡ୍ରୋ ପ୍ରୋଜେକ୍ଟ କାମ ବର୍ତ୍ତମାନ ସୁଦ୍ଧା ୬୫ ପ୍ରତିଶତ ସମ୍ପୂର୍ଣ୍ଣ ହୋଇ ସାରିଲାଣି । ଏହାବ୍ୟତୀତ ପରନାଇ ପ୍ରୋଜେକ୍ଟ ର କାମ ୬୩% ଶେଷ ହୋଇଛି । କୀରୁ ପ୍ରୋଜେକ୍ଟ କାମ ୫୨% ଶେଷ ହୋଇଛି । ସେହିପରି କ୍ୱାର ପ୍ରୋଜେକ୍ଟ କାମ ୨୮% ଏବଂ ରେତଲ ପ୍ରାଜେକ୍ଟ କାମ ୧୭% ଶେଷ ହୋଇଛି ।

ବି.ଦ୍ର.- ଏହା ଲେଖିକାଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ: ଭାରତର 'ଦୋସ୍ତି'କୁ ଭୁଲିଗଲା ବେଇମାନ୍ ତୁର୍କୀ, ଇସଲାମାବାଦକୁ ପଠାଇଥିଲା ଡ୍ରୋନ୍ ଭର୍ତ୍ତି ଜାହାଜ