• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିମାନରେ ବୋମା ଆତଙ୍କ । ମଧ୍ୟପ୍ରଦେଶର ଜବଲପୁରରୁ ତେଲେଙ୍ଗାନାର ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ବୋମା ଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନାଗପୁରକୁ ଡାଇର୍ଭଟ କରିଦିଆଯାଇଛି । ଇଣ୍ଡିଗୋ ବିବୃତ୍ତି ଅନୁଯାୟୀ, ଇଣ୍ଡିଗୋ ବିମାନ 6E-7308 ବିମାନ ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା । ତେବେ ବିମାନରେ ବୋମା ଥିବା ଚେତାବନୀ ମିଳିବା ପରେ ରବିବାର ସକାଳେ ଏହି ବିମାନକୁ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନ ନାଗପୁରରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ଏହି ବିମାନରେ ୬୯ ଜଣ ଯାତ୍ରୀ ଓ ୪ ଜଣ କ୍ୟାବିନ୍‌ କ୍ରୁ ଥିଲେ ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ବୋମା ଧମକ ବାର୍ତ୍ତା ଏକ କାଗଜରେ ଲେଖାଯାଇଥିଲା । ବିମାନର ବାଥରୁମରେ ଏହି ବୋମା ଚେତାବନୀ କାଗଜ ଦେଖିବାକୁ ମିଳିଥିଲା । ତେବେ ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ସୁରକ୍ଷା ଏଜେନ୍ସି ସମଗ୍ର ବିମାନକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିଛନ୍ତି । କିନ୍ତୁ ସେମାନଙ୍କୁ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା ।

ଏହାପୂର୍ବରୁ ଅଗଷ୍ଟ ୨୨ରେ ମୁମ୍ବାଇରୁ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଧମକ ମିଳିଥିଲା । ଏହା ପରେ ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ଏହି ଧମକ ପରେ ତିରୁବନନ୍ତପୁରମ୍ ଅର୍ନ୍ତଜାତୀୟ ବିମାନବନ୍ଦରକୁ ହାଇ ଆଲର୍ଟ ରଖାଯାଇଥିଲା । ବିମାନର ପୁଙ୍ଖାନୁପୁଙ୍ଖ ସୁରକ୍ଷା ଯାଞ୍ଚ ପରେ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଦିଆଯାଇଥିଲା। ବିମାନର ଶୌଚାଳୟରେ ଥିବା ଏକ ଟିସୁ ପେପରରେ ‘ବିମାନରେ ଏକ ବୋମା ଅଛି’ ବୋଲି ଲେଖା ହୋଇଥିବା ଦେଖିବାକୁ ମିଳିଥିଲା ।

ଏୟାର ଇଣ୍ଡିଆର ମୁଖପାତ୍ର କହିଥିଲେ ଯେ ଅଗଷ୍ଟ ୨୨ରେ ମୁମ୍ବାଇରୁ ତିରୁବନନ୍ତପୁରମ୍ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ AI657 ରେ ଏକ ସ୍ୱତନ୍ତ୍ର ସୁରକ୍ଷା ଆଲର୍ଟ ଚିହ୍ନଟ କରାଯାଇଥିଲା । ବିମାନଟି ତିରୁବନନ୍ତପୁରମରେ ନିରାପଦରେ ଅବତରଣ କଲା ଏବଂ ସୁରକ୍ଷା ଏଜେନ୍ସି ଯାଞ୍ଚ ଆରମ୍ଭ କରିଥିଲେ । ଏହା ଏକ ଦୂର ସ୍ଥାନରେ ପାର୍କିଂ କରାଯାଇଥିଲା । ଯାଞ୍ଚ ପରେ ବିମାନରେ କିଛି ସନ୍ଦେହଜନକ ସାମଗ୍ରୀ ମିଳିନଥିଲା । ବୋମା ଧମକ କେବଳ ଗୁଜବ ବୋଲି ପ୍ରମାଣିତ ହୋଇଥିଲା ବୋଲି ଏୟାର ଇଣ୍ଡିଆ ମୁଖପାତ୍ର କହିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now