• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତୀୟମାନେ ଖାଦ୍ୟ ପ୍ରେମୀ । ଚଟପଟା ଓ ମସାଲାଦାର ଖାଦ୍ୟ ଭାରତୀୟମାନଙ୍କର ବେଶି ପସନ୍ଦ । ଯୁଗ ସହ ତାଳ ଦେଇ ବର୍ତ୍ତମାନ ଅନଲାଇନରେ ମଧ୍ୟ ଖାଦ୍ୟ ଡେଲିଭରୀ ହେଲାଣି । ଘରେ ବସି ଆରାମରେ ମନ ପସନ୍ଦର ଖାଦ୍ୟ ମଗେଇ ହେଉଛି । ଆଉ ଏ ସଂସ୍କୃତିକୁ ଆଗେଇ ନେଇଛନ୍ତି ଜୋମାଟୋ ଓ ସ୍ୱିଗି ଭଳି ଅନଲାଇନ ଡେଲିଭରୀ ଆପ୍ ।

ଗତକାଲି ସ୍ୱିଗି ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତୀୟମାନେ ବିରିୟାନୀ ଖାଇବାକୁ ଅଧିକ ଭଲ ପାଆନ୍ତି । ବିଗତ ୮ ବର୍ଷ ଧରି ବିରିୟାନୀ ଭାରତୀୟଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଖାଦ୍ୟ ରହି ଆସିଛି । କ୍ରମାଗତ ୮ ବର୍ଷ ପାଇଁ ସ୍ୱିଗିରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ତାଲିକାରେ ଶୀର୍ଷରେ ରହିଛି ବିରିୟାନୀ ।

ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତି ସେକେଣ୍ତରେ ଗ୍ରାହକ ୨.୫ ଅର୍ଥାତ୍ ଅଢ଼େଇଟି ବିରିୟାନୀ ଅର୍ଡର କରୁଛନ୍ତି । ପ୍ରତି ୫.୫ ଚିକେନ ବିରିୟାନୀରେ ଗୋଟିଏ ସାଧା ବିରିୟାନୀ ଅର୍ଡର କରା ଯାଇଥିଲା । ଅନ୍ୟପଟେ ଚଣ୍ତିଗଡ଼ର ଗୋଟେ ପରିବାର ଗୋଟିଏ ଥରରେ ୭୦ ପ୍ଲେଟ ବିରିୟାନୀ ଅର୍ଡର କରିଥିଲେ ବୋଲି ରିପୋର୍ଟରେ ଦର୍ଶା ଯାଇଛି । ସେହିପରି ଅକ୍ଟୋବରରେ ୱାର୍ଲ୍ଡକପ ଚାଲିଥିବା ବେଳେ ସ୍ୱିଗିରେ ପ୍ରତି ମିନିଟରେ ୨୫୦ ରୁ ଅଧିକ ବିରିୟାନୀ ଅର୍ଡର ହେଉଥିବା କଥା ରିପୋର୍ଟରେ କୁହା ଯାଇଛି ।

ସେହିପରି ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଦିନରେ ୨୦୭ ଟି ପିଜ୍ଜା ଅର୍ଡର କରାଯାଇଛି ବୋଲି ରିପୋର୍ଟରେ କୁହା ଯାଇଛି । ଝାନ୍ସୀରେ ଗୋଟିଏ ଦିନରେ ୨୬୯ ପ୍ରକାର ଖାଦ୍ୟ ମଧ୍ୟ ଅର୍ଡର କରାଯାଇଛି । ସେହିପରି ନବରାତ୍ରୀ ଅବସରରେ ରସଗୋଲାର ଆଦର ସର୍ବାଗ୍ରେ ରହିଥିବା ବେଳେ, ମସାଲା ଦୋସା ମଧ୍ୟ ଲୋକପ୍ରିୟ ରହିଥିଲା ।

ଅନ୍ୟପଟେ ବେଙ୍ଗାଲୁରୁକୁ କେକ କ୍ୟାପିଟାଲର ମାନ୍ୟତା ପ୍ରଦାନ କରିଛି ସ୍ୱିଗି । ଚକୋଲେଟ କେକକୁ ନେଇ ୮.୫ ମିଲିୟନ ଅର୍ଡର ହୋଇଛି ବୋଲି ସ୍ୱିଗି ତରଫରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ନାଗପୁରର ଜଣେ ଗ୍ରାହକ ଗୋଟିଏ ଦିନରେ ୯୨ ଟି କେକ ଅର୍ଡର କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ମୁମ୍ବାଇର ଜଣେ ଗ୍ରାହକ ଗୋଟିଏ ଦିନରେ ୪୨.୩ ଲକ୍ଷ ଟଙ୍କା ମୂଲ୍ୟର ଖାଦ୍ୟ ଅର୍ଡର କରିଥିବା ଜଣା ପଡ଼ିଛି । ହାଇଦ୍ରାବାଦର ଜଣେ ଯୁବକ ଇଡଲୀ ପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡ଼ିଛି । ସେହିପରି ପିଜ୍ଜା ଓ ବର୍ଗରର ଲୋକପ୍ରିୟତା କମିଥିବା ଜଣା ପଡ଼ିଛି ।