• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ବାରମ୍ବାର ହେଉଛି ଟ୍ରେନ୍‌ ଦୁର୍ଘଟଣା । ଏଥିପାଇଁ ଦାୟୀ କିଏ ? କାହିଁକି ହେଉଛି ଦୁର୍ଘଟଣା ? କ’ଣ ଥାଇପାରେ କାରଣ ? କେତେବେଳେ ଟ୍ରେନ୍‌ ମୁହାଁମୁହିଁ ଧକ୍କା ତ କେତେବେଳେ ବଗି ଲାଇନ୍‌ଚ୍ୟୁତ ହେଉଛି । ଏଭଳି ଘଟଣା ଆମ ଦେଶବାସୀଙ୍କ ପାଇଁ ନୂଆ ନୁହେଁ । ହେଲେ ଏହାର ସମାଧାନ କ’ଣ ?

ସାମାନ୍ୟ ଅସାବଧାନତା ଯୋଗୁଁ ଅକାଳରେ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଆଉ ଏହି ଦୁର୍ଘଟଣାଗୁଡ଼ିକରେ ପ୍ରାୟ ୧୨,୦୦୦ ଲୋକ ପ୍ରାଣ ହରାଇଥିଲେ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଏହି ସୂଚନା ମିଳିଛି । ୨୦୨୦ର ଟ୍ରେନ୍ ଦୁର୍ଘଟଣାରେ ଦୈନିକ ମୃତ୍ୟୁ ସଂଖ୍ୟା ହାରାହାରି ଥିଲା ୩୨ ଜଣ । ଏହାସହ ଟ୍ରେନରୁ ଖସିପଡ଼ିବା କିମ୍ବା ରେଲୱେ ଟ୍ରାକ ପାର ହେଲା ବେଳେ ୮,୪୦୦ ଲୋକ ପ୍ରାଣ ହରାଇଥିବା ଏନ୍‌ସିଆର୍‌ବି ରିପୋର୍ଟ କହୁଛି ।

ମହାରାଷ୍ଟ୍ରରେ ସର୍ବାଧିକ ଟ୍ରେନ୍ ଦୁର୍ଘଟଣା

୨୦୨୦ର ଏନସିଆରବି ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ସର୍ବାଧିକ ଟ୍ରେନ୍ ଦୁର୍ଘଟଣା ଘଟିଛି । ଯାହା ସମୁଦାୟ ଦୁର୍ଘଟଣାର ୨୦ ପ୍ରତିଶତ । ଏହି ତାଲିକାରେ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଥିଲା । ମହାରାଷ୍ଟ୍ରରେ ୧୯୨୨ ଲୋକ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବାବେଳେ ଉତ୍ତର ପ୍ରଦେଶରେ ୧୫୫୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

ୟୁପିରେ ମୋଟ ୧୫୬୦ ରେଳ ଦୁର୍ଘଟଣା ହୋଇଥିବା ବେଳେ ଏହା ମୋଟ୍ ଦୁର୍ଘଟଣାର ୧୨ ପ୍ରତିଶତ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା । ଏହି କାରଣରୁ ଉଭୟ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଶୀର୍ଷରେ ରହିଥିଲା । ଏହା ବ୍ୟତୀତ ୟୁପିରେ ରେଳ କ୍ରସିଂରେ ଦୁର୍ଘଟଣା ରେକର୍ଡ ଛୁଇଁଥିଲା । କେନ୍ଦ୍ରର ରିପୋର୍ଟ ଅନୁସାରେ ରେଳ କ୍ରସିଂରେ ହୋଇଥିବା ଦୁର୍ଘଟଣାରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଥିଲା । ଏଥି ସହିତ ରେଳ କ୍ରସିଂ ଦୁର୍ଘଟଣାରରେ ବିହାର ଦ୍ୱିତୀୟ ସ୍ଥାନରେ ଏବଂ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଥିଲା ।

ତୁଳନାତ୍ମକ ଭାବେ ୨୦୨୦ରେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ ରେଳ ଦୁର୍ଘଟଣା ସ୍ଥିତି କିଛି ମାତ୍ରାରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ୨୦୧୯ ରେ ୨୭,୯୮୭  ଦୁର୍ଘଟଣା ହୋଇଥିବା ବେଳେ ୨୦୨୦ ରେ ଏହା ହ୍ରାସ ପାଇ ୧୩,୦୧୮କୁ ଖସିଛି । ୨୦୨୦ରେ ଦୁର୍ଘଟଣାରେ ୧୧,୯୮୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧,୨୨୭ ଜଣ ଆହତ ହୋଇଥିଲେ । ୨୦୨୦ ରେଳ ଦୁର୍ଘଟଣାରେ ୯,୧୧୭ ଟି ଦୁର୍ଘଟଣା କେବଳ ଟ୍ରେନରୁ ଖସି କିମ୍ବା ଲେବେଲ କ୍ରସିଂ ଜନିତ ବୋଲି ସୂଚନା ତଥ୍ୟ କହୁଛି । ସେହିଭଳି ଦୁର୍ଘଟଣାରେ ସାରା ଦେଶରେ ପ୍ରାୟ ୮୪୦୦ ଲୋକ ପ୍ରାଣ ହରାଇଥିଲେ ।

ତେବେ ଆଜି ୨୦୨୨ ଜାନୁଆରୀ ଆରମ୍ଭରୁ ମଧ୍ୟ ଦେଶରେ ରେଳ ଦୁର୍ଘଟଣା ଦେଖିବାକୁ ମିଳିଛି । ଗୌହାଟି-ବିକାନେର ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗ ଦୋମୋହାଣି ଠାରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ଏକ୍ସପ୍ରେସର ଏକାଥରକେ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ବର୍ତ୍ତମାନ ସୁଦ୍ଧା ୫୦ ଜଣ ଆହତ ହୋଇଛନ୍ତି।

ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରେଲ୍‌ୱେ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରେନ୍‌ଟି କାହିଁକି ଓ କେଉଁ ପରିସ୍ଥିତିରେ ଲାଇନ୍‌ଚ୍ୟୁତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି । ତେବେ ଲାଇନ୍‌ଚ୍ୟୁତ ହୋଇଥିବା ୧୨ଟି ବଗି ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇଛି । ବଗିଗୁଡ଼ିକ ଏଣେତେଣେ ଛିଟିକି ପଡ଼ିଛି। ଏହି ଘଟଣା ଆଜି ସନ୍ଧ୍ୟା ୫ଟାରେ ଘଟିଛି ।