• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେ ସ୍ୱାଧୀନ । ଆମ ହାତରେ ଆମରି ଶାସନ ଡୋରି, ଆମର ଭାଗ୍ୟ ନିୟନ୍ତା ଆମେ । ଗର୍ବର ସହିତ ଏ କଥା କହୁଛି ଫରଫର ହୋଇ ଉଡୁଥିବା ତ୍ରିରଙ୍ଗା । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ହର୍ ଘର୍ ତ୍ରିରଙ୍ଗାର ଯେଉଁ ଆହ୍ୱାନ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ, ସେଥିରେ ଉଦ୍‌ବୁଦ୍ଧ ହୋଇଛି ସାରା ଦେଶ, ସବୁଠି ଉଡୁଛି ଜାତୀୟ ପତାକା । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୩ ରୁ ୧୫ ଯାଏ ନିଜ ନିଜ ଘରେ ଜାତୀୟ ପତାକା ଉଡ଼ାଇବାକୁ କହିଥିଲେ ମୋଦି । ସାଧାରଣ ଲୋକଙ୍କଠାରୁ ଭିଭିଆଇପିଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଏହି ଆହ୍ୱାନ ପରେ ଏଥିରେ ସାମିଲ ହୋଇଛନ୍ତି ।

ଆସାମର ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ଉପରେ କରାଯାଇଛି ତ୍ରିରଙ୍ଗା ରାଲି । ସେପଟେ ବିଶ୍ୱର ଅନ୍ୟତମ ଉଚ୍ଚତମ ସ୍ଥାନ ଲେହରେ ଆଇଟିବିପି ଯବାନଙ୍କ ବାଇକ୍ ରାଲି । କାଶ୍ମୀରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିରାଟ ରାଲି କରିଛି ସିଆର୍‌ପିଏଫ୍ । ଛତିଶଗଡ଼ର ରାୟପୁରରେ ମଧ୍ୟ ସିଆର୍‌ପିଏଫ୍ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଏକ ବିରାଟ ବାଇକ୍ ଶୋଭାଯାତ୍ରା କରାଯାଇଛି ।

ଜାତୀୟ ପତାକାକୁ ନେଇ ଚଣ୍ଡୀଗଡ଼ରେ ଆୟୋଜିତ ଏକ ଉତ୍ସବ ଗିନିଜ୍‌ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛି । ଛାତ୍ରଛାତ୍ରୀମାନେ ଏଠାରେ ତ୍ରିରଙ୍ଗାର ତିନି ରଙ୍ଗର ପୋଷାକ ପିନ୍ଧି ହ୍ୟୁମାନ ପତାକା ତିଆରି କରିଥିଲେ । ହ୍ୟୁମାନ ଫ୍ଲାଗ୍ ସୃଷ୍ଟି କରିବାରେ ସବୁଠାରୁ ଅଧିକ ବ୍ୟକ୍ତି ସାମିଲ ହେବାର ରେକର୍ଡ ହୋଇଛି । ସେହିପରି ଡାମନ ଡିଉର ନାଗାଓ ବିଚ୍‌ରେ ଜାତୀୟ ପତାକା ଧରି ୫ କିଲୋମିଟରର ମାନବ ଶୃଙ୍ଖଳ କରାଯାଇଛି ।

ମହାକାଶରୁ ମଧ୍ୟ ଭାରତକୁ ଆସିଛି ଅଭିନନ୍ଦନ । ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଓ ଇସ୍ରୋର ୨୦୨୩ ଗଗନ ଯାନ ମିଶନ ପାଇଁ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରୁ ଶୁଭେଚ୍ଛା ଜଣାଇଛନ୍ତି ଇଟାଲିର ମହାକାଶ ବିଜ୍ଞାନୀ ସାମନ୍ତା କ୍ରିଷ୍ଟୋଫୋରେଟି ।

ହର୍ ଘର ତ୍ରିରଙ୍ଗା ଅଭିଯାନରେ ନେତା ମନ୍ତ୍ରୀମାନେ ବି ପଛରେ ପଡ଼ି ନାହାନ୍ତି । ଏହି ଅଭିଯାନରେ ସାମିଲ ହୋଇ ନିଜ ନିଜ ବାସଭବନରେ ଉଡ଼ାଇଛନ୍ତି ତ୍ରିରଙ୍ଗା । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ନିଜ ଘରେ ତ୍ରିରଙ୍ଗା ଉଡ଼ାଇଛନ୍ତି ।

ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ରେଢ଼ାଖୋଲରେ ୩ ଶହ ମିଟର ତ୍ରିରଙ୍ଗା ଯାତ୍ରା ହୋଇଥିବା ବେଳେ ରେଭେନ୍‌ସା ୟୁନିଭରସିଟି ତରଫରୁ ଏକ ଶୋଭାଯାତ୍ରା କରାଯାଇଛି । ସେହିପରି ରାଉରକେଲାରେ ବିଜେପିର ବାଇକ୍ ରାଲି ହୋଇଥିବା ବେଳେ କୋରାପୁଟରେ ଏକ ବିଶାଳ ପଦଯାତ୍ରା ହୋଇଛି ।

ସେପଟେ ସୋମବାର ହେବାକୁ ଥିବା ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ ଆଜି ଅନୁଷ୍ଠିତ ହୋଇଛି ଫୁଲ୍ ଡ୍ରେସ୍ ରିହର୍ସଲ । ଲାଲକିଲ୍ଲା ସହିତ ପୁରା ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।