• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦେଶର ବାଘ ସଂଖ୍ୟାରେ ରେକର୍ଡ ବୃଦ୍ଧି । ୨୦୨୨ ରିପୋର୍ଟ ଅନୁସାରେ ଦେଶରେ ଅଛନ୍ତି ୩ ହଜାର ୧୬୭ ବାଘ, ଯାହାକି ୨୦୧୮ ତୁଳନାରେ ୨୦୦ ଅଧିକ । ଆଜି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରରେ ଷ୍ଟାଟସ ଅଫ୍ ଟାଇଗର୍ସ, ଇଣ୍ଡିଆ ୨୦୨୨ ରିପୋର୍ଟ ଉନ୍ମୋଚନ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦେଶରେ ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଖୁସିର କଥା ଓଡ଼ିଶା ଆସୁଥିବା ଇଷ୍ଟର୍ଣ୍ଣ ଘାଟରେ ମଧ୍ୟ ବାଘ ସଂଖ୍ୟା ବୃଦ୍ଧି ପାଇଛି ।

ବାଘ ମାମୁ ପାଇଁ ସୁରକ୍ଷିତ ଦେଶ ଭାରତ । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ବଢ଼ିଛି ବାଘ ସଂଖ୍ୟା । ୪ ବର୍ଷ ମଧ୍ୟରେ ବାଘଙ୍କ ସଂଖ୍ୟା ୨୦୦ ବଢିଛି । ୨୦୨୨ ବାଘ ଗଣନା ରିପୋର୍ଟ ଅନୁସାରେ ଦେଶରେ ଅଛନ୍ତି ୩ ହଜାର ୧୬୭ଟି ବାଘ । ୨୦୧୮ରେ ଏ ସଂଖ୍ୟା ଥିଲା ୨ ହଜାର ୯୬୭ । ବାଘ ସଂଖ୍ୟା ବଢ଼ିଥିବାରୁ ୨୦୨୨ ବାଘ ଗଣନା ରିପୋର୍ଟ ଉନ୍ମୋଚନ କରିବା ଅବସରରେ ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କହିଛନ୍ତି, ବିଶ୍ୱରେ ଥିବା ମୋଟ ବାଘଙ୍କ ମଧ୍ୟରୁ ୭୫ ପ୍ରତିଶତ ଭାରତରେ ଥିବା ଗର୍ବର କଥା । ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସ୍ତରର ସହଯୋଗର ଆବଶ୍ୟକତାକୁ ଅନୁଭବ କରି ମୋଦି ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ ଆଲାଏନ୍ସର ଶୁଭାରମ୍ଭ କରିଛନ୍ତି । ସିଂହ, ବାଘ, କଲରାପତରିଆ, ସ୍ନୋ ଲେପଡ୍, ପୁମା, ଜାଗୁଆର ଓ ଚିତାର ସୁରକ୍ଷା ଦିଗରେ କାମ କରିବେ ଏହି ସଂଗଠନର ସଦସ୍ୟ ରାଷ୍ଟ୍ର ।

ଏହା ଭିତରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ପୂରିଛି ୫୦ ବର୍ଷ । ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୭୩ ମସିହାରେ ଏହାକୁ ଆରମ୍ଭ କରାଯାଇଥିଲା । ସେତେବେଳେ ଦେଶରେ ଥିଲା ୯ଟି ଟାଇଗର ରିଜର୍ଭ । ଏବେ ଦେଶରେ ୭୫ ହଜାର ବର୍ଗ କିଲୋମିଟର ଜଙ୍ଗଲରେ ଅଛି ୫୩ଟି ଟାଇଗର ରିଜର୍ଭ । ଅନ୍ୟପକ୍ଷରେ ଦେଶର ମଧ୍ୟଭାଗ ଓ ଓଡ଼ିଶା ଆସୁଥିବା ପୂର୍ବ ଘାଟ ଅଞ୍ଚଳରେ ସର୍ବାଧିକ ବାଘ ଅଛନ୍ତି । ୨୦୧୮ରେ ଏ ଦୁଇ ଅଞ୍ଚଳରେ ୧ ହଜାର ୩୩ଟି ବାଘ ଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୧୨୮ ବଢି ୧୧୬୧ରେ ପହଞ୍ଚିଛି ।

ତେଣୁ ଓଡ଼ିଶାରେ ମଧ୍ୟ ବାଘ ସଂଖ୍ୟା ବଢ଼ିଥାଇପାରେ ବୋଲି ଅନୁମାନ କରାଯାଉଛି । ଅବାଧ ଶିକାର, ଖଣି ଖନନ ସହିତ ଖାଦ୍ୟର ଅଭାବ, ଜଙ୍ଗଲ ନଷ୍ଟ ପରି କେତେକ ସମସ୍ୟାର ସମାଧାନ କଲେ ରାଜ୍ୟରେ ବାଘ ସଂଖ୍ୟା ବଢ଼ିବାର ସମ୍ଭାବନା ଅଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ବ୍ୟାଘ୍ର ଅଭୟାରଣ୍ୟର ପରିଚାଳନାଗତ ପ୍ରଭାବଶାଳୀ ମୂଲ୍ୟାୟନରେ ଶିମିଳିପାଳ ୯୦ ପ୍ରତିଶତରୁ ଅଧିକ ସ୍କୋର କରି ଏକ୍ସଲେଣ୍ଟ ବର୍ଗରେ ସାମିଲ ହୋଇଛି ।

ଟାଇଗର ପ୍ରୋଜେକ୍ଟର ସ୍ୱର୍ଣ୍ଣଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଅମ୍ରିତ କାଲ୍ କା ଭିଜନ ଫର୍ ଟାଇଗର କଜରଭେସନ ନାମକ ଏକ ବହି ଓ ଏକ ମୁଦ୍ରାର ଉନ୍ମୋଚନ କରିଛନ୍ତି । ସକାଳେ ସେ କର୍ଣ୍ଣାଟକର ବାନ୍ଦିପୁର ବ୍ୟାଘ୍ର ପ୍ରକଳ୍ପ ପରିଦର୍ଶନ କରିଥିଲେ । ପରେ ଓସ୍କାର ପୁରସ୍କାରପ୍ରାପ୍ତ ଡକ୍ୟୁମେଣ୍ଟାରି ଦି ଏଲିଫେଣ୍ଟ ହ୍ୱିସପର୍ସ ସୁଟିଂ ହୋଇଥିବା ଥେପାକାଡ଼ୁ ଯାଇ ସେଠାରେ କିଛି ସମୟ ବିତାଇଥିଲେ ।

ବ୍ୟୁରୋ ଇନପୁଟ୍ ସହ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ଓଟିଭି