ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା ! ପହଲଗାମରେ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣର ଜବାବ ଦେଇଛି ଭାରତ । ମେ' ୬ ମଧ୍ୟରାତ୍ରି ଠାରୁ ଭାରତ ଆରମ୍ଭ କରିଥିବା ‘ଅପରେସନ ସିନ୍ଦୂର’ ରେ ପାକିସ୍ତାନ ଧ୍ୱସ୍ତ ବିଧ୍ୱସ୍ତ ହେବାରେ ଲାଗିଛି l ଆତଙ୍କବାଦର ଫାକ୍ଟ୍ରି ଚଳାଇଥିବା ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡିଛି l ତେବେ ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ଭାରତ ଏକ ଅଦ୍ଭୁତପୂର୍ବ ରାଜନୈତିକ ଏକତା ଦେଖିଛି ।
ଦେଶର ସମସ୍ତ ରାଜନୈତିକ ଦଳ ଏବଂ ନେତାମାନେ ଉତ୍ସାହର ସହିତ ଭାରତ ସରକାରଙ୍କ ପ୍ରତିଟି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଯେ, ଗତ ଗୋଟିଏ ସପ୍ତାହ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଏନଡିଏ ଦଳର ନେତା ଏବଂ ସମସ୍ତ ବିରୋଧୀ ନେତାଙ୍କ ସହ ନିରନ୍ତର ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ବିଶ୍ୱାସକୁ ନେଇଥିଲେ ।
Also Read
ଏହି କାରଣରୁ ଅପରେସନ ବିଷୟରେ ସୂଚନା ମିଳିବା ମାତ୍ରେ ସମସ୍ତ ନେତା ସରକାର ଏବଂ ସେନାର ପ୍ରଶଂସା କରି ଏକତା ପ୍ରଦର୍ଶନ କରିଥିଲେ l ପ୍ରଥମ ଦଫାରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ୯ଟି ଆତଙ୍କବାଦୀ ଆଡ୍ଡା ଉଡେଇ ଭାରତୀୟ ସେନା ୧୪୦ କୋଟି ଦେଶବାସୀଙ୍କ ହୃଦୟ ଜିତିଛି । ଦେଶର କୋଣ ଅନୁକୋଣରୁ ଭାରତୀୟ ସେନାବାହିନୀ ପ୍ରତି ପ୍ରଶଂସାର ସୁଅ ଛୁଟିଛି । ଏଥିରେ ବିରୋଧୀ ଦଳ ବି ବାଦ ପଡିନାହାନ୍ତି । ଓଡିଶା ସମେତ ବିଭିନ୍ନ ରାଜ୍ୟ ଓ ସମଗ୍ର ଦେଶର ଶୀର୍ଷ ନେତାମାନେ ମୋଦି ସରକାରଙ୍କ ପଦକ୍ଷେପକୁ ଅକୁଣ୍ଠ ସମର୍ଥନ କରୁଛନ୍ତି l
ଅଧିକ ପଢ଼ନ୍ତୁ:ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ
୭ ମେ’ ବୁଧବାର ସକାଳେ ଆକ୍ରମଣର ଖବର ପ୍ରକାଶ ପାଇବା ମାତ୍ରେ ଅନେକ ବିରୋଧୀ ଦଳ ନେତା ସୋସିଆଲ ମିଡିଆରେ ସଶସ୍ତ୍ର ବାହିନୀର ସାହସିକତାକୁ ପ୍ରଶଂସା କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା ଓ ରାଜନୈତିକ ଆକ୍ଷେପ କରୁଥିବା ଦେଶର ମୁଖ୍ୟ ବିରୋଧୀଦଳ କଂଗ୍ରେସ ଏହି ପ୍ରସଙ୍ଗରେ ବେଶ୍ ପ୍ରଶଂସା କରିଛି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି l ‘ଅପରେସନ ସିନ୍ଦୂର’ ଭାରତୀୟ ଗଣତନ୍ତ୍ରର ଏହି ସୁନ୍ଦରତାକୁ ମୁଖରିତ କରିଛି l
ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସଙ୍ଗରେ କହିଛନ୍ତି, ଆମ ସଂସ୍କୃତିରେ 'ସିନ୍ଦୂର'କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ । ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି । ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି ।
ଆମେ ସେନାର ସାହସକୁ ନମନ କରୁଛୁ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭାରତବର୍ଷର ଗରିମା,ଗର୍ବ ଓ ଗୌରବକୁ ସାମ୍ନାକୁ ଆଣିଛନ୍ତି। ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ପ୍ରତିଶୋଧ ନେଇ ଆତଙ୍କୀଙ୍କ ଆଡ୍ଡା ଧ୍ୱଂସ କରିବାକୁ ସେ ସ୍ୱାଗତ କରିଛନ୍ତି ।
ସେହିଭଳି ରାଜ୍ୟର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭାରତୀୟ ସେନାର ପଦକ୍ଷେପକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇ କହିଛନ୍ତି ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସେନା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ବହୁ ଆତଙ୍କୀ ନିହତ ହୋଇଛନ୍ତି ।
ପ୍ରଦେଶ କଂଗ୍ରେସ କମିଟି ତରଫରୁ ସଭାପତି ଭକ୍ତ ଚରଣ ଦାସ ଗର୍ବର ସହିତ କହିଛନ୍ତି, ଭାରତୀୟ ସେନାବଳର ନିଶ୍ଚୟ ବିଜୟ ହେବ ଏବଂ ଭାରତବର୍ଷର ଗୌରବକୁ ପୁଣିଥରେ ଉଜ୍ଜୀବିତ କରିବ । ସେ କହିଛନ୍ତି, “ସମସ୍ତ ରାଜନୈତିକ ଦଳ ଭାରତ ସରକାରଙ୍କ ସହିତ ଏକ ହୋଇ ଠିଆ ହୋଇଛନ୍ତି । ଭାରତ କାହା ସହିତ ବି ଲଢିବାର ଶକ୍ତି ଓ ସାମର୍ଥ୍ୟ ରଖିଛି । ଭାରତ କାହାଠାରୁ କମ୍ ନୁହେଁ । ଯେତେବେଳେ ଦେଶକୁ ନେଇ ପ୍ରଶ୍ନ ଉଠୁଛି, କୌଣସି କମ୍ପ୍ରମାଇଜ୍ ନାହିଁ । ଦେଶ ଏକ, ଆମେ ଏକ ହୋଇ ଲଢିବୁ ।” ସେହିଭଳି ସିପିଆଇ, ସିପିଏମ୍, ଫରୱାର୍ଡ ବ୍ଲକ ଆଦି ପ୍ରମୁଖ ବାମପନ୍ଥୀ ଦଳଗୁଡିକ ମଧ୍ୟ ଭାରତୀୟ ସେନାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
ଜାତୀୟ ସ୍ତରରେ କଂଗ୍ରେସ ଦଳର ସମସ୍ତ ଶୀର୍ଷ ନେତା ଭାରତୀୟ ସେନା ଦ୍ୱାରା କରାଯାଇଥିବା 'ଅପରେସନ ସିନ୍ଦୂର’କୁ ପ୍ରଶଂସା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଦଳର ସମସ୍ତ ବଡ଼ ନେତା ଏହି ଆକ୍ରମଣକୁ ସ୍ୱାଗତ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ ଭାରତୀୟ ସେନାର ଏହି ସାହସିକତାକୁ ସ୍ୱାଗତ କରନ୍ତି ଏବଂ ଏଥିପାଇଁ ଗର୍ବ ଅନୁଭବ କରନ୍ତି ।
କଂଗ୍ରେସ ମହାସଚିବ (ଯୋଗାଯୋଗ) ଜୟରାମ ରମେଶ ଜୋର ଦେଇ କହିଛନ୍ତି, ଏହା ଏକତା ଏବଂ ସଂହତିର ସମୟ । ୨୨ ଏପ୍ରିଲ ରାତିରୁ, ଭାରତୀୟ ଜାତୀୟ କଂଗ୍ରେସ ସ୍ପଷ୍ଟ କରିଆସୁଛି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଦେଶର ପ୍ରତିକ୍ରିୟାରେ ସରକାରଙ୍କୁ ଆମର ପୂର୍ଣ୍ଣ ସମର୍ଥନ ରହିବ । କଂଗ୍ରେସ ଆମର ସଶସ୍ତ୍ର ବାହିନୀ ସହିତ ଦୃଢ଼ ଭାବରେ ଠିଆ ହୋଇଛି ।
ସେହିଭଳି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଭାରତୀୟ ସେନାର ସାହସ ପ୍ରତ୍ୟେକ ନାଗରିକଙ୍କ ବିଶ୍ୱାସ । ଆମେ ଭାରତୀୟ ସେନା ଏବଂ ଆମର ସାହସୀ ସୈନିକଙ୍କ ଉପରେ ଗର୍ବିତ । ଆତଙ୍କବାଦ ବିରୋଧରେ ଏହି ଲଢ଼େଇରେ ୧୪୦ କୋଟି ଭାରତୀୟ ସେନାବାହିନୀ ସହିତ ଠିଆ ହୋଇଛନ୍ତି । ଭାରତୀୟ ସେନାର ସାହସ ପ୍ରତ୍ୟେକ ନାଗରିକଙ୍କ ବିଶ୍ୱାସ ।
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦ ପାୱାର ଗୋଷ୍ଠୀ) ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ସଶସ୍ତ୍ର ବାହିନୀର ଏହି ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସମଗ୍ର ଦେଶ ଗର୍ବିତ । ପ୍ରତ୍ୟେକ ଭାରତୀୟ ସେନା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି, ଯେଉଁମାନେ ଭାରତର ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ନିଜ ଛାତିରେ ଗୁଳି ଖାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ।
ଏହି ସମୟରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.ଷ୍ଟାଲିନ ଦର୍ଶାଇଛନ୍ତି, ତାମିଲନାଡୁ ଆତଙ୍କବାଦ ବିରୁଦ୍ଧରେ ଭାରତୀୟ ସେନା ସହିତ ଛିଡା ହୋଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ନାରା ଲୋକେଶ ମଧ୍ୟ ପ୍ରଶଂସା କରିଛନ୍ତି । କଂଗ୍ରେସ ନେତା ଶଶି ଥରୁର ସୋସିଆଲ ମିଡିଆରେ ଲେଖିଛନ୍ତି, ଆଜି ମୁଁ ମୋ ଦେଶ ଉପରେ ଗର୍ବିତ ।
ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା କହିଲେ, ଆତଙ୍କବାଦ ବିରୋଧରେ ଯୁଦ୍ଧରେ ସମସ୍ତେ ଏକାଠି । ଆମ ମଧ୍ୟରେ କୌଣସି ମତଭେଦ ରହିବା ଉଚିତ ନୁହେଁ । ପହଲଗାମ ଆକ୍ରମଣ ବିରୁଦ୍ଧରେ ସୁରକ୍ଷା ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରି ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇଛି ।
କେବଳ ସେତିକି ନୁହେଁ, ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ମଧ୍ୟ ‘ଅପରେସନ ସିନ୍ଦୂର' ପାଇଁ ଭାରତୀୟ ସଶସ୍ତ୍ର ବାହିନୀର ଅସାଧାରଣ ସାହସିକତାକୁ ପ୍ରଶଂସା କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ପରିସରରେ ଆୟୋଜିତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏନ୍.ଭି.ରମଣାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ନ୍ୟାରେଟିଭ୍ସ ଅଫ ଦି ବେଞ୍ଚ: ଏ ଜଜ ସ୍ପିକସ' ଉନ୍ମୋଚନ କାର୍ଯ୍ୟକ୍ରମରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ, ଦେଶର ନାଗରିକ ଭାବରେ, ଆମକୁ ଆମର ସଶସ୍ତ୍ର ବାହିନୀ ଉପରେ ଗର୍ବ କରିବା ଉଚିତ, ଯେଉଁମାନେ ସୀମା ବାହାରକୁ ଯାଇ ଦେଶ ବିରୋଧୀ କାର୍ଯ୍ୟକଳାପର ଜବାବ ଦେଇଛନ୍ତି ।
ଭାରତ-ପାକ ସଂଘର୍ଷ କ୍ରମରେ ଦେଖାଦେଇଥିବା ଯୁଦ୍ଧ ସ୍ଥିତି ପାଇଁ ସମଗ୍ର ଦେଶ ଓ ରାଜ୍ୟମାନଙ୍କରେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ କଡାକଡି କରାଯାଇଛି l ଓଡ଼ିଶାରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ହୀରାକୁଦ ଡ୍ୟାମ, ବିମାନବନ୍ଦର, ସମୁଦ୍ର ଉପକୂଳ ଆଦିକୁ କଡା ସୁରକ୍ଷା ବଳୟ ଭିତରେ ରଖା ଯାଇଥିବା ପୁଲସ ମହାନିର୍ଦ୍ଦେଶକଙ୍କ ସୂତ୍ରରୁ ଜଣାପଡିଛି l
ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସରକାର ସୁନିଶ୍ଚିତ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଡାଲି, ଚାଉଳ, ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଗଚ୍ଛିତ ଅଛି । କୌଣସି ପ୍ରକାର କଳାବଜାରୀକୁ ପ୍ରଶ୍ରୟ ଦିଆଯିବ ନାହିଁ । ‘ଅପରେସନ ସିନ୍ଦୂର’ରେ ସୀମିତ ରହିବନି ଆକ୍ସନ । ପ୍ରଧାନମନ୍ତ୍ରୀ କହିଛନ୍ତି ଆଗକୁ ଆହୁରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।