• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତକୁ କୋହିନୂର ହୀରା ଫେରାଇଦେବାରେ ସହାୟତା କରିବେ କି ବ୍ରିଟେନ୍‌ର ଭାରତୀୟ ବଂଶୋଦ୍ଭବ ଓ ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ରିଷି ସୁନକ୍ ? ଚର୍ଚ୍ଚା ହେଉଛି ଯେ, ବହୁଚର୍ଚ୍ଚିତ କୋହିନୂର ହୀରା ଏବେ ବ୍ରିଟେନ୍ ରାଜପରିବାର ଅଧୀନରେ ଥିଲେ ବି, ଏହାର ଭବିଷ୍ୟତକୁ ନେଇ ବ୍ରିଟେନ୍ ସରକାର ନିଷ୍ପତ୍ତି ନେଇପାରିବେ । ତେଣୁ ଜଣେ ଭାରତୀୟ ମୂଳ ଏବଂ ଖାସ୍ କରି ହିନ୍ଦୁ ଭାବରେ ସୁନକ୍‌ଙ୍କ ସହ ଶ୍ରୀଜଗନ୍ନାଥଙ୍କ ଏହି ଦୁର୍ଲଭ ସଂପତ୍ତିକୁ ଫେରାଇ ଦେବାକୁ କୂଟନୈତିକ ଆଲୋଚନା କରାଯାଉ ବୋଲି ଦାବି ରଖିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ।

ବ୍ରିଟେନ୍‌ରେ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ରିଷି ଉତ୍ସାହ । ରିଷି ସୁନକ୍ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଲଣ୍ଡନ୍‌ର ପାର୍ଲାମେଣ୍ଟ ସ୍କୋୟାରରେ ସେଲିବ୍ରେସନ୍ ଦେଖିବାକୁ ମିଳିଛି । ଏଣେ ସଂସଦ ବାହାରେ ତାଙ୍କ ସମର୍ଥକଙ୍କ ଖୁସି, ତେଣେ ସଂସଦ ଭିତରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ବିରୋଧୀଙ୍କୁ ସାମ୍ନା କରିଛନ୍ତି ସୁନକ୍ । ହାଉସ୍ ଅଫ୍ କମନ୍ସରେ ବିରୋଧୀ ଲେବର୍ ପାର୍ଟି ନେତା ସାର୍ କିର୍ ଷ୍ଟାର୍ମଙ୍କ ସହ ଏହି ପ୍ରଶ୍ନୋତ୍ତରର ଫୋକସ୍‌ରେ ଥିଲା ବ୍ରିଟେନ୍‌ର ଅର୍ଥନୀତି ।

ଏହା ପୂର୍ବରୁ ନୂଆ କ୍ୟାବିନେଟ୍ ସହ ସେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । କ୍ୟାବିନେଟ୍‌ରେ ସେ ଉଭୟ ବୋରିସ୍ ଜନ୍‌ସନ ଏବଂ ଲିଜ୍ ଟ୍ରସ୍ ସରକାରରେ ଥିବା ମନ୍ତ୍ରୀଙ୍କ ମଧ୍ୟରୁ ଉପଯୁକ୍ତ ନେତାଙ୍କୁ ବାଛି ଦାୟିତ୍ୱ ଦେଇଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଜେରେମି ହଣ୍ଟ ଚାନ୍‌ସେଲର ଅଫ୍ ଦି ଏକ୍ସଚେକର୍ ଭାବେ ପଦ ବଜାୟ ରଖିଥିବା ବେଳେ, ଟ୍ରସ୍ ସରକାରର ବୈଦେଶିକ, ପ୍ରତିରକ୍ଷା, ବାଣିଜ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କୁ ମଧ୍ୟ ନିଜ କ୍ୟାବିନେଟ୍‌ରେ ସାମିଲ କରିଛନ୍ତି ସୁନକ୍ । ତେବେ ଟ୍ରସ୍ ସରକାରରୁ ଇସ୍ତଫା ଦେଇଥିବା ବିବାଦୀୟ ମନ୍ତ୍ରୀ ସୁଏଲା ବ୍ରେଭର୍ମ୍ୟାନ୍‌ଙ୍କୁ ସୁନକ୍ ପୁଣି କ୍ୟାବିନେଟ୍‌କୁ ଫେରାଇ ଆଣି ଗୃହ ବିଭାଗର ଗୁରୁଦାୟିତ୍ୱ ଦେଇଛନ୍ତି ।  ଏହାକୁ ନେଇ ପୁଣିଥରେ ବିବାଦ ତେଜିଛି ।

ଏପଟେ ସୁନକ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ, ପୁଣି ଜାଗିଲା କୋହିନୂର ଫେରିବା ଆଶା । ସୁନକ୍ ଜଣେ ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ, ସେ ଏହି ଅମୂଲ୍ୟ ହୀରାର ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ବାଟ ଫିଟାଇପାରନ୍ତି ବୋଲି ଅନେକେ ଆଶା ବାନ୍ଧିଛନ୍ତି । ତେଣେ ସୁନକ୍ ଜଣେ ଗର୍ବିତ ହିନ୍ଦୁ, ଈଶ୍ୱର ବିଶ୍ୱାସୀ ଏବଂ ତାଙ୍କର ଜଗନ୍ନାଥଙ୍କ ପ୍ରତି ପ୍ରଗାଢ଼ ଭକ୍ତି ମଧ୍ୟ ରହିଛି । ଶିଖ୍ ମହାରାଜା ରଣଜିତ୍ ସିଂଙ୍କ ଅନ୍ତିମ ଇଚ୍ଛାପତ୍ର ଅନୁସାରେ ‘କୋହିନୂର’ ମହାପ୍ରଭୁ ଜଗନ୍ନାଥଙ୍କ ସଂପତ୍ତି ହୋଇଥିବାରୁ, ଏହାକୁ ଫେରାଇ ଦେବା ପାଇଁ ସୁନକ୍‌ଙ୍କ ସହ କୂଟନୈତିକ ଆଲୋଚନା କରାଯିବା ଦରକାର ବୋଲି କହିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ । ତେବେ ବୈଦେଶିକ ବ୍ୟାପାର ବିଶେଷଜ୍ଞଙ୍କ ମତରେ କୋହିନୁର ନେଇ ସବୁ କୂଟନୈତିକ ପ୍ରକ୍ରିୟା ସରିଛି, ବ୍ରିଟେନ୍ ସରକାର ଚାହିଁଲେ କେବଳ ଏହାକୁ ଉପହାର ଭାବେ ଭାରତକୁ ଦେଇପାରିବେ ।

ଏସବୁ ଚର୍ଚ୍ଚା ଭିତରେ, କୋହିନୂର ଫେରାଇ ଆଣିବାର ଏକ ମଜାଦାର ଉପାୟ ବତାଇଛନ୍ତି ଶିଳ୍ପପତି ହର୍ଷ ଗୋଏଙ୍କା । ଜଣେ ବନ୍ଧୁଙ୍କ ଆଇଡିଆ ବୋଲି ଦର୍ଶାଇ ସେ ଟୁଇଟ୍ କରିଛନ୍ତି ଯେ, ରିଷି ସୁନକ୍‌ଙ୍କୁ ଭାରତକୁ ଡକାଯାଉ । ଶ୍ୱଶୁର ଘରକୁ ଯିବା ବାଟରେ ସେ ବେଙ୍ଗଳୁରୁ ଟ୍ରାଫିକ୍ ଜାମ୍‌ରେ ଫସିଗଲେ, ତାଙ୍କୁ ଅପହରଣ କରି ତାଙ୍କ ବଦଳରେ ଆଶିଷ ନେହେରାଙ୍କୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଭାବେ ପଠାଇ ଦିଆଯାଉ । କେହି ବି ଫରକ ଜାଣିପାରିବେ ନାହିଁ । ନେହେରା ବିଲ୍ ପାସ୍ କରାଇ ଭାରତକୁ କୋହିନୂର ଫେରାଇ ଆଣିବେ ।