/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668612920.jpg)
Pm Modi G20
ଗର୍ବର ମୁହୂର୍ତ୍ତ, ଗୌରବର ମୁହୂର୍ତ୍ତ । ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା ଗ୍ରହଣ କରିଛି ଭାରତ । ଇଣ୍ଡୋନେସିଆ ରାଷ୍ଟ୍ରପତି ମୋଦି ଙ୍କୁ ପ୍ରେସିଡେନ୍ସି ବ୍ୟାଟନ୍ ହସ୍ତାନ୍ତର କରିଛନ୍ତି । ଆସନ୍ତା ବର୍ଷ ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିବ । ଦେଶର ବିଭିନ୍ନ ସହରରେ ବୈଠକ ଆୟୋଜନ କରାଯିବ । ମହିଳାଙ୍କ ନେତୃତ୍ୱରେ ବିକାଶ ଭାରତ ପାଇଁ ଜି-୨୦ର ଏଜେଣ୍ଡା ହେବ ଓ ଡିଜିଟାଲ ବିଭେଦ ଦୂର ଲାଗି ଭାରତ ସେତୁ ଭଳି କାମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏହାସହ ସମାଜର ସବୁ ବର୍ଗ ଯେଭଳି ଡିଜିଟାଲ ଟେକନୋଲଜିରେ ଲାଭ ପାଇପାରିବ ସେନେଇ ପ୍ରୟାସ କରିବାକୁ ମୋଦି ବିଶ୍ୱ ନେତୃବୃନ୍ଦଙ୍କୁ ଆହ୍ୱାନ ଜଣାଇଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ମୋଦି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଯାହା କହିଥିଲେ ତାଙ୍କ ଉକ୍ତିରେ ଏକରକମ ମୋହର ମାରିଛି ଜି-୨୦ ।
ଅଧିକ ପଢ଼ନ୍ତୁ: G20 ଅଧ୍ୟକ୍ଷ ହେଲା ଭାରତ, ମୋଦି କହିଲେ ଏଇଟା ଯୁଦ୍ଧର ସମୟ ନୁହେଁ
ଅନ୍ୟପଟେ ନୂଆ ଭାରତର ନୂଆ ଚେହେରା ଓ ନୂଆ ଚିନ୍ତାଧାରାର ଝଲକ ଦେଖିବାକୁ ମିଳିଥିଲା ବାଲି ସମ୍ମିଳନୀରେ । ସାରା ବିଶ୍ୱ ଭାରତକୁ ଭିନ୍ନ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରିଛି ବୋଲି ତାହା ସ୍ପଷ୍ଟ ବାରି ହୋଇପଡୁଥିଲା । ଖାସ କରି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ୭ ବିତ୍ତଶାଳୀ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ସମ୍ମିଳନୀରେ ସାମିଲ ଥିଲେ ସାରା ବିଶ୍ୱର ଦିଗଗଜ ନେତାଗଣ । ତେବେ ବାଲିରେ ଛାଇ ରହିଥିଲେ ମୋଦି । ଆତ୍ମବିଶ୍ୱାସ ଓ ଦୃଢତା ସଂପନ୍ନ ଜଣେ ରାଜନେତାଙ୍କ ଗ୍ରହଣୀୟତା କେତେ ତାର ପୁରା ପ୍ରମାଣ ମିଳିଥିଲା ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାଲ୍ୟୁଟ୍ ମାରି ମୋଦିଙ୍କୁ ଅଭିନନ୍ଦନ ଜଣାଇବା ହେଉ କି ଫ୍ରାନ୍ସ ରାଷ୍ଟ୍ରପତି ଆଲିଙ୍ଗନ କରି ଅତି ଆତ୍ମୀୟତାର ସହ କଥା ହେବା, ଲାଗୁଥିଲା ବିଶ୍ୱର ସବୁନେତା, ମୋଦିଙ୍କ ସହ କଥା ହେବାକୁ ସତେ ଆତୁର । ଯେମିତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ୍, ଧୈର୍ଯ୍ୟର ସହ ମୋଦିଙ୍କୁ ଶୁଣିବା, ଭାରତୀୟ ପରମ୍ପରାରେ ବଡ଼ଙ୍କୁ ସମ୍ମାନ କଥାକୁ ମନେ ପକାଇ ଦେଇଥିଲା । ଚୀନ୍ ସହିତ ତିକ୍ତତା ସତ୍ତ୍ୱେ ଶାଳୀନତା ଦେଖାଇଥିଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କରମର୍ଦ୍ଦନ କରିବା ସହ ସ୍ୱାଗତ କରିଥିଲେ । ତେବେ ଭାରତ କୌଣସି ସ୍ଥିତିରେ ସାଲିସ କରିବ ନାହିଁ ବୋଲି ତାଙ୍କ ଭାବଭଙ୍ଗିରୁ ଜାଣିବା ଜିନପିଙ୍ଗଙ୍କ ପାଇଁ ଯଥେଷ୍ଟ ଥିଲା । ସେପଟେ ଦେଶ ପାଇଁ ଲାଭଦାୟକ ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଡିସେମ୍ବର ୧ରୁ ଆଗାମୀ ଗୋଟିଏ ବର୍ଷ ଲାଗି ଜି ଟ୍ୱେଣ୍ଟିର ଅଧ୍ୟକ୍ଷତା କରିବ ଭାରତ । ୨୦୨୩ ଜି ଟ୍ୱେଣ୍ଟି ସମ୍ମିଳନୀ ପାଇଁ ଭାରତ ପକ୍ଷରୁ ଲୋଗୋ ଉନ୍ମୋଚନ ସରିଛି । ଯାହାର ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍ ବା ସମଗ୍ର ବିଶ୍ୱ ଗୋଟିଏ ପରିବାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)