• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯୁକ୍ରେନରେ ଯୁଦ୍ଧ ଯୋଗୁଁ ଭାରତ ଫେରିଆସିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତି । ମେଡିକାଲ କୋର୍ସ ପୁରା କରିବା ଲାଗି ନିୟମରେ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ୟୁକ୍ରେନ ସରକାର । ଆଜି ଏ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି, ୟୁକ୍ରେନ୍ ସରକାର ତୃତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷା KROK-ଓ୍ୱାନ୍‌କୁ ସ୍ଥଗିତ ରଖିଛନ୍ତି ।

ଚତୁର୍ଥ ବର୍ଷକୁ ଉନ୍ନୀତ ହେବା ଲାଗି ଏହି ପରୀକ୍ଷା ଦେବାକୁ ପଡିଥାଏ । ପାଠପଢାର ଆବଶ୍ୟକତାକୁ ପୂରଣ କରିବା ଆଧାରରେ ସେମାନଙ୍କୁ ଆସନ୍ତା  ଶିକ୍ଷାବର୍ଷକୁ ଉନ୍ନୀତ କରାଯାଇଛି । ସେହିପରି ଷଷ୍ଠ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଥିବା KROK-ଟୁ ପରୀକ୍ଷା ହୋଇଥାଏ । ତେବେ ଏକାଡେମିକ୍ ଆସେସମେଣ୍ଟ ଅନୁସାରେ ଏହି ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିନା KROK ପରୀକ୍ଷାରେ ମେଡିକାଲ ଡିଗ୍ରୀ ମିଳିବ ।

ଜୟଶଙ୍କର ଆହୁରି କହିଛନ୍ତି, ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଠପଢା ଜାରି ରଖିବା ନେଇ କେନ୍ଦ୍ର ସରକାର ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ର ହଙ୍ଗେରୀ, ରୋମାନିଆ, କାଜଖସ୍ଥାନ ଏବଂ ପୋଲାଣ୍ଡ ସରକାରଙ୍କ ସହ ଆଲୋଚନା କରୁଛନ୍ତି । ଏହି ଦେଶଗୁଡିକର ପାଠ ପଢ଼ାର ଢାଞ୍ଚା ପ୍ରାୟତଃ ୟୁକ୍ରେନ୍ ଭଳି । ତେଣୁ ଭାରତୀୟ ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷା ଯେଭଳି ସମାପ୍ତ କରିବେ ସେନେଇ ସେଠାକାର ସରକାରଗୁଡିକ ସହ କେନ୍ଦ୍ର ସରକାର କଥାବାର୍ତ୍ତା କରୁଛନ୍ତି ।

ଆଜି ଲୋକସଭାରେ ୟୁକ୍ରେନ୍ ରୁଷ ସଂଘର୍ଷ ପ୍ରସଙ୍ଗରେ ବିବୃତି ରଖିଥିଲେ ଜୟଶଙ୍କର । ଭାରତ କଦାପି ସଂଘର୍ଷ ଚାହେଁ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । ଭାରତ କୌଣସି ପକ୍ଷରେ ନାହିଁ, କେବଳ ଶାନ୍ତି ସହ ଅଛି ବୋଲି ଜୟଶଙ୍କର କହିବା ସହ ଯୁଦ୍ଧ ତୁରନ୍ତ ସମାପ୍ତ କରିବା ଲାଗି ଆହ୍ୱାନ ଦେଇଥିଲେ ।

ଉଭୟ ଦେଶ ମଧ୍ୟରେ ସଂଘର୍ଷ ‌ଆହୁରି ତୀବ୍ର ହେଉଥିବାରୁ ଏହା ଉପରେ ଗୁରୁତ୍ୱାରୋପ କରିଛି ଭାରତ । ରକ୍ତପାତ ଓ ନିରୀହ ଜୀବନ ନେଲେ କୌଣସି ବିବାଦର ସମାଧାନ ହୋଇପାରିବନି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତ ଆଭିମୁଖ୍ୟ କଣ ରହିଛି ବେଲି ଏକ ପ୍ରଶ୍ନର ଉତ୍ତରରେ ଏହି ବିବୃତି ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଆକ୍ରମଣକୁ ବିରୋଧ କରିବାରେ ଭାରତ ସବୁଠାରୁ ପ୍ରଥମ ବୋଲି ସେ କହିଛନ୍ତି । ବର୍ତ୍ତମାନ ସ୍ଥିତିରେ ବୈଠକ ଏବଂ ଆଲୋଚନା ମାଧ୍ୟମରେ ହିଁ କୌଣସି ସମାଧାନର ବାଟ ବାହାରି ପାରିବ ।

ରୁଷ-ୟୁକ୍ରେନ ସଂଘର୍ଷ ଦେଶର ଅର୍ଥନୀତି ସହ ବିଶ୍ୱ ବଜାର ପ୍ରଭାବିତ ହୋଇଛି । ଏଭଳି ସମୟରେ ବିଶ୍ୱ ବଜାରର ଆର୍ଥିକ ସ୍ଥିତି ନେଇ ଦେଶ ହିତ ପାଇଁ ଭାରତ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ । ସେପଟେ ଜାତିସଂଘ ବୈଠଖରେ ୟୁକ୍ରେନର ବୁଚା ନରସଂହାର ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ରଖିଛି ଭାରତ । ଏହି ଘଟଣା ଉପରେ ସ୍ୱତନ୍ତ୍ର ଭାବେ ତଦନ୍ତ କରିବାକୁ ଦାବି କରିଛି ଭାରତ । ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଦାବି କରାଯାଇଛି । ଗତ ଫେବ୍ରୁଆରୀ ୨୪ରୁ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରୁଛି ।