• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବରଫାବୃତ ପର୍ବତ ଶିଖରରେ, ବେଳାଭୂମିର ବାଲୁକା କଳାରେ । ଆଇସ୍ ସ୍କିରେ, ଆଇସ୍କ୍ରିମ୍ କାଠିରେ, କାଶ୍ମୀରରୁ କନ୍ୟାକୁମାରୀ, ବାଂଲାଦେଶ ସୀମାରୁ ଓ୍ୱାଘା-ଅଟାରୀ । ୭୩ ତମ ସାଧାରଣତନ୍ତ୍ର ଦିବସରେ ସବୁଠି ସଗର୍ବେ, ସଦର୍ପେ ଫରଫର ଉଡ଼ିଛି ତ୍ରିରଙ୍ଗା । ତେବେ ଆଜି ସମସ୍ତଙ୍କର ଆଖି ଲାଖିଥିଲା ରାଜଧାନୀ ଦିଲ୍ଲୀର ରାଜପଥରେ ।

ଦିଲ୍ଲୀ ରାଜପଥରୁ ଦୁନିଆ ଦେଖିଲା ଭାରତର ଶୌର୍ଯ୍ୟ ଓ ସାମର୍ଥ୍ୟ । ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆୟୋଜିତ ହୋଇଛି ଭବ୍ୟ ପରେଡ୍ ଓ ଚିତାକର୍ଷକ ଏୟାର୍ ସୋ । ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ବେଳେ ଦେଖିବାକୁ ମିଳିଥିଲା ଦେଶର ସାଂସ୍କୃତିକ ବିବିଧତାର ଝଲକ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମାରୋହରେ ଯୋଗ ଦେଇଥିଲେ । କୋଭିଡ୍ ଗାଇଡ୍‌ଲାଇନ ଭିତରେ ଚଳିତବର୍ଷ କେବଳ ୫ ହଜାର ଦର୍ଶକଙ୍କୁ ରାଜପଥକୁ ଅନୁମତି ମିଳିଥିଲା ।

ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାସୁମନ ଅର୍ପଣ ଓ ଜାମ୍ମୁକାଶ୍ମୀରର ASI ବାବୁରାମଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ମରଣୋତ୍ତର ଅଶୋକ ଚକ୍ର ପ୍ରଦାନ ପରେ ଆଜି ଆରମ୍ଭ ହୋଇଥିଲା ବର୍ଣ୍ଣାଢ୍ୟ ସମାରୋହ । ପ୍ରତିବର୍ଷ ଭଳି ଏବର୍ଷ ବି ସାମରିକ ଓ ଅର୍ଦ୍ଧସାମରିକ ବାହିନୀର ସୌର୍ଯ୍ୟମୟ ପରେଡ୍, ଡେୟାରଡେଭିଲ୍ ସୋ, ଏକରୁ ବଳି ଆରେକ ବିଶାଳ ଯୁଦ୍ଧାସ୍ତ୍ର ପ୍ରଦର୍ଶନ, ପ୍ରଜ୍ଞାପନ ମେଢ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲେ ବି, ବହୁ ଦିଗରୁ ଏଥରର ସମାରୋହ ନୂଆ ଥିଲା, ନିଆରା ଥିଲା ।

ଜାମ୍ମୁ-କାଶ୍ମୀରର ଲାଇଟ୍ ଇନ୍‌ଫାଣ୍ଟ୍ରି କଣ୍ଟିଜେଣ୍ଟ ୧୯୭୦ର ସେନା ୟୁନିଫର୍ମ ସହ ମାର୍ଚ୍ଚପାଷ୍ଟ କରିଥିବା ବେଳେ, ନୂଆ ଡିଜିଟାଲ୍ ପ୍ୟାଟର୍ଣ୍ଣ କମ୍ବାଟ୍ ୟୁନିଫର୍ମରେ ନଜର ଆସିଥିଲା ପାରାସୁଟ୍ ରେଜିମେଣ୍ଟ । ୧୯୭୧ ଯୁଦ୍ଧର ଟ୍ୟାଙ୍କ ବଖାଣିଥିଲା ଭାରତର ବୀରତ୍ୱର ଗାଥା । ବିଏସ୍ଏଫ୍‌ର ସୀମା ଭବାନୀ ମୋଟର୍ ସାଇକେଲ୍ ଟିମ୍‌ର ବୀରାଙ୍ଗନାଙ୍କ ଡେୟାରଡେଭିଲ୍ ଷ୍ଟଣ୍ଟ ସହ ବାୟୁସେନା ଟାବ୍ଲୋରେ ରାଫେଲ୍ ଫାଇଟର୍ ଜେଟ୍‌ର ପ୍ରଥମ ମହିଳା ପାଇଲଟ୍ ଫ୍ଲାଇଟ୍ ଲେଫଟନାଣ୍ଟ ଶିବାଙ୍ଗୀ ସିଂଙ୍କ ଉପସ୍ଥିତି ଦେଶର ନାରୀଶକ୍ତିକୁ ଦର୍ଶାଇଥିଲା ।

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ, ଆଜି ବିଶାଳ ଓ ଭବ୍ୟ ହୋଇଥିଲା ରାଜପଥ ଆକାଶରେ ଚିତାକର୍ଷକ ଏୟାର୍ ସୋ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି, ଫ୍ଲାଏପାଷ୍ଟ୍ କରିଥିଲା ୭୫ଟି ବିମାନ ଓ ହେଲିକପ୍ଟର । ରାଫେଲ୍, ଜାଗୁଆର, ସୁଖୋଇ-30, ମିଗ୍-29, ଧ୍ରୁବ, ଚିନୁକ୍, ଆପାଚେ, ସାରଙ୍ଗ, ଡୋର୍ନିୟର୍, C-130J ସୁପର୍ ହର୍କୁଲିସ୍ ଆଦି ଭଳି କି ଭଳି ଫର୍ମେସନ୍ କରି ଫ୍ଲାଏପାଷ୍ଟ କରିବା ବେଳେ, ଆକାଶର ଗୁରୁଗର୍ଜନ ସହ ତାଳ ଦେଇ ବଢ଼ି ଚାଲିଥିଲା ଦର୍ଶକଙ୍କ ହୃଦସ୍ପନ୍ଦନ ।

ଏଥର ପ୍ରଥମ ଥର ପାଇଁ ଟିଭିରେ ଦର୍ଶକ ଦେଖିବାକୁ ପାଇଥିଲେ ବିଭିନ୍ନ ବିମାନର କକ୍‌ପିଟ୍‌ରୁ ସିଧା ପ୍ରସାରଣ । ଏୟାର୍ ସୋର ଅନ୍ତିମ ଚରଣରେ ଇଂରାଜୀ ୭୫ ଭଳି ଅମୃତ ଫର୍ମେସନ୍‌ର ୧୭ଟି ଜାଗୁଆର୍‌ରେ ଉଡ଼ାଣ ମନ୍ତ୍ରମୁଗ୍ଧ କରିଥିଲା । ଶେଷରେ ସୃଷ୍ଟି ହୋଇଥିଲା ଏକ ଭାବବିହ୍ୱଳ ପରିବେଶ । ୧୯ ବର୍ଷର କାର୍ଯ୍ୟଅବଧି, ୧୩ଟି ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଅଂଶଗ୍ରହଣ ପରେ ଆଜି ଅବସର ନେଲା ରାଷ୍ଟ୍ରପତିଙ୍କ ବଡ଼ିଗାର୍ଡ ଚାର୍ଜର ଗ୍ରୁପରେ ଥିବା ଘୋଡ଼ା ବିରାଟ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ବିରାଟକୁ ଆଉଁସି ଦେଇଥିଲେ ।