• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁଣି ଚିନି ରପ୍ତାନୀରେ ଲାଗିବ ରୋକ । କମ୍ ଅମଳ ପାଇଁ ରପ୍ତାନୀ ବନ୍ଦ କରିବାକୁ ସରକାର ନେଇ ପାରନ୍ତି ନିଷ୍ପତ୍ତି । ଭାରତ ବିଶ୍ବରେ ଦ୍ବିତୀୟ ବୃହତ ଚିନି ରପ୍ତାନୀକାରୀ ଦେଶ । ତଥାପି ଏ ବର୍ଷ ଖରିଫ ଫସଲର ନିଅଣ୍ଟିଆ ଅମଳ ହୋଇଥିବାରୁ ଚିନି ରପ୍ତାନୀ ଉପରେ ସରକାର ରୋକ ଲଗାଇବାକୁ ଚିନ୍ତା କରୁଥିବା ସୂଚନା ମିଳିଛି । ଏନେଇ ଖୁବଶୀଘ୍ର ଘୋଷଣା ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଗତ ପାଞ୍ଚ ବର୍ଷ ମଧ୍ୟରେ ଚଳିତ ବର୍ଷ ବହୁତ କମ ବର୍ଷା ହୋଇଛି । ଫଳରେ ଫସଲ ଅମଳ ବାଧାପ୍ରାପ୍ତ ହୋଇଛି । ଘରୋଇ ବଜାରରେ ଦରଦାମ ରୋକିବା ସରକାରଙ୍କ ପାଇଁ ଆହ୍ବାନ ସଦୃଶ ହୋଇଛି । ଲଗାତାର ଭାବେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବଢ଼ିବାରେ ଲାଗିଛି । ବର୍ଷ ଅଧାରେ ଟମାଟୋ ଦର ୩ ଶହ ଟଙ୍କା ଛୁଇଁଥିବା ବେଳେ, ବର୍ତ୍ତମାନ ଡାଲିଠାରୁ ଆରମ୍ଭ କରି ଚାଉଳ ପର୍ଯ୍ୟନ୍ତ ଦରଦାମ ବଢ଼ିବାରେ ଲାଗିଛି ।

ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଅହେତୁକ ବୃଦ୍ଧି ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ତଥା ଘରୋଇ ବଜାରରେ ଚିନି ଦାମ ନିୟନ୍ତ୍ରଣ କରିବାକୁ ସରକାର ଚିନି ରପ୍ତାନୀ ଉପରେ କଟକଣା ଲଗାଇବାକୁ ଚିନ୍ତା କରୁଛନ୍ତି ।

ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଭାରତ ଛୁଇଁଥିଲା । ଏହା ସହ ଲା-ନିନା ପ୍ରଭାବରେ ବର୍ଷା ମଧ୍ୟ କମ ପରିମାଣରେ ହୋଇଥିଲା । ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମ୍ ଚିନି ଉତ୍ପାଦନ ହୋଇଛି । ଏହା ଘରୋଇ ବଜାରକୁ ମଧ୍ୟ ନିଅଣ୍ଟ ପଡ଼ିପାରେ ବୋଲି ଆକଳନ କରାଯାଉଛି ।

ଏଣୁ ନିଅଣ୍ଟିଆ ଉତ୍ପାଦନ ପାଇଁ ଚିନି ରପ୍ତାନୀ ବନ୍ଦ କରିବାକୁ ସରକାର ଯୋଜନା କରୁଛନ୍ତି । ଫଳରେ ଘରୋଇ ବଜାରରେ ଦରଦାମ ନିୟନ୍ତ୍ରଣରେ ରହିବା ସହ ସରକାରଙ୍କୁ ମଧ୍ୟ ନିର୍ବାଚନୀ ଫାଇଦା ହେବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି ।