/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723699672.jpg)
Narendra Modi
୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ଲକ୍ଷ୍ୟ । ଏହା କେବଳ ଭାଷଣର ଶବ୍ଦ ନୁହେଁ । ୧୪୦ କୋଟି ଜନତା ବିକଶିତ ଭାରତ କରିପାରିବେ । ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ ପରେ ନିଜ ସମ୍ବୋଧନରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ବିକଶିତ ଭାରତ ୨୦୪୭ ପାଇଁ ଆମକୁ ବିଜ୍ଞାନ, କୃଷି ଓ ନିର୍ମାଣକୁ ନେଇ ଅନେକ ପରାମର୍ଶ ମିଳିଛି । ନ୍ୟାୟ ବ୍ୟବସ୍ଥାରେ ପରିର୍ତ୍ତନ ପାଇଁ ମଧ୍ୟ ପରାମର୍ଶ ମିଳିଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭୋକାଲ୍ ଫର୍ ଲୋକାଲ୍ ଅର୍ଥତନ୍ତ୍ରର ମନ୍ତ୍ର ପାଲଟିଛି । ଆମେ ଦେଶବାସୀଙ୍କୁ ନୂଆ ଆତ୍ମବିଶ୍ବାସ ଦେଇଛୁ । ଅନେକ ସଂସ୍କାର ଆଣିବା ସହ ବ୍ୟାଙ୍କ କ୍ଷେତ୍ରକୁ ମଜବୁତ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୈତିକ ଫାଇଦା ନୁହେଁ, ଆମ ପାଇଁ ଦେଶ ପ୍ରଥମ । ଆଜିର ସମୟ ଦେଶ ପାଇଁ ବଞ୍ଚିବାର ପ୍ରତିବଦ୍ଧତା ଅଟେ। ଦେଶ ପାଇଁ ଏହି ସ୍ବର୍ଣ୍ଣିମ କାଳଖଣ୍ଡକୁ ହାତଛଡ଼ା କରିବା ଉଚିତ ନୁହେଁ । ମହିଳା ଆତ୍ମନିର୍ଭରଶୀଳ ହେବା ନୂଆ ଆର୍ଥିକ କ୍ରାନ୍ତି ।
ସେହିପରି ସେ କହିଛନ୍ତି, ନୂଆ ଶିକ୍ଷାନୀତି ଜରିଆରେ ଆମକୁ ନୂଆ ବଳ ମିଳିଛି । ମାତୃଭାଷା ସହ ବିଜ୍ଞାନ ଓ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯାଇଛି । ଗବେଷଣାକୁ ଅଧିକ ସୁଦୃଢ କରିବା ଆମର ପ୍ରାଥମିକତା। ଆଗାମୀ ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରିବୁ। ସେହିପରି ମହିଳା ବିରୋଧୀ ଅପରାଧକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜ ସମ୍ବୋଧନରେ କହିଛନ୍ତି, ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଉଚିତ୍ । ଦୁଷ୍କର୍ମକାରୀଙ୍କୁ ଫାଶିରେ ଝୁଲାଇବା ଉଚିତ୍ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶରେ ନିର୍ବାଚନ ବାରମ୍ବାର ପ୍ରଗତିରେ ବାଧା ସୃଷ୍ଟି କରୁଛି । ପ୍ରତ୍ୟେକ କାର୍ଯ୍ୟ ନିର୍ବାଚନର ରଙ୍ଗ ସହିତ ରଙ୍ଗୀନ ହୋଇଛି । ସେଠାରେ ବ୍ୟାପକ ଆଲୋଚନା ହୋଇଛି। ମୁଁ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରୁଛି ଯେ ଭାରତର ପ୍ରଗତି ପାଇଁ ଏବଂ ସାଧାରଣ ଲୋକଙ୍କ ପାଇଁ ସମ୍ବଳର ସର୍ବାଧିକ ଉପଯୋଗ ନିଶ୍ଚିତ କରିବାକୁ ଏକ ରାଷ୍ଟ୍ର ଏକ ନିର୍ବାଚନ ପାଇଁ ଆଗକୁ ଆସିବାକୁ ସେ କହିଛନ୍ତି ।
ଏହାବ୍ୟତୀତ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବା ଆମର ଲକ୍ଷ୍ୟ । ଭାରତ ଜି-୨୦ର ଆୟୋଜନ ସଫଳତାର ସହ କରିଛି । ଏଥିରୁ ପ୍ରମାଣିତ ଯେକୌଣସି ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାରତରେ ହୋଇପାରିବ । ସୂଚନା ଅନୁସାରେ ଲାଲକିଲ୍ଲୀରେ ଲଗାତାର ୧୧ ଥର ସ୍ବାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)