• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାଙ୍ଗର କୁକୁରକୁ ବଞ୍ଚାଇବାକୁ ପାଣିକୁ ଡେଇଁ ପଡ଼ିଲେ । କୁକୁର ତ ଆରାମରେ ପହଁରି ପହଁରି ଆସିଗଲା । କିନ୍ତୁ ରହିଗଲେ ଯୁବକ ଜଣକ । ପାଣି ଭିତରେ ସଲୀଳ ସମାଧି ନେଲେ । ଏପରି ଅଭାବନୀୟ ଘଟଣା ଘଟି ଯାଇଛି ମଧ୍ୟ ପ୍ରଦେଶର ଭୋପାଳରେ । ବାନ୍ଧବୀଙ୍କର ପୋଷା କୁକୁରକୁ ଉଦ୍ଧାର କରିବା ଲାଗି ଗତକାଲି ସକାଳେ ଡେଇଁ ପଡ଼ିଥିଲେ ଯୁବକ । ତେବେ ଯୁବକ ଜଣକ ଭୋପାଳ ‘ଏନ୍‌ଆଇଟି’ର ‘ବିଟେକ୍‌’ ଛାତ୍ର ବୋଲି ଜଣା ପଡ଼ିଛି ।

ଚୂନଭାଟ୍ଟି ଅଞ୍ଚଳର ସରଳ ନିଗମ ନାମକ ୨୩ ବର୍ଷୀୟ ଯୁବକ । କୁକୁରକୁ ବଞ୍ଚାଇବା ଚକ୍କରରେ ନିଜ ଜୀବନ ହାରି ଦେଇଛନ୍ତି । ସେ ବାପାମାଆଙ୍କର ଏକମାତ୍ର ସନ୍ତାନ ଥିଲେ । ବିଟେକ୍ କରିବା ସହ ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ମଧ୍ୟ ପ୍ରସ୍ତୁତି କରୁଥିଲେ । କିନ୍ତୁ ଅକାଳରେ ନିଜ ଜୀବନ ହାରି ଦେଇଛନ୍ତି ।

ପୋଲିସ ସୂଚନା ମୁତାବକ ଗତକାଲି ସକାଳ ୭.୩୦ରେ ସରଳ ଓ ତାଙ୍କର ୨ଜଣ ବାନ୍ଧବୀ କେର୍‌ୱା ଜଳଭଣ୍ଡାରରେ ଥିବା ଜଙ୍ଗଲ୍‌ କ୍ୟାମ୍ପକୁ ଯାଇଥିଲେ । ବାନ୍ଧବୀଙ୍କ ମଧ୍ୟରୁ ଜଣେ, ସାଙ୍ଗରେ ପୋଷା କୁକୁର ନେଇଥିଲେ । ସକାଳ ପ୍ରାୟ ୮.୩୦ରେ ତିନିହେଁ ଜଳଭଣ୍ଡାରର କୂଳେ କୂଳେ ଚାଲୁଥିବା ବେଳେ କୁକୁରଟି ପାଣିରେ ଖସି ପଡ଼ିଥିଲା ।

କୁକୁରକୁ ରକ୍ଷା କରିବାକୁ ଯାଇ ପାଣି ଭିତରେ ତିନି ଜଣ ପଶିଗଲେ । କିନ୍ତୁ, ସୁଅରେ ଗୋଡ଼ ଖସି ଗଲା । ଯେଣ ତେଣ ପ୍ରକାରେଣ ବାନ୍ଧବୀ ଦୁଇଜଣ କୂଳକୁ ଉଠିଆସିଲେ । କିନ୍ତୁ ପ୍ରବଳ ସ୍ରୋତ ସରଳଙ୍କୁ ଭସାଇ ନେଲା । ଏହା ଦେଖି ସେମାନେ ରତିବାଡ଼ ପୋଲିସକୁ ଖବର ଦେଲେ ।

ଘଟଣାସ୍ଥଳରେ ପାଖପାଖି ଗୋଟେ ଘଣ୍ଟା ଖୋଜିବା ପରେ ସରଳଙ୍କର ମୃତଦେହ ମିଳିଥିଲା । ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଘଟଣାର ତଦନ୍ତ କରୁଛି । ସରଳଙ୍କ ବାପା ଗୋଟେ ବେସରକାରୀ ଇଞ୍ଜିନିୟରିଂ କଲେଜର ଅବସରପ୍ରାପ୍ତ ପ୍ରିନ୍ସପାଲ ବୋଲି ଜଣା ପଡ଼ିଛି । ସେ ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ ଥିଲେ ।