• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୯୦ତମ ବାୟୁସେନା ଦିବସରେ ଚଣ୍ଡୀଗଡର ସୁଖ୍‌ମା ଲେକ୍‌ରେ ଆୟୋଜିତ ହୋଇଛି ଚିତ୍ତାକର୍ଷକ ଏୟାର ସୋ । ଦେଶ ଦେଖିଛି ବାୟୁବୀରଙ୍କ ପରାକ୍ରମ । ହାଲୁକା ଲଢୁଆ ହେଲିକପ୍ଟର ପ୍ରଚଣ୍ଡ ସହ ତେଜସ୍, ସୁଖୋଇ ଓ ରାଫେଲ ଭଳି ଫାଇଟର ଜେଟ୍ ଏବଂ ଗ୍ଲୋବ୍ ମାଷ୍ଟରର ବୀରତା ପ୍ରଦର୍ଶିତ କରିଛି ବାୟୁସେନା । ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଆୟୋଜିତ ବାୟୁସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଆଗରେ ଥିଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡର ପରାକ୍ରମ । ପଛକୁ ପଛ ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସ୍‌ର ତେଜ । ଆତ୍ମନିର୍ଭର ଭାରତର ଆତ୍ମବିଶ୍ୱାସଭରା ଆକର୍ଷଣୀୟ ସୋ । ବାୟୁସେନା ଦିବସରେ ବିଶାଳ ସୁଖ୍‌ମା ହ୍ରଦର ସୁନୀଳ ଜଳରାଶି ଉପରେ ବାୟୁସେନାର ଫ୍ଲାଏପାଷ୍ଟ । ନୀଳ ଆକାଶର ଛାତି ଚିରି ଶକ୍ତି ଓ ସାମର୍ଥ୍ୟ ଦେଖାଇଥିଲେ ରାଫେଲ, ସୁଖୋଇ ଓ ଜାଗୁଆର ଭଳି ଫାଇଟର ଜେଟ୍ ।

ସି-୧୭ ଗ୍ଲୋବ ମାଷ୍ଟର, ହେରକ୍ୟୁଲସ ଓ ଡାକୋଟା ବିମାନ, ସାରା ବିଶ୍ୱକୁ ପରିଚିତ କରାଇଥିଲା ଭାରତୀୟ ବାୟୁସେନା ସହ । ଶତ୍ରୁପକ୍ଷର ନାକତଳେ ଘଂଟାପ୍ରତି ୩୨୦ କିମି ବେଗରେ ଉଡି ସେନାକୁ ବଳ ଯୋଗାଉଥିବା ହେଲିକପ୍ଟର ଚିନୁକର ଚିତାକର୍ଷକ ସୋ ସାଙ୍ଗକୁ ଆପାଚେ, ଧ୍ରୁବ, ଏମଆଇ-୧୭ ଓ ମିରାଜ୍‌ର ଆଖିଝଲସା ଏୟାର ସୋ, ବାୟୁସେନାର ବୀରତାକୁ ଉପଲବ୍ଧି କରିଥିଲା ସାରା ଭାରତ । ସୂର୍ଯ୍ୟକିରଣ ଏରୋବେଟିକ୍ ସହ ଆକାଶଗଙ୍ଗା ସ୍କାଏଡାଇଭିଂ ଟିମ୍‌ର ନିପୁଣତା ଚାର୍ ଚାନ୍ଦ ଲଗାଇଦେଇଥିଲା ସୋରେ । ଫ୍ଲାଏପାଷ୍ଟର ସୋ ଷ୍ଟପର ସାଜିଥିଲା ୩୨ ବର୍ଷ ତଳେ ଅବସର ନେଇଥିବା ୟେଲୋ ହାୱାର୍ଡ ଏୟାରକ୍ରାଫ୍ଟ ।

ଏକଲବ୍ୟ, ତ୍ରିଶୁଳ, ମେହର୍, ଶମ୍‌ଶେର, ବଜ୍ର ଓ ସାରଙ୍ଗ ଫର୍ମେସନ ସହ ଦୁଇ ଜଣ ପୂର୍ବତନ ବାୟୁସେନା ଅଧିକାରୀଙ୍କ ସ୍ମୃତିରେ ପ୍ରଦର୍ଶିତ ହୋଇଥିଲା ଦୁଇଟି ନୂଆ ଫର୍ମେସନ୍ ସେଖୋନ୍ ଓ ଅର୍ଜନ ।

ପ୍ରଥମଥର ପାଇଁ ରାଜଧାନୀ ଦିଲ୍ଲୀ ବାହାରେ ପାଳନ କରାଯାଇଛି ବାୟୁସେନା ଦିବସ । ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶଲ ବି.ଆର୍. ଚୌଧୁରୀ କହିଛନ୍ତି, ବାୟୁସେନାର ଫୋକସରେ ରହିଛି ଆତ୍ମନିର୍ଭରତା ସ୍ୱଦେଶୀ ଜ୍ଞାନ କୌଶଳ ସହ ଟେକ୍ନୋଲଜିକୁ ବ୍ୟବହାର କରାଯାଉଛି । ୱିପନ୍ ସିଷ୍ଟମ୍ ବ୍ରାଞ୍ଚ୍ ଲାଗୁ ହେବା ପରେ ବାୟୁସେନା ଆହୁରି ସଶକ୍ତ ହୋଇଛି ।

୯୦ ତମ ବାର୍ଷିକୀ ଅବସରରେ ବାୟୁସେନାକୁ ମିଳିଛି ନୂଆ କମ୍ବାଟ୍ ୟୁନିଫର୍ମ । ଯବାନଙ୍କ ପରାକ୍ରମର ପ୍ରତୀକ ଏହି ୟୁନିଫର୍ମ ପୂର୍ବ ଅପେକ୍ଷା ଦମଦାର ଲାଗୁଛି । ବାୟୁସେନା ମୁଖ୍ୟ ଏହାର ଫାଷ୍ଟଲୁକ୍ ଉନ୍ମୋଚନ କରିଛନ୍ତି ।