• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସତ ହେଉଛି ଯୋଗୀଙ୍କ ବଜ୍ର ଶପଥ । ମାଟିରେ ମିଶୁଛି ମାଫିଆ ଅତିକ୍ ଅହମ୍ମଦର କଳା ସାମ୍ରାଜ୍ୟ ।  ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ (Atiq Ahmad) ର ଆତଙ୍କରରେ ଦିନେ ଥରହର ହେଉଥିଲା ଉତ୍ତରପ୍ରଦେଶ ପ୍ରୟାଗରାଜ । ତତ୍କାଳୀନ ଆହ୍ଲାବାଦରେ ଅପରାଧ ଜଗତର ସେ ଥିଲା ବେତାଜ୍ ବାଦଶାହ । ତା ବିରୋଧରେ ଶହେରୁ ଅଧିକ ମାମଲା ଥିଲେ ବି, ସତେଯେମିତି କାନୁନକୁ ନିଜ ପକେଟରେ ରଖିଥିଲା ବାହୁବଳୀ ଡନ୍ ଅତିକ୍ । ହେଲେ ଏ ଦୁନିଆରେ କିଛି ବି ଚିରସ୍ଥାୟୀ ନୁହେଁ । ଅତିକ ଅହମ୍ମଦ ଏକ ମାମଲାରେ ଗିରଫ ହୋଇ ଗୁଜରାଟ ସାବରମତି ଜେଲକୁ ଯିବା ପରେ, ପ୍ରୟାଗରାଜରେ କମିବାରେ ଲାଗିଥିଲା ତାର ଦବଦବା ।

ତା ଗ୍ୟାଙ୍ଗକୁ ଯେଉଁମାନେ ନିୟମିତ ବଟି ଦେଉଥିଲେ, ସେମାନେ ବି ଧିରେ ଧିରେ ତାହା ଦେବା ବନ୍ଦ କରିଦେଇଥିଲେ । ତେଣୁ ଚିନ୍ତାରେ ଥିଲେ ଅତିକ ଗ୍ୟାଙ୍ଗ୍ । ଯାହାକୁ ଅତିକ୍ ନିଜେ ଜେଲରୁ ସମ୍ଭାଳୁଥିଲା ଓ ତାକୁ ସହଯୋଗ କରୁଥିଲେ ପତ୍ନୀ ଓ ପୁଅ ସମେତ ବାହାରେ ଥିବା ଅନ୍ୟ ପରିବାର ସଦସ୍ୟ ଓ ସହଯୋଗୀ । ତେଣୁ ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟସାକ୍ଷୀ ଉମେଶ ପାଲଙ୍କୁ ବିଚ୍ ବଜାରରେ ଓ ସ୍ପଷ୍ଟ ଦିବାଲୋକରେ ହତ୍ୟା କରି ଲୋକଙ୍କ ଭିତରେ ନିଜ ଦବଦବାକୁ କାଏମ ରଖିବାକୁ ଚାହୁଁଥିଲା ଅତିକ୍ । ହେଲେ ତାହା ବୁମେରାଂ ହେଲା ତା ପାଇଁ ।

ଉମେଶ ପାଲ୍ ହତ୍ୟାକାଣ୍ଡ ପରେ ଯେପରି ଜଣେ ବି ଦୋଷୀ ଆଇନ କବଳରୁ ବର୍ତ୍ତି ନଯାଆନ୍ତି, ସେଥିପାଇଁ ନିର୍ଦ୍ଦେଶ ଦେଇଥିଲେ ନିଜେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath)। ଏହାପରେ ପୋଲିସ ଆରମ୍ଭ କରିଥିଲା ଅପରେସନ୍ । ଏବେ ସ୍ଥିତି ଏମିତି ଯେ, ଅତିକ ଅହମ୍ମଦର ପରିବାର ଲୋକେ ହୁଏତ ଜେଲରେ, ନଚେତ୍ ଏନକାଉଣ୍ଟରର ଶିକାର, ନଚେତ୍ ଫେରାର୍ ।

ଅତିକ୍ ଓ ତା ଭାଇ ଅଶ୍ରଫ ଜେଲରେ ଥିବା ବେଳେ ଏନକାଉଣ୍ଟରରେ ପ୍ରାଣ ହରାଇଛି ପୁଅ ଅସଦ। ଆଉ ଦୁଇ ପୁଅ ଅଲି ଓ ଉମର ବି ନୈନି ଓ ଲକ୍ଷ୍ନୌ ସେଣ୍ଟ୍ରାଲ ଜେଲରେ । ପତ୍ନୀ ସାଇସ୍ତା ପରବୀନ ପୋଲିସକୁ ଡରି ଏଣେତେଣେ ଲୁଚି ବୁଲୁଛି । ସାଇସ୍ତା ମୁଣ୍ଡରେ ୫୦ ହଜାରର ପୁରସ୍କାର ରାଶି ରହିଛି । ଡାକ୍ତର ଥିବା ଜଣେ ଭିଣୋଇ ଡକ୍ଟର ଅଖଲାକ୍ ଜେଲ ଭିତରେ ।

ଉମେଶ ପାଲ ହତ୍ୟାକାଣ୍ଡ ଅଭିଯୁକ୍ତକୁ ଶରଣ ଦେବା ଅଭିଯୋଗରେ ସେ ଗିରଫ ହୋଇଥିବା ବେଳେ, ଅତିକର ଭଉଣୀ ଆୟେଶା ନୂରୀ ଓ ତାଙ୍କ ଝିଅଙ୍କୁ ଖୋଜୁଛି ପୋଲିସ । ତେଣେ ଏନକାଉଣ୍ଟରରେ ନିହତ ଅସଦର ଦୁଇ ନାବାଳକ ପୁଅଙ୍କୁ ପ୍ରୟାଗରାଜର ସେଲଟର ହୋମରେ ରଖାଯାଇଛି ।

ସେହିପରି ଉମେଶ ପାଲ ହତ୍ୟାକାଣ୍ଡରେ ସଂପୃକ୍ତ ସହଯୋଗୀଙ୍କ ଭିତରୁ ୩ ଜଣ ଏନକାଉଣ୍ଟରରେ ଶିକାର ହୋଇଛନ୍ତି । ସେମାନେ ହେଲେ ଅରବାଜ୍, ଉସ୍ମାନ୍ ଓ ଗୁଲାମ୍ । ଆଉ ୩ ଜଣ ସାର୍ପ ସୁଟର୍ ଗୁଡୁ ମୁସଲିମ, ଅର୍ମାନ୍ ଓ ସବିର୍ ଏବେବି ଫେରାର୍ ଅଛନ୍ତି । ସେମାନଙ୍କୁ ଧରାଇଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଅତିକ୍ ଗ୍ୟାଙ୍ଗର ୫ ଜଣ ପ୍ରମୁଖ ସଦସ୍ୟ ଧୁମନଗଞ୍ଜର ନିୟାଜ୍ ଅହମ୍ମଦ, ମହମ୍ମଦ ଶାଜର, କାଇସ୍ ଅହମ୍ମଦ, କଲନଗଞ୍ଜର ଅର୍ଶଦ କତ୍ରା ଓ କୌଶମ୍ବିର ରାକେଶ କୁମାର ଲାଲା ଗିରଫ ହୋଇସାରିଛନ୍ତି । ପୂର୍ବରୁ ଅତିକ ଅହମ୍ମଦର ବହୁ ସହଯୋଗୀଙ୍କ ବେଆଇନ ଭାବେ ନିର୍ମିତ ଘରକୁ ମଧ୍ୟ ବୁଲଡୋଜର ଲଗାଇ ମାଟିରେ ମିଶାଇ ସାରିଛି ଉତ୍ତରପ୍ରଦେଶ ସରକାର ।