/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748701205.jpg)
Pakistan ISI Assets
ପହଲଗାମ୍ ଆଟାକ୍ ଓ ଭାରତର ଜବାବୀ ଆକ୍ସନ 'ଅପରେସନ ସିନ୍ଦୂର' ପରଠୁ ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡିକ ଆଲର୍ଟ ମୋଡ୍ରେ । ଯାହାର ଫଳସୂରୁପ, ଶତ୍ରୁ ପାକିସ୍ତାନ ଲାଗି ଗୁଇନ୍ଦାଗିରି କରିବା ଅଭିଯୋଗରେ ମାସକରେ ରାଜସ୍ଥାନ, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ଗୁଜରାଟ ଓ ପଞ୍ଜାବରୁ ଅତିକମରେ ୧୫ ଜଣଙ୍କୁ ଗିରଫ କରାଯାଇଛି । କିଏ ସେନାର ଯବାନ ଥିଲେ ତ ଆଉ କିଏ ଟ୍ରାଭେଲ ବ୍ଲଗର ଏବଂ ସରକାରୀ କର୍ମଚାରୀ ରହିଥିଲେ । କେମିତି ଭାରତର ଏହି ସାଧାରଣ ନାଗରିକମାନେ ପାକିସ୍ତାନ ହାତର କାଠକଣ୍ଢେଇ ସାଜିଲେ ?
ମୁମ୍ୱାଇରେ ଜଣେ ଇଞ୍ଜିନିୟର, ଯିଏ ଫେସବୁକ ମାଧ୍ୟମରେ ହନିଟ୍ରାପରେ ଫସିଥିଲେ । ଜଣେ ଟ୍ରାଭେଲ ବ୍ଲଗର, ଯାହାଙ୍କୁ ଲାହୋରରେ AK-47 ବନ୍ଧୁକଧାରୀ ଏସକର୍ଟ କରିଥିଲେ । ୭ଥର ପାକିସ୍ତାନ ଟ୍ରିପ୍ କରିଥିବା ରାଜସ୍ଥାନର ସରକାରୀ କର୍ମଚାରୀ ଏବଂ ଜଣେ ସିମ୍ କାର୍ଡ ସପ୍ଲାୟରର ଗିରଫଦାରୀ, ଦେଶରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା (ISI)କୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିବାରେ ନିୟୋଜିତ ଥିବା ଏକ ବିସ୍ତୃତ ନେଟୱାର୍କର ଖୁଲାସା କରିଥିଲା ।
ଅଧିକ ପଢନ୍ତୁ: ମୋଦି ସରକାରଙ୍କୁ ମିଳିବ ବଡ଼ ସଫଳତା; ୨୦୨୫ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ...
CRPFରେ ପାକ୍ ଗୁଇନ୍ଦା: ମୋତିରାମ ଜାଟ
୨୦୦୩ରେ ସିଆରପିଏଫ୍ ଯବାନ ମୋତିରାମ ଜାଟ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କରେ ଆସିଥିଲେ ଏବଂ ତାଙ୍କଠୁ ଟଙ୍କା ନେଇ ଭାରତର ସମ୍ବେଦନଶୀଳ ତଥ୍ୟ ଦେଉଥିଲେ । ସୋସିଆଲ ମିଡିଆ ଆକ୍ଟିଭିଟିରୁ ତାଙ୍କର ଗୁଇନ୍ଦାଗିରି ସମ୍ପର୍କରେ ଖୁଲାସା ହେବା ପରେ ଚଳିତ ମାସରେ ଦିଲ୍ଲୀରୁ ଏହି ଯବାନଙ୍କୁ ଗିରଫ କରିଥିଲା ଏନଆଇଏ । ସେ କ'ଣ ସବୁ ସୂଚନା ଶତ୍ରୁକୁ ଦେଇଛନ୍ତି, NIA ତାହାର ଛାନଭିନ୍ ଜାରି ରଖିଛି ।
ଡକୟାର୍ଡରେ ହନିଟ୍ରାପ: ଇଞ୍ଜିନିୟର ରବିନ୍ଦ୍ର ବର୍ମା
ଆଣ୍ଟି ଟେରୋରିଜିମ ସ୍କ୍ୱାର୍ଡ ମହାରାଷ୍ଟ୍ରରୁ ୨୭ ବର୍ଷୀୟ ରବିନ୍ଦ୍ର ବର୍ମାଙ୍କୁ ଗିରଫ କରିଛି, ଯିଏକି ମୁମ୍ବାଇସ୍ଥିତ ଡିଫେନ୍ସ ଟେକ୍ନୋଲୋଜି ଫାର୍ମରେ ମେକାନିକାଲ ଇଞ୍ଜିନିୟର ଥିଲେ । ତାଙ୍କ ପାଖରେ ସାଉଥ ମୁମ୍ବାଇ ନୌସେନା ଡକୟାର୍ଡର ଆକ୍ସେସ୍ ଥିଲା ଏବଂ ସେ ଯୁଦ୍ଧଜାହଜ ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥିଲେ । ରବିନ୍ଦ୍ର ଫେସବୁକରେ ପାୟଲ ଶର୍ମା ଓ ଇସିପ୍ରୀତ ନାମକ ପାକିସ୍ତାନୀ ଏଜେଣ୍ଟଙ୍କ ହନିଟ୍ରାପରେ ଫସି ନୌସେନା ଆସେଟ୍ର ସ୍କେଚ୍, ଡାଇଗ୍ରାମ, ଅଡିଓ ନୋଟ୍ ଆଦି ଟଙ୍କା ବଦଳରେ ଶତ୍ରୁକୁ ପଠାଉଥିଲେ ।
ଟ୍ରାଭେଲ ବ୍ଲଗରରୁ ପାକିସ୍ତାନୀ ସ୍ପାଏ: ଜ୍ୟୋତି ମାଲହୋତ୍ରା
ଯେତେ ବି ପାକିସ୍ତାନୀ ଗୁପ୍ତଚର ଧରିପଡିଛନ୍ତି, ତା' ଭିତରେ ସବୁଠୁ ଚର୍ଚ୍ଚାରେ ଅଛନ୍ତି ଜ୍ୟୋତି ମାଲହୋତ୍ରା । ଯିଏକ ଜଣେ ଟ୍ରାଭେଲ ବ୍ଲଗର ତଥା ୟୁଟ୍ୟୁବର । ସେ ପାକ୍ ହାଇକମିଶନ ଅପରେଟିଭ୍ ସହ ଲଗାତାର ଯୋଗାଯୋଗରେ ଥିଲେ ଏବଂ ବାରମ୍ବାର ପାକିସ୍ତାନ ଯାଇଥିଲେ । ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଲାହୋରର ଅନାରକଲି ବଜାରରେ ଜ୍ୟୋତିକୁ ୬ ଜଣ ସଶସ୍ତ୍ର ବ୍ୟକ୍ତି AK-47 ଧରି ଏସକର୍ଟର କରୁଥିବାର ଦେଖାଯାଇଥିଲା । ତଦନ୍ତରୁ ସେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବାର ପ୍ରମାଣ ମିଳିବା ପରେ ଜ୍ୟୋତିଙ୍କୁ ଗିରଫ କରିଥିଲା ହରିୟାଣା ପୋଲିସ ।
ଗୁଜରାଟ ସ୍ୱାସ୍ଥ୍ୟକର୍ମୀ: ସହଦେବ ସିଂ ଗୋହିଲ
୨୮ ବର୍ଷୀୟ ସ୍ୱାସ୍ଥକର୍ମୀ ଗୋହିଲ ଭାରତୀୟ ସାମରିକ ଭିତ୍ତିଭୂମି ସମ୍ପର୍କିତ ତଥ୍ୟା ପାକିସ୍ତାନୀ ଏଜେଣ୍ଟକୁ ପଠାଇଥିଲେ । ଟଙ୍କା ବଦଳରେ ନୂଆକରି ନିର୍ମାଣ ହୋଇଥିବା ଆଇଏଫ ଓ ବିଏସଫ ସାଇଟ୍ର ଫଟୋ ଓ ଭିଡିଓ ପାକିସ୍ତାନକୁ ଯୋଗାଇଥିଲେ । ଘଟଣା ଜାଣିବା ପରେ ଗୁଜରାଟରୁ ଗୋହିଲକୁ ବାନ୍ଧିଥିଲା ଏଟିଏସ୍ ।
ହରିୟାଣା ଗୁପ୍ତଚର
ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ମୁଖ୍ୟତଃ ହରିୟାଣାର ଆର୍ଥିକ ଅସ୍ୱଚ୍ଛଳ ଯୁବବର୍ଗକୁ ନିଜ ଜାଲରେ ଛନ୍ଦିଥିଲା । ଯେପରିକି ପଟିଆଲାର ୨୫ ବର୍ଷୀୟ ଛାତ୍ର ଦେବେନ୍ଦର ସିଂ ଢିଲୋନ । ୨୦୨୪ ନଭେମ୍ବରରେ ଦେବେନ୍ଦର ପାକିସ୍ତାନ ଯାଇଥିଲେ ଏବଂ ଭାରତର ସୁରକ୍ଷା ସମ୍ପର୍କିତ ତଥ୍ୟ ISI ଏଜେଣ୍ଟକୁ ଦେଇଥିଲେ ।
ପାନିପଥରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ୨୪ ବର୍ଷୀୟ ନୌମାନ ଇଲାହୀ । ISI ହ୍ୟାଣ୍ଡେଲରକୁ ଦେଶର ସମ୍ବେଦନଶୀଳ ତଥ୍ୟ ଦେଇଥିଲେ ।
ନୁହ ଜିଲ୍ଲାର ୨୩ ବର୍ଷୀୟ ଅରମାନ ଓ ତାରିଫ, ଦୁହିଁଙ୍କୁ ଗିରଫ କରିବାକୁ ପୋଲିସ ସେମାନଙ୍କ ଘରେ ପହଞ୍ଚିବା ବେଳକୁ ସେମାନେ ପାକିସ୍ତାନୀ ନମ୍ବରରେ କରିଥିବା ଚାଟ୍ ଡିଲିଟ୍ ପାଇଁ ଚେଷ୍ଟା କରୁଥିଲେ ।
ବ୍ୟୁରୋକ୍ରାଟିକ ଲିଙ୍କ୍
ରାଜସ୍ଥାନ ଜୈସାଲମେରର ସରକାରୀ କର୍ମଚାରୀ ଶାକୁର ଖାନ । ସେ ରାଜସ୍ଥାନର ଜଣେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଆସିଷ୍ଟାଣ୍ଟ ଥିଲେ କିନ୍ତୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରିରେ ଲିପ୍ତ ଥିଲେ ।
ସେହିପରି ଉତ୍ତରପ୍ରଦେଶର ବ୍ୟବସାୟୀ ଶାହଜାଦ ଏବଂ ଜଳନ୍ଧରର ମହମ୍ମଦ ମୁରତାଜା ଅଲ୍ଲୀ ନାମକ ବ୍ୟକ୍ତିଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)