Advertisment

Indian Youtuber Jyoti Spying For Pak: କିଏ ଏହି ପାକିସ୍ତାନୀ ପ୍ରେମିକ ଦାନିଶ? କେମିତି ୟୁଟ୍ୟୁବରଙ୍କୁ ଫସାଇ ଆଦାୟ କରୁଥିଲେ ଭାରତୀୟ ସେନାର ଗୁପ୍ତ ତଥ୍ୟ

ଭାରତର ଝିଅ, ପଡ଼ିଥିଲେ ପାକିସ୍ତାନୀ ଅଫିସରଙ୍କ ପ୍ରେମରେ। ପ୍ରେମ ପଛର ଅସଲ ଖେଳ ବୁଝିପାରୁ ନଥିଲେ ନା, ବୁଝିକି ଅବୁଝା ଥିଲେ ଜ୍ୟୋତି ମାଲହୋତ୍ରା? ସେହି ଅଫିସର ଜ୍ୟୋତିଙ୍କ ପାଇଁ ପାକିସ୍ତାନ ବୁଲିବାର ବ୍ୟବସ୍ଥା କରିଥିଲେ, ତା ସହିତ ଚୀନ୍ ଅଧିକାରୀଙ୍କ ସହ ଦେଖା ମଧ୍ୟ କରାଇ ଦେଇଥିଲେ। ତଥାପି ଜ୍ୟୋତି କେମିତି ବୁଝିପାରି ନଥିଲେ ପାକ୍ ଅଫିସରଙ୍କ ଷଡ଼ଯନ୍ତ୍ର?

author-image
Minati Mishra
how did danish trap youtubers and collect secret information from the Indian Army

how did danish trap youtubers and collect secret information from the Indian Army

ନେମ୍ ଆଉ ଫେମ୍ ପାଇଁ ଏମାନେ ଥିଲେ ପାଗଳ। ଆଦର୍ଶର ମିଛ ଖୋଳପା ପିନ୍ଧି, ଏମାନେ ସଦ୍ଭାବର ବାର୍ତ୍ତା ପ୍ରଚାର କରିବା ନାଁରେ ନିଜର ପ୍ରଚାର ହିଁ କରୁଥିଲେ। ଆଉ ଆବଶ୍ୟକ ସ୍ଥଳେ, ଦେଶର ସଉଦା ବି କରୁଥିଲେ। ଏମାନଙ୍କ ପାଖରେ ମା’ଓ ମାତୃଭୂମିର କିଛି ମୂଲ୍ୟ ନାହିଁ। ବ୍ୟକ୍ତିତ୍ୱ ଓ ସଚ୍ଚୋଟ୍ଟ ପଣିଆର ମଧ୍ୟ କିଛି ଅର୍ଥ ନାହିଁ।

Advertisment

ହରିଆଣାୟୁଟ୍ୟୁବର ତଥା ଟ୍ରାଭେଲ୍ ବ୍ଲଗର୍ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ପାକିସ୍ତାନ ହାଇ-କମିଶନରଙ୍କୁ ଗୁପ୍ତ ତଥା ସମ୍ବେଦନଶୀଳ ତଥ୍ୟ ଦେଉଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନ ହାଇକମିଶନର ଏହି ଅଧିକାରୀଙ୍କୁ ମେ’ ୧୩ ତାରିଖରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ବହିଷ୍କାର କରାଯାଇଛି।

ଇତିମଧ୍ୟରେ ହରିୟାଣା ପୋଲିସର ଗୁପ୍ତଚର ବିରୋଧୀ ଶାଖା ଚମକାଇ ଦେଲା ପରି ତଥ୍ୟ ପ୍ରକାଶ କରିଛି। ଜ୍ୟୋତିଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ତାଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଧାରା-୩ ଓ ୫ ତଥା ଭାରତୀୟ ନ୍ୟାୟ ସଂହିତାର ଧାରା-୧୫୩ ଲାଗିଛି।

Advertisment

କିଏ ଏହି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା

ବିଦ୍ୟୁତ ବିଭାଗର ଜଣେ ଅବସରପ୍ରାପ୍ତ ଅଫିସରଙ୍କ ଝିଅ ଜ୍ୟୋତି ମାଲହୋତ୍ରା। ଗ୍ରାଜୁଏଟ କରିବା ପରେ ଟ୍ରାଭେଲ ବ୍ଲଗିଂ କରୁଛନ୍ତି। ତାଙ୍କ ୟୁଟ୍ୟୁବରେ ୩.୨୧ ଲକ୍ଷ ଫଲୋଅର୍ସ ଅଛନ୍ତି। ଜ୍ୟୋତି ଭାରତର ବିଭିନ୍ନ ସ୍ଥାନ ବିଷୟରେ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରିଛନ୍ତି। ଏହାବ୍ୟତୀତ ପାକିସ୍ତାନକୁ ନେଇ ଅନେକ ପଜିଟିଭ ତଥ୍ୟ ତାଙ୍କ ଭିଡିଓରେ ପ୍ରଦାନ କରିଛନ୍ତି। ଜ୍ୟୋତିଙ୍କ ୟୁଟ୍ୟୁବ ଚ୍ୟାନେଲରେ ୪୮୭ ଭିଡିଓ ଅପଲୋଡ଼ ହୋଇଛି। ଏହି ଭିଡିଓରେ ତାଙ୍କର ପାକିସ୍ତାନ ଯାତ୍ରା ସମ୍ପର୍କିତ ଅନେକ ଭିଡିଓ ପଡିଛି। ଯାହାର ସ୍ଲଗ୍ ରହିଛି- 'Indian Girl in Pakistan', 'Indian Girl Exploring Lahore', 'Indian Girl at Katas Raj Temple' ଏବଂ 'Indian Girl Rides Luxury Bus in Pakistan' ଇତ୍ୟାଦି।

ହାଇକମିଶନର ଦାନିଶଙ୍କ ସହ କି ସମ୍ପର୍କ ରହିଛି?

ଯାଞ୍ଚ ପରେ ଜ୍ୟୋତି ମାଲହୋତ୍ରାଙ୍କର ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ହାଇକମିଶନର ଅଧିକାରୀ ଅହସାନ-ଉର-ରହିମ ଓରଫ ଦାନିଶଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ରହିଛି। ଏକ ଭାଇରାଲ ଭିଡିଓରେ ଦେଖାଯାଇଛି, ଜ୍ୟୋତି ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ ଆୟୋଜିତ ଇଫତାର ପାର୍ଟିରେ ସାମିଲ ହୋଇଥିଲେ। ଏହି ଭିଡିଓରେ ଦେଖିବାକୁ ମିଳିଛି, ପାକ୍ ହାଇକମିଶନ ଜ୍ୟୋତିଙ୍କ ସହ ଏପରି ମିଶୁଛନ୍ତି ଯେମିତି ସେ ତାଙ୍କୁ ବହୁ ପୂର୍ବରୁ ଜାଣିଛନ୍ତ। ଜ୍ୟୋତି ଆୟୋଜିତ ପାର୍ଟିର ଖୁବ ତାରିଫ କରୁଛନ୍ତି। ଏଥିସହିତ ପାକିସ୍ତାନ ଯାତ୍ରା କରିବା ଏବଂ ଭିସା ପ୍ରାପ୍ତ କରିବାର ଇଚ୍ଛା ବାରମ୍ବାର ଜାହିର କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓରେ ଜ୍ୟୋତି ପଞ୍ଜାବୀ ଭାଷାରେ କଥା ହେଉଥିବା ଲକ୍ଷ୍ୟ କରାଯାଇଛି। ସେ ଏଥିରେ କହୁଛନ୍ତି- ‘କେତେ ସୁନ୍ଦର ବ୍ୟବସ୍ଥା କରିଛନ୍ତି ଦାନିଶଜୀ? ଏତେ ସମ୍ମାନ ପାଇ ମନ ଖୁସି ହୋଇଗଲା।’ ଦାନିଶଙ୍କ ପତ୍ନୀଙ୍କୁ ଦେଖି କହୁଛନ୍ତି ‘ଅସ୍ସଲାମ୍ ବାଲେକୁମ୍, ଆପଣଙ୍କ ସହ ସାକ୍ଷାତ ଭଲ ଲାଗିଲା। ଆପଣ ବି କେବେ ହରିୟାଣା ଆସନ୍ତୁ। ଆମ ଗାଁର ଖାତିରଦାରି ଦେଖିଲେ ଆପଣ ବି ଖୁସି ହୋଇଯିବେ।’

ଉଲ୍ଲେଖଯୋଗ୍ୟ ଯେ, ପହଲଗାମ ଆକ୍ରମଣ ପରେ ଅର୍ଥାତ ୨୦୨୫ ମେ’ ୧୩ ତାରିଖରେ ଭାରତ ସରକାର ଦାନିଶଙ୍କୁ ପର୍ସୋନା-ନନ୍-ଗ୍ରାଟା ଅର୍ଥାତ ଅବାଞ୍ଛିତ ଘୋଷଣା କରିଥିଲେ। ଏପରିକି ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କୁହାଯାଇଥିଲା।

ସେତିକି ନୁହେଁ, ଏହି ଇଫତାର ପାର୍ଟିରେ ଜ୍ୟୋତି ଚୀନର କେତେକ ଅଧିକାରୀଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ଏହି ସମୟରେ ସେ ଚାଇନା ଅଧିକାରୀଙ୍କୁ ‘ଆଇ ଲଭ୍ ଗୋ ଟୁ ଚାଇନା.. ଭିସା କେବେ ଦେଉଛନ୍ତି? ବୋଲି କହୁଥିବା ଦେଖିବାକୁ ମିଳିଛି। ଜ୍ୟୋତିଙ୍କ ଏହି କଥା ଶୁଣି ସମସ୍ତେ ହସୁଛନ୍ତି, ଆଉ ସେ ଆଗକୁ ଚାଲି ଯାଉଥିବା ବି ଦେଖିବାକୁ ମିଳିଛି।

ହାଇ ପ୍ରୋଫାଇଲ ସହ ବଢାଉଥିଲେ ସମ୍ପର୍କ

ଜ୍ୟୋତି ସବୁବେଳେ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ। ଜ୍ୟୋତି ନିଜ ଚ୍ୟାନେଲ ମାଧ୍ୟମରେ ପାକିସ୍ତାନର ସକାରାତ୍ମକ ଚିତ୍ର ଦେଖାଇବାକୁ ଚେଷ୍ଟା କରୁଥିଲେ। ତାଙ୍କର ଏହିପରି ଏକ ଭିଡିଓ ୧୨ ମିଲିୟନରୁ ଅଧିକ ଭ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏକାଧିକ ଭିଡିଓକୁ ମିଲିୟନରୁ ଅଧିକ ଭ୍ୟୁଜ ମିଳିଛି। ସେତିକି ନୁହେଁ, ଜ୍ୟୋତି ନିଜ ଚାନେଲରେ ଯେତିକି ଭିଡିଓ ଅପଲୋଡ଼ କରିଛନ୍ତି, ସେଥିରୁ ସବୁଠାରୁ ଅଧିକ ଭିଡିଓ ପାକିସ୍ତାନର ରହିଛି। ଏଥିରେ ପାକିସ୍ତାନ ହାଇକମିଶନରେ ଇଫତାର ପାର୍ଟି, ଦାନିଶ ଓ ତାଙ୍କ ପତ୍ନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତର ଭିଡିଓ ପଡ଼ିଛି ଯାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଜ୍ୟୋତି ପାକିସ୍ତାନରେ ପ୍ରସ୍ତୁତ କରିଥିବା ପ୍ରତ୍ୟେକ ଭିଡିଓରେ ଭାରତ-ପାକିସ୍ତାନ ମଧ୍ୟରେ ମଧୁର ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି।

କେବେ ଓ କେମିତି ହେଲା ଦାନିଶଙ୍କ ସହ ସାକ୍ଷାତ?

ଜ୍ୟୋତି ମାଲହୋତ୍ରା ୨୦୧୮, ଅକ୍ଟୋବର ୨୨ ତାରିଖରେ ନିଜର ପାସପୋର୍ଟ ବାହାର କରିଥିଲେ। ଏହାପରେ ସେଠାରେ ସେ ଚାକିରି ବି କଲେ। ପ୍ରାୟ ୩ ବର୍ଷ ତଳେ ସେ ‘ଟ୍ରାଭେଲ ୱିଥ୍ ଜୋ’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି ଭିଡିଓ ପୋଷ୍ଟ କରିଥିଲେ। ନୂଆ ନୂଆ ତାଙ୍କ ଭିଡିଓକୁ ଭଲ ଭିଉ ମିଳୁ ନଥିଲା। ପରେପରେ ସେ ଟ୍ରାଭେଲ ବ୍ଲଗିଂ ଆରମ୍ଭ କରିଦେଲେ। ଏହି କ୍ରମରେ ପାକିସ୍ତାନ ହାଇକମିଶନର ଦାନିଶଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଆଉ ତା ପରେ ସେ ପାକିସ୍ତାନ ପାଇଁ ଗୁଇନ୍ଦା ଗିରି କରିବା ଆରମ୍ଭ କରିଦେଲେ।

ଦାନିଶଙ୍କ ସୁପାରିଶ କ୍ରମେ ପାକିସ୍ତାନରେ ମିଳୁଥିଲା ରାଜକୀୟ ସୁବିଧା

ହରିୟାଣାର ହାସରର ଡିଏସପି କମଲଜିତଙ୍କ କହିବା ଅନୁଯାୟୀ,୨୦୨୩ରେ ଜ୍ୟୋତି ଭିସା ପାଇଁ ପାକିସ୍ତାନ ହାଇକମିଶନ ଯାଇଥିଲେ। ସେହିଠାରେ ହିଁ ଦାନିଶଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ଚାଲିଥିଲା। ଜ୍ୟୋତି ତିନିଥର ପାକିସ୍ତାନ ଯାଇଥିଲେ। ଦାନିଶଙ୍କ କହିବା ଅନୁସାରେ ଜ୍ୟୋତିଙ୍କ ପରିଚୟ ପାକିସ୍ତାନର ଅଲି ଅହବାନଙ୍କ ସହ ହୋଇଥିଲା। ଅଲି ଅହବାନ ଜ୍ୟୋତିଙ୍କର ରହିବା, ବୁଲିବାର ସବୁ ବନ୍ଦୋବସ୍ତ କରିଥିଲେ। ସେଠାରେ ଜ୍ୟୋତିଙ୍କୁ ରାଜକୀୟ ଆତିଥ୍ୟ ମିଳୁଥିଲା। ସେତିକି ନୁହେଁ, ସେ ଜ୍ୟୋତିଙ୍କ ସାକ୍ଷାତ ପାକିସ୍ତାନ ଇଣ୍ଟେଲିଜେନ୍ସ ଅଧିକାରୀଙ୍କ ସହ କରାଇଥିଲେ। ଜ୍ୟୋତି ପୋଲିସକୁ ବି କହିଛନ୍ତି, ଦାନିଶଙ୍କ କହିବା ଅନୁସାରେ ସେ ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭର ଶାକିର ଓରଫ ରାଣା ଶେହବାଜଙ୍କୁ ଭେଟିଥିଲେ ଏବଂ ତାଙ୍କର ଫୋନ୍ ନମ୍ବର ଆଣିଥିଲେ।

ଶାକିରଙ୍କ ନମ୍ବରକୁ ‘ଜଟ ରନ୍ଧବା’ ନାମରେ ସେଭ୍ କରିଥିଲେ

ଡିଏସପିଙ୍କ କହିବା ଅନୁଯାୟୀ, କାଳେ କିଏ ଜାଣିଦେବ, ସେଥିପାଇଁ ଜ୍ୟୋତି ଶାକିରଙ୍କ ଫୋନ୍ ନମ୍ବରକୁ ନିଜ ମୋବାଇଲରେ ଜଟ ରନ୍ଧବା ନାମରେ ସେଭ୍ କରିଥିଲେ। ଭାରତ ଫେରିବା ପରେ ଶାକିର ଓ ଅନ୍ୟମାନଙ୍କ ସହ ହ୍ୱାଟସଅପ୍, ସ୍ନାପଚାଟ୍, ଟେଲିଗ୍ରାମ୍ ମାଧ୍ୟମରେ ସମ୍ପର୍କ ରଖିଥିଲେ। ଏଥିସହିତ ଦେଶ ବିରୋଧୀ ସୂଚନା ମଧ୍ୟ ସେମାନଙ୍କୁ ଦେଉଥିଲେ।

ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ନଜର

ଆଇବିରୁ ତଥ୍ୟ ମିଳିବା ପରେ ହିସାର ପୋଲିସ, ଜ୍ୟୋତିର ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ନଜର ରଖିବା ଆରମ୍ଭ କରିଥିଲା। ତାଙ୍କର ଭିଡିଓ, ଫୋନ୍ କଲ୍ ଟ୍ରାକ୍ କରାଯାଇଥିଲା। ପୋଲିସର ତଥ୍ୟ ଅନୁଯାୟୀ, ଜ୍ୟୋତି ଭାରତୀୟ ସୈନ୍ୟଆଡ୍ଡା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ପଠାଇଥିଲେ। ପାକିସ୍ତାନ ଏଜେନ୍ସି ସବୁ ସୋସିଆଲ ମିଡିଆରେ ପାକିସ୍ତାନ ସମ୍ପର୍କରେ ସକାରାତ୍ମକ ଦୃଶ୍ୟ ଦେଖାଇବା ପାଇଁ ଜ୍ୟୋତିକୁ ମାଧ୍ୟମ କରିଥିଲେ। ପ୍ରାଥମିକ ତଦନ୍ତ ପରେ ଯାହା ଜଣାପଡିଛି, ଜ୍ୟୋତି ପାକିସ୍ତାନ ବ୍ୟତୀତ ଇଣ୍ଡୋନେସିଆର ବାଲିକୁ ବି ଯାଇଥିଲେ।

ୟୁଟ୍ୟୁବର ଅରମାନ ବି ଥିଲେ ପାକିସ୍ତାନ ଷଡଯନ୍ତ୍ରରେ ସାମିଲ

ୟୁଟ୍ୟୁବର ଜ୍ୟୋତିଙ୍କ ସହ ଅନେକ ୟୁଟ୍ୟୁବର ପାକିସ୍ତାନ ଷଡ଼ଯନ୍ତ୍ରର ଅଂଶୀଦାର ଥିଲେ। ଏମାନଙ୍କୁ ପୋଲିସ ଠାବ କରିପାରିଛି। ଏମାନଙ୍କ ମଧ୍ୟରୁ ନୁଁହ ଜିଲ୍ଲା ନଗୀନା ଥାନା ଅଧୀନସ୍ଥ ରାଜାକା ଗାଁର ଅରମାନଙ୍କୁ ପୋଲିସ ଗିରଫ କରିଛି। ଅରମାନ୍ ହ୍ୱାଟସଅପ୍ ମାଧ୍ୟମରେ ଦେଶରେ ସେନାର ଗତିବିଧି, ଡିଫେନ୍ସ ଏକ୍ସପୋ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ କାର୍ଯ୍ୟକଳାପ ସମ୍ପର୍କିତ ସୂଚନା ପାକିସ୍ତାନକୁ ଦେଉଥିଲେ। ତାଙ୍କ ମୋବାଇଲରୁ ପାକିସ୍ତାନ ନମ୍ବରରେ ହୋଇଥିବା ଚାଟିଂ, ଫଟୋ, ଭିଡିଓ ଆଦି ମିଳିଛି। ମୋବାଇଲରେ ଦୁଇଟି ସିମକାର୍ଡ ଏବଂ ଦୁଇଟି ଆଇଏମଇଆଇ (IMEI) ନମ୍ବର ଚିହ୍ନଟ କରାଯାଇଛି। ତାଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩ ଓ ଦେଶଦ୍ରୋହ ଧାରା ଆଧାରରେ ମାମଲା ରୁଜୁ ହୋଇଛି।

ଏହା ପୂର୍ବରୁ ଅର୍ଥାତ ମେ’ ୧୩ ତାରିଖରେ ପାନିପତର ନୋମାନ ଇଲାହୀ ଏବଂ ମେ’ ୧୬ ତାରିଖରେ କୈଥଲରୁ ଦେବେନ୍ଦ୍ର ସିଂହ ଢିଲ୍ଲୋଙ୍କୁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ପୋଲିସ ଗିରଫ କରିଥିଲା।

India News Intelligence Bureau Pakistan Indian YouTuber India Pakistan News Pahalgam Terrorist Attack Pahalgam Attack Jyoti Malhotra
Advertisment
Advertisment