Advertisment

ହୋଇପାରିଲାନି ଦିଲ୍ଲୀ ମେୟର୍ ନିର୍ବାଚନ: ଆପ୍‌ର ପ୍ରବଳ ବିରୋଧରୁ ବିଜେପି ସହ ମୁହାଁମୁହିଁ

ବିଜେପି ପଚାରିଛି ଯେ, ସଂଖ୍ୟା ଯଦି ଆପ୍ ସପକ୍ଷରେ ଅଛି, ତେବେ ସେମାନେ ଭୟଭୀତ କାହିଁକି?

author-image
Chandan Shishu
ଅଦ୍ୟତନ ହୋଇଛି
High drama in Delhi civic Centre Ahead of Mayoral Elections

High drama in Delhi civic centre ahead of Mayoral elections

ହୋଇପାରିଲାନି ଦିଲ୍ଲୀ ମେୟର୍ ନିର୍ବାଚନ। ସ୍ଥଗିତ ରହିଲା ନବନିର୍ବାଚିତ ଏମସିଡିର ପ୍ରଥମ ଅଧିବେଶନ। ଦିଲ୍ଲୀ ସିଭିକ୍ ସେଣ୍ଟର ଭିତରେ ପରସ୍ପର ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଥିଲେ ଆପ୍ ଓ ବିଜେପି କାଉନ୍ସିଲର। କେବଳ ପାଟିତୁଣ୍ଡ କି ନାରାବାଜି ନୁହେଁ  ହାତାହାତି, ଠେଲାପେଲା, ଧସ୍ତାଧସ୍ତି ଯାଏଁ ବି କଥା ଗଲା। କିଛି କାଉନସିଲର୍ ଟେବୁଲ ଉପରେ ଚଢ଼ିଥିବା ଦେଖିବାକୁ ମିଳିଛି। ଆଉ କେତେ ଜଣ ଚେୟାର୍ ଓ ମୋମେଣ୍ଟୋ ଫୋପାଡ଼ିଥିବା ମଧ୍ୟ କୁହାଯାଉଛି।  ଆପ୍ କାଉନସିଲର୍ ମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନାରା ଦେଇଥିବା ବେଳେ, ବିଜେପି କାଉନସିଲର୍ ମାନେ ଟାର୍ଗେଟ୍ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ। ଏଭଳି ତମ୍ବିତୋଫାନ ଭିତରେ ମେୟର୍ ଓ ଡେପୁଟି ମେୟର୍ ନିର୍ବାଚନ ସମ୍ଭବ ହୋଇପାରିନାହିଁ।

Advertisment

ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ବିଜେପି କାଉନସିଲର୍ ସତ୍ୟା ଶର୍ମାଙ୍କୁ ସିଭିକ୍ ବଡିର ପ୍ରିଜାଇଡିଂ ଅଫିସର୍ ନିଯୁକ୍ତ କରିବା ପରଠୁ କୁହୁଳୁଥିଲା ନିଆଁ।  ଏହାକୁ ବିରୋଧ କରୁଥିଲେ ଆପ୍ ସଦସ୍ୟ। ଦିଲ୍ଲୀ ମହାନଗର ନିଗମ ବା ଏମସିଡି ନିର୍ବାଚନରେ ଆପ୍ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ, ବିଜେପି କାଉନସିଲରଙ୍କୁ କାହିଁକି ପ୍ରିଜାଇଡିଂ ଅଫିସର୍ କରାଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ। ଏଥିସହ ପୁଣିଥରେ ଉପରାଜ୍ୟପାଳଙ୍କ ଉପରେ ନିଶାନା ସାଧିଥିଲା ଆମ୍ ଆଦମୀ ପାର୍ଟି। ତେବେ ଆଜି ଦିନ ୧୧ଟାରେ ହେବାକୁ ଥିବା ମେୟର୍ ନିର୍ବାଚନ ପୂର୍ବରୁ ପ୍ରଥମେ ମନୋନୀତ କାଉନସିଲରଙ୍କ ଶପଥପାଠ କରାଇଥିଲେ ସତ୍ୟା ଶର୍ମା। ଏହାକୁ ତୀବ୍ର ବିରୋଧ କରିଥିଲା ଆପ୍।

ନିର୍ବାଚିତ କାଉନସିଲରଙ୍କ ପୂର୍ବରୁ ମନୋନୀତ କାଉନସିଲରଙ୍କୁ ଶପଥ ପାଠ କରାଇବା ନୀତି ବିରୋଧୀ ବୋଲି ଅଭିଯୋଗ କରିବା ସହିତ ହଟ୍ଟଗୋଳ ଓ ନାରାବାଜି କରିଥିଲେ। ବିଜେପି କାଉନସିଲର ମାନେ ଆପ୍ ସଦସ୍ୟଙ୍କ ଏଭଳି ଆଚରଣକୁ ବିରୋଧ କରିବା ପରେ, ଉଭୟ ପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖାଦେଇଥିଲା। ମେୟର ନିର୍ବାଚନକୁ ପ୍ରଭାବିତ କରି ବିଜେପି ସପକ୍ଷରେ ନେବା ଲାଗି, ଉପରାଜ୍ୟପାଳ ଉଦ୍ଦେଶ୍ୟମୂଳକ ଭାବେ ୧୦ ଜଣଙ୍କୁ MCDକୁ ମନୋନୀତ କରିଥିବା ଆପ୍ ଅଭିଯୋଗ କରିଛି। ସେପଟେ ବିଜେପି ପଚାରିଛି ଯେ, ସଂଖ୍ୟା ଯଦି ଆପ୍ ସପକ୍ଷରେ ଅଛି, ତେବେ ସେମାନେ ଭୟଭୀତ କାହିଁକି? ନୈତିକତା ଦୃଷ୍ଟିରୁ ଆପ ହାରିଯାଇଛି ବୋଲି କହିଛି ବିଜେପି।

Advertisment

୨୫୦ ଆସନ ବିଶିଷ୍ଟ ଏମସିଡିରେ ଆପ୍ ୧୩୪ ସିଟ୍ ହାତେଇଥିବା ବେଳେ, ବିଜେପି ୧୦୪ ଓ କଂଗ୍ରେସ ୯ଟି ସିଟ୍ ଅକ୍ତିଆର କରିଛନ୍ତି। ସଂଖ୍ୟାଗରିଷ୍ଠ ଆପ୍ ଶୈଳୀ ଓବରୟଙ୍କୁ ମେୟର୍ ପ୍ରାର୍ଥୀ କରିଥିବା ବେଳେ, ଦଳର ଆଶୁ ଠାକୁର ମଧ୍ୟ ମେୟର ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ଆପ୍‌ର ବହୁମତ ଥିବା ଜାଣିବା ସତ୍ତ୍ୱେ, ବିଜେପି ବି ଦେଇଛି ମେୟର୍ ପ୍ରାର୍ଥୀ। ତିନିଥର କାଉନ୍ସିଲ ହୋଇଥିବା ରେଖା ଗୁପ୍ତାଙ୍କ ଉପରେ ଭରସା କରିଛି ଦଳ। ତେଣେ କଂଗ୍ରେସ ମେୟର ଭୋଟିଂରେ ଭାଗ ନେବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ଦିଲ୍ଲୀ ମେୟର ନିର୍ବାଚନରେ ୨୫୦ କାଉନସିଲରଙ୍କ ସହିତ ଦିଲ୍ଲୀର ୧୪ ବିଧାୟକ ଓ ୧୦ ସାଂସଦଙ୍କର ମଧ୍ୟ ଭୋଟ୍ ଦେବାର ଅଧିକାର ରହିଛି।

BJP
Advertisment
Advertisment