• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉତ୍ତରପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଦୋଷୀ କିଏ । କେମିତି ଓ କେଉଁ ପରିସ୍ଥିତିରେ ସତସଙ୍ଗରେ ଦଳାଚକଟା ହେଲା ? କେମିତି ଘଟିଲା ଏତେ ବଡ ଅଘଟଣ । ଏଭଳି ପ୍ରଶ୍ନକୁ ନେଇ ଏବେ ତଦନ୍ତକାରୀ ଟିମ୍ ତନାଘନା ଚଳାଇଛନ୍ତି । କୁହାଯାଉଛି, ସତସଙ୍ଗ ସରିବା ପରେ ଏକାଥରକେ ବାହାରକୁ ବାହାରିଥିଲେ ହଜାର ହଜାର ଲୋକେ ।

ସେ ସ୍ଥାନଟି ମଧ୍ୟ ଥିଲା ଅଣଓସାରିଆ ବା ସଙ୍କୀର୍ଣ୍ଣ । ଯେତେବେଳେ ଆତ୍ମଘୋଷିତ ବାବା ନାରାୟଣ ଶଙ୍କର ହରି ସତସଙ୍ଗ ସ୍ଥଳ ଛାଡି ଏକ କାରରେ ବାହାରକୁ ବାହାରିଲେ । ସେହି ସମୟରୁ ଆରମ୍ଭ ହୋଇଥିଲା ଅତ୍ୟଧିକ ଭିଡ଼ । ଆତ୍ମଘୋଷିତ ବାବାଙ୍କ କାର ଚକରୁ ବାହାରୁଥିବା ଧୂଳିକୁ ଶ୍ରଦ୍ଧାରେ ନେବା ଲାଗି ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗିଲା ।

ଆଉ ଏହି ସମୟରେ ସଙ୍ଗଠନ କର୍ମକର୍ତ୍ତା ଲୋକଙ୍କୁ ଅଟକାଉଥିଲେ । ଫଳରେ ଗୋଟିଏ ସ୍ଥାନରେ ଏତେ ଭିଡ ଜମିଥିଲା ଯେ ସବୁକିଛି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଆଉ ଏହି କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ତେବେ ପୂର୍ବରୁ ମଧ୍ୟ ଏମିତି ଅନେକ ସ୍ଥାନରେ ଦଳାଚକଟାରେ ବହୁ ଲୋକଙ୍କ ପ୍ରାଣ ଯାଇଛି ।

କେବେ କେଉଁଠି ଘଟିଥିଲା ବଡ ଧରଣର ଦଳାଚକଟା

  • ୨୦୦୫- ମହାରାଷ୍ଟ୍ର ସାତରା ଜିଲ୍ଲାରେ ମନ୍ଧାରଦେବୀ ମନ୍ଦିରରେ ଦଳାଚକଟା, ୩୪୦ ମୃତ
  • ୨୦୦୮ରେ ହିମାଚଳପ୍ରଦେଶ ନୈନା ଦେବୀ ମନ୍ଦିରରେ ଭୂସ୍ଖଳନ ଗୁଜବ ଯୋଗୁ ଦଳଚକଟା, ୧୪୫ ମୃତ
  • ୨୦୦୮ରେ ରାଜସ୍ଥାନର ଚାମୁଣ୍ଡା ଦେବୀ ମନ୍ଦିରରେ ନବରାତ୍ରୀ ଉତ୍ସବ ବେଳେ ଅଘଟଣ, ୨୨୪ ମୃତ
  • ୨୦୧୧- କେରଳ ଇଡୁକି ଜିଲ୍ଲାରେ ୧୦୪ ସାବରିମାଳା ଭକ୍ତଙ୍କ ଦଳାଚକଟାରେ ମୃତ୍ୟୁ
  • ୨୦୧୩- ମଧ୍ୟପ୍ରଦେଶର ରତ୍ନଗଡ ମନ୍ଦିରରେ ନବରାତ୍ର ପାଳନ ବେଳେ ଦଳାଚକଟା, ୧୧୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
  • ୨୦୨୨- ଜାମ୍ମୁ ଓ କାଶ୍ମୀରର ବୈଷ୍ଣବ ଦେବୀ ମନ୍ଦିରରେ ଦଳାଚକଟା ୧୨ ଜଣଙ୍କ ମୃତ୍ୟୁ

ତେବେ ହାଥରସ୍ ଘଟଣାରେ ସବୁ ଦିଗକୁ ନେଇ ତଦନ୍ତ ଚଳାଇଛନ୍ତି ଅନୁସନ୍ଧାକନକାରୀ ଟିମ୍ । ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫ ଟିମ ଆଦି ଉପସ୍ଥିତରେ ଫୋରେନସିକ ଟିମ୍ ଯାଞ୍ଚ ଆରମ୍ଭ ହୋଇଛି । ହାଥରସ ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ହସ୍ପିଟାଲରେ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଏଥିସହ ଘଟଣାସ୍ଥଳରେ ପହଞ୍ଚି ଯୋଗୀ ଆଦିତ୍ୟନାଥ ବିଭାଗୀୟ ଅଧିକାରୀଙ୍କଠୁ ଘଟଣା ନେଇ ପଚାରି ବୁଝିଛନ୍ତି । ସଭାକୁ ଅନୁମତି କିଏ ଦେଇଥିଲା, ସଭାସ୍ଥଳରେ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ବ୍ୟବସ୍ଥା ହୋଇଥିଲା କି ନାହିଁ । ଯଦି ହୋଇଥିଲା ତ୍ରୁଟି କେଉଁଠି ଥିଲା, ଏସବୁକୁ ପୁଙ୍ଖାନୁପୁଖ ଭାବେ ତଦାରଖ କରିଛନ୍ତି ଆଦିତ୍ୟନାଥ ।

ସୂଚନା ଅନୁଯାୟୀ, ପ୍ରକୃତରେ ସତସଙ୍ଗରେ ୮୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ଅନୁମତି ଥିଲା । ହେଲେ ଅଢେଇ ଲକ୍ଷ ଲୋକ ଯୋଗଦେଇଥିବା ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଛନ୍ତି । ଆଉ ଏପଟେ ଘଟଣା ପରେ ସତସଙ୍ଗରେ ପ୍ରବଚନ ଦେଉଥିବା ଆତ୍ମଘୋଷିତ ଭୋଲେ ବାବା ଫେରାର । ତାକୁ ଧରିବା ଲାଗି ୟୁପି ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି ।

ଉତ୍ତର ପ୍ରଦେଶ ମଇନପୁରୀ ଜିଲ୍ଲାର ରାମ କୁଟୀର ଚାରିଟେବୁଲ ଟ୍ରଷ୍ଟରେ ଯାଇ ତଦନ୍ତ କରିଛି ପୋଲିସ । ଏମିତିକି ତଦନ୍ତ ଲାଗି ଏସଆଇଟି ଗଠନ କରାଯାଇଛି । ଏହି ଟିମର ନେତୃତ୍ୱ ନେଉଛନ୍ତି ଆଗ୍ରା ଏଡିଜିଙ୍କ ସହ ଆଲିଗଡ କମିଶନର । ଆଉ ଏପଟେ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।

ଉତ୍ତରପ୍ରଦେଶ ହାଥରସ୍ ଫୁଲୁରୀ ଗାଁରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା ସତସଂଗ । ତେବେ ସତସଙ୍ଗ ସରିବା ପରେ ଦଳଚକଟାରେ ଯାଇଛି ଶହେରୁ ଅଧିକଙ୍କ ଜୀବନ ।

OTV is now on Whatsapp

Join and get latest news update delivered to you via whatsapp

Join Now